ବୋରିଗୁମ୍ମା ଲ୍ୟାମ୍ପ୍ସ M.D. ପି. କିରଣ କୁମାରଙ୍କର ବାଇକ୍ ଦୁର୍ଘଟଣାରେ ମୃତ୍ୟୁ

0
197

ରିପୋର୍ଟ : ରବିଶଙ୍କର ମହାପାତ୍ର  //
କୋରାପୁଟ,(୯/୧୧) : ଗତ କାଲି ଅପରାହ୍ନ ପ୍ରାୟ ୨ ଘଣ୍ଟା ସମୟରେ ବୋରିଗୁମ୍ମା ଲ୍ୟାମ୍ପ୍ସ M.D. ପି. କିରଣ କୁମାର ବଣ୍ଡାଗୁଡା ସ୍ଥିତ ପେଟ୍ରୋଲ ଫିଲିଂ ଷ୍ଟେସନରୁ ବୋରିଗୁମ୍ମା ଲ୍ୟାମ୍ପ୍ସ ଅଭିମୁଖେ ବାଇକରେ ଆସୁଥିବା ବେଳେ ଏକ ପିକ୍ ଅପ୍ ଭ୍ୟାନ ସହ ଧକ୍କା ହୋଇଥିଲା ।

ବୋରିଗୁମ୍ମା-ଛତିଶଗଡ ୬୩ ନମ୍ବର ଜାତୀୟ ରାଜପଥର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଏକ ପିକ୍ ଅପ୍ ଭ୍ୟାନ ନଂ.OD10H 2605 ସହ ଧକ୍କା ହେବା ଫଳରେ ପ୍ରାୟ ୨୦ ଫୁଟ ଦୂରରେ ବାଇକଟି ଛିଟିକି ପଡିଥିଲା । ଫଳରେ ତାଙ୍କ ନାକ ଓ କାନରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ।ସ୍ଥାନୀୟ କିଛି ଯୁବକ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବୋରିଗୁମ୍ମା ଲ୍ୟାମ୍ପ୍ସ M.D. ପି. କିରଣ କୁମାରଙ୍କ ବୟସ ମାତ୍ର ୩୩ ବର୍ଷ ହୋଇଥିବା ବେଳେ ତାଙ୍କର ଗୋଟିଏ ୬ ବର୍ଷର ଝିଅ ଓ ୩ ବର୍ଷର ପୁଅଟିଏ ଅଛନ୍ତି ।

ସେ ପିତା ମାତାଙ୍କର ଏକମାତ୍ର ପୁଅ ହୋଇଥିବାରୁ ପରିବାର ବର୍ଗ ତଥା ଲ୍ୟାମ୍ପ୍ସ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ବୋରିଗୁମ୍ମା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୁର୍ଘଟଣା ଗ୍ରସ୍ତ ମୋଟର ସାଇକେଲକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।