ବକେୟା ସବସିଡି ପ୍ରଦାନ ଏବଂ ଏଫ.ସି.ଆଇ. ଦ୍ୱାରା ଧାନ ଉଠାଣ ଦାବୀରେ ବିଜେଡିର ଧାରଣା

0
160

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା.(୨୦/୦୭) : କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ଓ ଜୁନାଗଡ ଠାରେ ଥିବା ଏଫ.ସି.ଆଇ. ଅଫିସ ସାମନାରେ ଜିଲ୍ଲା ବିଜେଡି ପକ୍ଷରୁ ଧାରଣା ଦିଆଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆଯାଇଛି ।

କେନ୍ଦ୍ର ସରକାର ଓଡିଶାକୁ ସବସିଡି ବାବଦକୁ ୬୫୦୦ କୋଟି ଟଙ୍କା ଦେବାକୁ ଥିବା ବେଳେ ଏଫ.ସି.ଆଇ. ମାଧ୍ୟମରେ ଚାଉଳ ଉଠାଣରେ ବିଲମ୍ବ କରୁଥିବା ଅଭିଯୋଗ କରାଯାଇଛି । କେସିଙ୍ଗା ଠାରେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ଙ୍କ ନେତୃତ୍ୱ ରେ ନର୍ଲା ବିଧାୟକ ଭୂପିନ୍ଦର ସିଂ,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଓ ଗୋବର୍ଦ୍ଧନ ଦାସ ପ୍ରମୂଖ ଙ୍କ ଉପସ୍ଥିତିରେ ବହୁ ବିଜେଡି କର୍ମୀ କେନ୍ଦ୍ର ଉପରେ ବର୍ଷିଥିଲେ ।

ସେହିପରି ଜୁନାଗଡସ୍ଥିତ ଏଫ.ସି.ଆଇ. କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଗଡ ବିଧାୟକ ମୌଷଧି ବାଗ ଓ ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ସାମିଲ ହୋଇ କେନ୍ଦ୍ର ଉପରେ ବର୍ଷି ଥିଲେ । ଧାନ କିଣା ବାବଦକୁ କେନ୍ଦ୍ର ସରକାର ୬୫୦୦ କୋଟି ଟଙ୍କା ବାକି ରଖିଥିବା ବେଳେ କାଲି ବସ୍ତା ଯୋଗାଣ ରେ ଅସୁବିଧା ହେଉଥିବା କାରଣରୁ ଧାନ କିଣାରେ ବ୍ୟାପକ ଅସୁବିଧା ହେଉଥିବା ଦର୍ଶାଇ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ତିନି ଦଫା ଦାବୀ ପତ୍ର ଦାଖଲ କରାଯାଇଥିଲା ।

ଅନ୍ୟପକ୍ଷରେ ବିଜେଡିର ଏତାଦୃଶ ଧାରଣା କେବଳ ଲୋକଙ୍କୁ ଭୂଆଁ ବୁଲାଇବା ଉଦ୍ଦେଶ୍ୟରେ କରାଯାଉଥିବା ବିଜେପି ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି । ବିଜେପି କୃଷକ ସେଲ ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଧାନ କିଣା କାରବାରରେ ରାଜ୍ୟ ସରକାରଙ୍କ ଅପାରଗତା ବୋଲି ଦର୍ଶାଇଥିବା ଜଣାପଡିଛି ।

ରାଜ୍ୟ ସରକାର ଚାଷୀଙ୍କ ଧାନକୁ ମଣ୍ଡିରେ କଟନୀ ଛଟନି ବନ୍ଦ କରିବା ସହିତ ଆବଶ୍ୟକୀୟ ଗୋଦାମ ବ୍ୟବସ୍ଥା କରି ଚାଷିଙ୍କ ଠାରୁ ସିଧାସଳଖ ଧାନ କିଣନ୍ତୁ ବୋଲି ଦାବୀ କରିଛନ୍ତି । ଏହି ପ୍ରକ୍ରୀୟା ମାଧ୍ୟମରେ ମଣ୍ଡି ଲେବର ଓ ଟ୍ରାନ୍ସପୋର୍ଟ ବ୍ୟବସ୍ଥା କରି ମଣ୍ଡିୱାରୀ ସ୍ୱଚ୍ଛତା ସହ ଲୋକଲୋଚନକୁ ଆଣନ୍ତୁ ବୋଲି ଦାବୀ କରାଯାଇଛି । ମଣ୍ଡି ମାନଙ୍କରେ ପ୍ରକୃତ ପକ୍ଷେ କଣସବୁ ଘଟୁଛି ସେସବୁ ଚାଷୀମାନେ ଠିକ ଜାଣିଥିବା ପ୍ରକାଶ କରିଛନ୍ତି ।

ଏଭଲି ଗୋଲକ ଧନ୍ଦା ଭିତରେ ନୀରିହ ଚାଷୀ ପେଷି ହୋଇଯାଉଥିବା କଳାହାଣ୍ଡିର ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହେଉଛି । ମଣ୍ଡି ବନ୍ଦ ଘୋଷଣା ହେବାପରେ ମଧ୍ୟ ଅଦ୍ୟାବଧି ମଣ୍ଡି ମାନଙ୍କରେ ଚାଷୀଙ୍କ ଧାନ ବିକ୍ରି ହୋଇ ନପାରି ପଡିରହିଥିବା ଅଭିଯୋଗ ହେଉଛି ।

ଗତ ଖରିଫରେ ମଧ୍ୟ ସେଭଲି ମଣ୍ଡି ବନ୍ଦ ହେବାପରେ ଚାଷୀଙ୍କ ଧାନକୁ କମ ମୂଲ୍ୟରେ ବିକ୍ରୀ କରାଯାଇଥିବା ବେଳେ ହେି ଧାନର ହିସାବ କିପରି କରାଗଲା ଏବଂ ସେହି ଧାନର ଚାଉଲ କିପରି ଉଠାଣ ହେଲା ସେସଂପର୍କରେ ତଦନ୍ତ ହେବା ଅବଶ୍ୟକ ବୋଲି ଚାଷି ମହଲରେ ଦାବୀ ହେଉଛି । ସେହିପରି ରବିର ଧାନ କୁ କିପରି ଉଠାଣ କରାଯିବ ତାହା ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।