ରାଜ୍ୟ ର ଦୀର୍ଘତମ ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
162

ରିପୋର୍ଟ : ସୁଭାସିସ ନାୟକ
କଟକ, (୨୧/୧୨) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବଡମ୍ବା ଗୋପୀନାଥପୁର ଠାରେ ମହାନଦୀ ଉପରେ ରାଜ୍ୟ ର ଦୀର୍ଘତମ ସେତୁ କୁ ଉଦ୍ଘାଟନ କରିଛନ୍ତି । ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ T ଅକ୍ଷର ସଦୃଶ ।

ଏହା ରାଜ୍ୟ ର ଦୀର୍ଘତମ ପ୍ରଥମ T ସେତୁ । ଏହା ସେ ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବୀ ଥିଲା । ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ବହୁ ଆକାକ୍ଷିତ ସେତୁର ଉଦ୍ ଘାଟନ ସେ ଅଞ୍ଚଳର ଜନତାଙ୍କ ମଧ୍ୟ ରେ ବିପୁଳ ଉତ୍ସାହ ସୃଷ୍ଟି କରିଛି । ଏଥିପାଇଁ ୧୧୧ କୋଟି ଟଙ୍କା ବିନିଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନୟକ ୨୦୧୪ ମସିହାରେ ଏଥି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେତୁ ଉଦ୍ ଘାଟନ ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣ ଙ୍କୁ ଆପଣମାନେ ଖୁସି ତ ବୋଲି ପଚାରିଥିଲେ ଏବଂ ଜନତା ଆନନ୍ଦ ପ୍ରକାଶ ସହ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ସେତୁ ବଡମ୍ବା ନରସିଂହପୁର ରୁ ବାଙ୍କୀ ବୈଦେଶ୍ୱର କୁ ସଂଯୋଗ କରିବା ସହିତ ନଦୀ ଅବସ୍ଥିତ ସିଂହନାଥ ମନ୍ଦିର କୁ ମଧ୍ୟ ସଂଯୋଗ କରୁଛି । ଏହାଦ୍ୱାରା ବଡମ୍ବା ରୁ ବାଙ୍କୀ ବୈଦେଶ୍ୱରର ଦୂରତ୍ୱ ୪୫ କିଲୋମିଟର ହ୍ରାସ ପାଇବ । ନିକଟସ୍ଥ ଅଞ୍ଚଳର ୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଗମନାଗମନରେ ସୁବିଧା ହେବ । ଏହି ଅଞ୍ଚଳରେ କୃଷି, ବାଣିଜ୍ୟ ଏବଂ ପର୍ଯ୍ୟଟନର ବିକାଶ ହେବ ।

ଏହି କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଡମ୍ବା ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର ଓ ବାଙ୍କୀ ବିଧାୟକ ଶ୍ରୀ ଦେବୀ ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।