ମହାରାଜା ଉଚ୍ଚ ବିଦ୍ୟାଳୟ ର ଦୁର୍ଗତି ର ମୁଖ୍ୟ କାରଣ ରାଜନୈତିକ ଇଛାଶକ୍ତି ଅଭାବ

0
169

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୩୦/୧୨) : ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ୍ୱ ହେଲା ମହାରାଜା ଉଚ୍ଚ ବିଦ୍ୟାଳୟ ରେ ନିୟମିତ ପ୍ରଧାନ ଶିକ୍ଷକ ନାହାନ୍ତି l ରାଜ୍ୟ ର ଶତାୟୁ ଏହି ଶିକ୍ଷା ଅନୁଷ୍ଠାନ ଏବେ ବିନା କିରାଣୀରେ ଚାଲୁଛି l ଆବଶ୍ୟକ ଶିକ୍ଷକ ଅଭାବରେ ଏହି ପୁରାତନ ଶିକ୍ଷାନୁଷ୍ଠାନ ର ଶୈକ୍ଷିକ ସୌଧ ସମ୍ପୂର୍ଣ୍ଣ ଭୁଷୁଡି ପଡିଛି l

ଏଠାରେ ବିଜ୍ଞାନ ପରୀକ୍ଷାଗାର, ପାଠାଗାର ଭଳି ଆନୁସଙ୍ଗିକ ସୁବିଧା ସୁଯୋଗ ନ ଥିବାରୁ ଛାତ୍ର, ଶିକ୍ଷକ, ଅଭିଵାବକ ତଥା ସାଧାରଣ ଜନତା ଘୋର ଅସନ୍ତୋଷ ପ୍ରକାଶ କରୁଛନ୍ତି l ପ୍ରକାଶ ଥାଉକି ନିକଟ ଅତୀତରେ ମହାରାଜା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିନା ଏହି ଅନୁଷ୍ଠାନ ର ଶତ ବାର୍ଷିକୀ ଉତ୍ସବ ଅତି କଷ୍ଟରେ ପୁରାତନ ଛାତ୍ର ମାନଙ୍କ ଦ୍ୱାରା ପାଳନ କରାଯାଇଥିଲା l ଜଣେ ନିୟମିତ ପ୍ରଧାନ ଶିକ୍ଷକ ଙ୍କ ନିଯୁକ୍ତି ସକାଶେ ପୁରାତନ ଛାତ୍ର ସଂଘ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା l

ଏ ସମ୍ପର୍କରେ ବହୁ ଆଗରୁ ଉଚ୍ଚ କର୍ତ୍ତ୍ତୃପକ୍ଷ ଙ୍କ ଦୃଷ୍ଟି ବାରମ୍ବାର ଆକର୍ଷଣ କରାଯାଇ ଆସୁଛି l ଆସନ୍ତା ଏକ ମାସ ମଧ୍ୟରେ ନିୟମିତ ପ୍ରଧାନ ଶିକ୍ଷକ ନିଯୁକ୍ତି ନ ହେଲେ ବିଦ୍ୟାଳୟ କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦେବାକୁ ଗତକାଲି ପୁରାତନ ଛାତ୍ର ସଂଘ ର ଏକ ଜରୁରୀକାର୍ଯ୍ୟକାରୀ କମିଟି ବୈଠକ ରେ ସର୍ବସମ୍ମତ ପ୍ରକାଶ ପାଇ ପ୍ରସ୍ତାବ ଗୃହୀତ ହୋଇଥିଲା l

ଏହି ବୈଠକ ରେ ମୋ ସ୍କୁଲ ଅଭିଯାନ ତଥା ବିଦ୍ୟାଳୟ ର ଉନ୍ନତି ସମ୍ପର୍କରେ ବିଷଦ ଆଲୋଚନା ହୋଇଥିଲା l ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମନାଭ କର୍ଣ୍ଣ ବିବରଣୀ ଉପସ୍ଥାପିତ କରିଥିଲେ l ସଂଘ ର ଉପଦେଷ୍ଟା ଶରତ ଚନ୍ଦ୍ର ମହାନ୍ତି, ସଭ୍ୟ କଇରୁ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ପ୍ରଫେସର ନାରାୟଣ ପ୍ରସାଦ ରାୟଗୁରୁ, ଇଂ. ଶ୍ୟାମସୁନ୍ଦର ଅଗ୍ରୱାଲ, ରଘୁନାଥ ସାହୁ, ଲକ୍ଷ୍ମୀ ନାରାୟଣ ସାହୁ, ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l କୋଷାଧ୍ୟକ୍ଷ ନିତ୍ୟାନନ୍ଦ ମାଝୀଆୟ ବ୍ୟୟ ହିସାବ ଉପସ୍ଥାପନ କରିଥିଲେ l ଏଥିରେ ସଂଘର ସଭାପତି ଗୋରେଖ ନାଥ ସାହୁ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସମ୍ପାଦକ ବ୍ୟୋମକେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l