ବନ୍ଧୁକ ଲାଇସେନ୍ସ ଦୁର୍ନୀତି ର ପର୍ଦାଫାଶ କଲା ସି.ବି.ଆଇ. : ଦୁର୍ନୀତିରେ ବହୁ ଜିଲ୍ଲାଅଧିକାରୀ ସାମିଲ

0
194

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଶ୍ରୀନଗର,ଜାମ୍ମୁ,(୨୫/୦୭) : ବନ୍ଧୁକ ଲାଇସେନ୍ସ ଦୁର୍ନୀତି ମାମଲାର ଯାଞ୍ଚ କରୁଥିବା ସିବିଆଇ କରିଛି ବଡ ଖୁଲାସା । ଏହି ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଦୁର୍ନୀତିରେ ଜମ୍ମୁ କାଶ୍ମୀରର ଅନେକ ଜିଲ୍ଲା ଅଧିକାରୀ ସାମିଲ ଅଛନ୍ତି ବୋଲି ସି.ବି.ଆଇ. କହିଛି । ଏମାନେ ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର କରୁଥିବା ଡିଲରଙ୍କ ସହ ମିଶି ୨୦୧୨ ଯାଏଁ ଅନେକ ବେଆଇନ୍ ବନ୍ଧୁକ ଲାଇସେନ୍ସ ଜାରି କରିଛନ୍ତି ।

କୁହାଯାଉଛି ଯେ, ଟଙ୍କା ପାଇଁ ଜିଲ୍ଲାଅଧିକାରୀଙ୍କ ଦ୍ୱାରା ୨ ଲକ୍ଷ ୭୮ ହଜାରରୁ ଅଧିକ ବେଆଇନ୍ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଛି । ଏହା ଭାରତର ସବୁଠରୁ ବଡ ବନ୍ଧୁକ ଲାଇସେନ୍ସ ଦୁର୍ନୀତି ବୋଲି ସି.ବି.ଆଇ. ପକ୍ଷରୁ ସୂଚନା ଦିଆଯାଇଅଛି ।

ସି.ବି.ଆଇ. ର ସୂଚନା ମୁତାବକ, ଜମ୍ମୁ-କାଶ୍ମୀରରେ ବନ୍ଧୁକ ଲାଇସେନ୍ସ ର‌୍ୟାକେଟ୍ ସହ ସମ୍ବନ୍ଧିତ ମାମଲାରେ ୨୦ଟି ଗନ୍ ହାଉସ ସମେତ ୪୦ଟି ସ୍ଥାନରେ ଚଢ଼ାଉ ହୋଇଛି । ଏହି ଚଢ଼ାଉ ବେଳେ ଅନେକ ଦରକାରୀ କାଗଜପତ୍ର ସିବିଆଇ ହାତରେ ଲାଗିଛି ।

ଏହି ସ୍କାମ ବିଷୟରେ ପ୍ରଥମେ ୨୦୧୭ରେ ଜଣାପଡିଥିଲା । ରାଜସ୍ଥାନ ଆତଙ୍କାବ ନିରୋଧ ସ୍କ୍ୱାର୍ଡ ଏହି ଦୁର୍ନୀତି ବିଷୟରେ ଖୁଲାସା କରିଥିଲା । ଏମାନେ ଜମ୍ମୁ-କାଶ୍ମୀରରେ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ଲାଇସେନ୍ସର ହତିଆର ସହ ଅପରାଧୀଙ୍କୁ ଗିରଫ କରିଥିଲେ। ଜାଲ୍ ଡକ୍ୟୁମେଣ୍ଟ୍ ଆଧାରରେ ସେନା କର୍ମଚାରୀଙ୍କ ନାମରେ ୩୦୦୦ ରୁ ଅଧିକ ଲାଇସେନ୍ସ ଦିଆଯାଇଥିବା ଏ.ଟି.ଏସ୍. ଜାଣିବାକୁ ପାଇଥିଲା ।

ଜାମ୍ମୁ କାଶ୍ମୀରର ତତ୍କାଳୀନ ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି-ବିଜେପି ମିଳିତ ସରକାର ୨୦୧୮ ରେ ରାଜ୍ୟପାଳ ଶାସନ ଲାଗୁ ହେବା ପରେ ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଯାଞ୍ଚରେ ରକ୍ଷା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା । ପରେ ତତ୍କାଳୀନ ରାଜ୍ୟପାଳ ଏନ.ଏନ୍. ଭୋହରା ଏହି ମାମଲାକୁ ସି.ବି.ଆଇ. କୁ ହସ୍ତାନ୍ତର କରିଥିଲେ ।

ଏହି ମାମଲାରେ ଗତ ବର୍ଷ ମାର୍ଚ୍ଚରେ ସି.ବି.ଆଇ. କୁପୱାଡାର ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ କାର୍ଯ୍ୟ କରିବା ସମୟରେ ହଜାର ହଜାର ଲାଇସେନ୍ସ ପ୍ରଦାନ କରିଥିବା ଆଇ.ଏ.ଏସ୍. ଅଧିକାରୀ କୁମାର ରାଜୀବ ରଂଜନ ଏବଂ ଇତ୍‌ରତ୍ ରାଫିକଙ୍କୁ ଗିରଫ କରିଥିଲା ।