ହରଭଙ୍ଗା ବ୍ଲକରେ ନିର୍ବାଚନୀ ଉଷ୍ମତା

0
352
ହରଭଙ୍ଗା ବ୍ଲକରେ ନିର୍ବାଚନୀ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୦/୦୨) : ହରଭଙ୍ଗା ବ୍ଲକରେ ନିର୍ବାଚନୀ ଉଷ୍ମତା ! ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଈଁ ବୌଦ୍ଧ ଜିଲ୍ଲାରେ ପ୍ରଚାର ଅଭିଯାନ ଶୀର୍ଷ ସୋପାନରେ ପହଞ୍ଚି ଥିବାବେଳେ ପଞ୍ଚାୟତ ସମିତି ସଭ୍ୟ ଅଧ୍ୟକ୍ଷ ପଦ ଏବେ ଠାରୁ ଆରମ୍ଭ ହେଇ ଗଲାଣି ବିଭିନ୍ନ ଦଳ ମଧ୍ୟରେ ଛକାପଞ୍ଝା ।

ମତଦାନ ନ ହେଉଣୁ ବିଭିନ୍ନ ଦଳ ଅଧ୍ୟକ୍ଷ ଆସନ ଦଖଲ ଉଦ୍ୟମ ଆରମ୍ଭ କରିଦେଲେଣି । କେଉଁ ଦଳ ଅଧ୍ୟକ୍ଷ ପଦର ମୁକୁଟ ପିନ୍ଧିବ ସେଥିନେଇ ହିସାବ କିତାବ ଓ କଳ୍ପନା ଜଳ୍ପନା ଚାଲିଛି । ହରଭଙ୍ଗା ବ୍ଲକରେ ନିର୍ବାଚନୀ ଉଷ୍ମତା ବଡିବାରେ ଲାଗୁଛି । ଏଭଳି ପୃଷ୍ଠଭୂମିରେ ପଞ୍ଚାୟତ ସମିତି ସଭ୍ୟ ପଦ ପାଈଁ ନିର୍ଦ୍ୱନ୍ଦରେ ନିର୍ବାଚିତ ଜଣେ ପ୍ରାର୍ଥୀ ହଠାତ ନିଖୋଜ ହେବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚା ର ବିଷୟ ହୋଇଛି ।

ନିଖୋଜ ପ୍ରାର୍ଥୀଙ୍କ ପରିବାର ଏ ସମ୍ପର୍କରେ ମୁହଁ ଖୋଲୁନଥିବା ଓ ଆଶଙ୍କା ମଧ୍ୟରେ ରହୁଥିବା ବେଳେ ଅଧ୍ୟକ୍ଷ ପଦ ପାଈଁ ସମର୍ଥନ ହାସଲ ଉଦ୍ଦେଶ୍ୟରେ ତାଙ୍କୁ ହଠାତ ଅପହରଣ କରାଯାଇଛି କିମ୍ବା ସେ ଜାଣିଶୁଣି ଅଜ୍ଞାତସ୍ଥାନରେ ଆତ୍ମଗୋପନ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତରେ ସମିତି ସଭ୍ୟ ପାଈଁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ସୁଶ୍ରୀ ରଶ୍ମିତା ମଲ୍ଲିକ । ଏହି ପଞ୍ଚାୟତ ରୁ ସମିତି ସଭ୍ୟ ପଦ ପାଈଁ ୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ତଫସିଲ ଭୁକ୍ତ ଜନଜାତି ର ମହିଳାଙ୍କ ପାଈଁ ସଂରକ୍ଷିତ ଏହି ଆସନ ପାଈଁ ରଶ୍ମିତା ମଲ୍ଲିକ, ବିଜୁଳି ମଲ୍ଲିକ, ରିତାରାଣୀ ନାୟକ ଓ ଲଷ୍ମୀ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଥିଲା । ଅନ୍ୟ ଜଣେ ପ୍ରାର୍ଥୀନୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେବା ଫଳରେ ରଶ୍ମିତା ମଲ୍ଲିକ । ନିର୍ବାଚିତ ହେଲେ ।

ମାତ୍ର ନିର୍ବାଚିତ ଘୋଷିତ ହେବା ପରେ ପରେ ତାଙ୍କର ପତ୍ତା ମିଳୁନାହିଁ । ସ୍ୱାମୀ ଓ ଏକମାତ୍ର ପୁତ୍ର ସହ ରଶ୍ମିତା କାହାକୁ କିଛି ନ ଜଣେଇ କେଉଁଆଡେ ଚାଲିଯାଇଛନ୍ତି କି କୌଣସି ରାଜନୈତିକ ଦଳ ଅପହରଣ କରିଛନ୍ତି ଏ ସମ୍ପର୍କରେ ତାଙ୍କର ଶାଶୁ ଭୂମିସୁତା ମଲ୍ଲିକ କିଛି କହି ପାରୁନାହାନ୍ତି । ତେଣୁ ରଶ୍ମିତାଙ୍କ ଅନୁପସ୍ଥିତି ନେଇ ବିଭିନ୍ନ ମହଲରେ ନାନା ଆଲୋଚନା ହେଉଛି । ଆସନ୍ତା ୨୦ ତାରିଖ ରେ ହରଭଙ୍ଗା ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଈଁ ଭୋଟ ଗ୍ରହଣ କରାଯିବ । ଏଭଳି ପୃଷ୍ଠଭୂମିରେ ସ୍ୱାମୀ ଓ ସନ୍ତାନଙ୍କ ସହ ସେ ଅନ୍ତର୍ଦ୍ଧାନ ହେବା ବିସ୍ମୟ ସୃଷ୍ଟି କରିଛି ।

ସୂଚନା ଯୋଗ୍ୟ ଯେ ହରଭଙ୍ଗା ବ୍ଲକରେ ୨୨ ଟି ସମିତି ସଭ୍ୟ ପଦ ରହିଛି । ସବୁ ପଦ ପାଈଁ ମୁଖ୍ୟତଃ କ୍ଷମତାସୀନ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେଉଛି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ର ସମର୍ଥିତ ସଂଖ୍ୟଧିକ ସମିତି ସଭ୍ୟ ନିର୍ବାଚିତ ହୋଇଥିଲେ ଓ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ଦଖଲ କରିଥିଲା । ସାମ୍ପ୍ରତିକ ନିର୍ବାଚନରେ ଭୋଟର ମାନେ କାହା ଆଡକୁ ଢଳୁଛନ୍ତି ତାହାକୁ ଉତ୍କଣ୍ଠା ର ସହ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପ୍ରତିକ୍ଷା କରୁଛନ୍ତି ।