ପ୍ରସବ କରାଇବା ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର : ଘରୁ ବାହାରିଲା କୋଟିଏ ୧୨ ଲକ୍ଷ ନଗଦ ଟଙ୍କା

0
143
ପ୍ରସବ କରାଇବା ପାଇଁ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୭/୦୨) : ପ୍ରସବ କରାଇବା ପାଇଁ ଲାଞ୍ଚ ନେଇ ଆଜି ଜଣେ ଡାକ୍ତର ଗିରଫ ହୋଇଛନ୍ତି । ଭିଜିଲାନ୍ସ ଯାଞ୍ଚ କରିବାରୁ ତାଙ୍କ ଘରୁ ୧ କୋଟି ୧୨ ଲକ୍ଷ ଟଙ୍କା ବାହାରିଛି । ଏହି ଡାକ୍ତରଙ୍କ ନାଁ ସୁକାନ୍ତ ଜେନା । ସେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ।

ସେ ପୁରୀ ଜିଲ୍ଲା ନିମାପଡ଼ା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ହୋଇଥିଲେ । ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଇବା ପାଇଁ ଜଣେ ପ୍ରସୂତୀଙ୍କ ସଂପର୍କୀୟ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଡାକ୍ତର ଜେନା ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ପରେ ଭୁବନେଶ୍ୱର ର ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା ବାହାରିଥିଲା ।

ନିକଟ ଅତୀତରେ ଏହା ଭିଜିଲାନ୍ସ ଦ୍ୱାରା ଜବତ ହୋଇଥିବା ସର୍ବାଧିକ ପରିମାଣ ର ନଗଦ । ଡାକ୍ତରଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଓ ଖାନତଲାସୀ କରାଯାଉଛି । ୨୦୨୨ ମସିହାରେ ରାଜ୍ୟ ଭିଜିଲାନ୍ସ ଦ୍ୱାରା ଏଯାବତ୍ ୩୧ ଟି ଆୟ ବର୍ହିଭୂତ ମାମଲା ରୁଜୁ କରାଯାଇ ସେଥିରେ ୨୩ ଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଏଥିରେ ୪ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ ରହିଛନ୍ତି ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି କଟକରେ ଅବସ୍ଥାପିତ ପୁଲିସ୍ କମ୍ୟୁନିକେସନ୍ ଏଏସ୍ପି ତ୍ରିନାଥ ମିଶ୍ରଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କର ୧୧ କୋଟି ରୁ ଅଧିକ ସମ୍ପତ୍ତି ଠାବ କରାଯାଇଥିବା ବେଳେ ସେଥିରୁ ୮ କୋଟି ର ଅଧିକ ଆୟ ବର୍ହିଭୂତ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।