ଜାତୀୟ ପରିବାର ମଙ୍ଗଳ ଯୋଜନା ର ସୁଫଳ ପାଇ ପାରୁନାହାଁନ୍ତି ଜନତା

0
123
ଜାତୀୟ ପରିବାର ମଙ୍ଗଳ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୭/୩) : ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବି. ସିଂହପୁର ଗ୍ରାମ ପଞ୍ଚାୟତର ପୋଡାପଦର ଗ୍ରାମ ନିବାସୀ ଧନୁ ଅମନାତ୍ୟ (ପିତା : ମଧୁ ଅମନାତ୍ୟ) ଙ୍କ ପୁତ୍ର ପବିତ୍ର ଅମନାତ୍ୟଙ୍କ ଅକାଳ ମୃତ୍ୟୁ ହେବା ପରେ ପବିତ୍ରଙ୍କ ସ୍ତ୍ରୀ ଡମାଇ ଅମନାତ୍ୟ ଜାତୀୟ ପରିବାର ମଙ୍ଗଳ ଯୋଜନା ମାଧ୍ୟମରେ ସହାୟତା ପାଇଁ ଗତ ୨୦୨୧ ମସିହା ମଇ ମାସରେ ଆବେଦନ କରିଥିଲେ । WhatsApp Image 2022 03 07 at 7.55.14 PM ଜାତୀୟ ପରିବାର ମଙ୍ଗଳ ଯୋଜନା ର ସୁଫଳ ପାଇ ପାରୁନାହାଁନ୍ତି ଜନତା

କିନ୍ତୁ ଏ ଯାଏଁ ତାଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନା ରୁ କିଛି ସହାୟତା ନ ମିଳିବାରୁ ୨ ଦିନ ପୂର୍ବେ ବ୍ଲକ କାର୍ଯ୍ୟାଳୟକୁ ଆସି ସଂପୃକ୍ତ ଅଧିକାରୀଙ୍କୁ ସାକ୍ଷାତ କରି ନ ପାରି ଫେରି ଯାଇଥିଲେ । ଆଜି ଦିନ ୧୧ ଘଣ୍ଟା ସମୟରେ ପୁଣି ଥରେ ଆସି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ନିଜ ଆବେଦନର ସ୍ଥିତି ଅନୁସନ୍ଧାନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସାମାଜିକ ସୁରକ୍ଷା ଅଧିକାରୀ ଅନୁପସ୍ଥିତ ଥିବାରୁ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ଠାରୁ ଆବେଦନ ର ସ୍ଥିତି ଜାଣିବାକୁ ଚାହିଁଥିଲେ ।

ମହିଳା କର୍ମଚାରୀ ଜଣକ ତାଙ୍କ ଆବେଦନକୁ ଅଣ-ବି.ପି.ଏଲ୍. ଶ୍ରେଣୀରେ ଅନ୍ତର୍ଭୁକ୍ତ କରି ରାଜସ୍ୱ ବିଭାଗ କୁ ପଠା ଯାଇଥିବା କଥା କହିଥିଲେ । କିନ୍ତୁ ଜଣେ ବି.ପି.ଏଲ୍. ହିତାଧିକାରୀ ହୋଇଥିବା ସତ୍ତ୍ୱେ ତାଙ୍କ ଆବେଦନକୁ ଅଣ-ବି.ପି.ଏଲ୍. ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ପଛରେ କଣ କାରଣ ଅଛି ଡମାଇ ବୁଝି ପାରି ନଥିଲେ ।

ଅପର ପକ୍ଷରେ ତହସିଲ କାର୍ଯ୍ୟାଳୟ ର ମୁଖ୍ୟ କିରାଣିଙ୍କ କହିବା ପ୍ରକାରେ ମଇ ୨୦୨୧ ରେ ବି. ସିଂହପୁର ରାଜସ୍ୱ ନିରୀକ୍ଷକଙ୍କୁ ଅନୁସନ୍ଧାନ ପାଇଁ ଚିଠି କରାଯାଇଛି, ରିପୋର୍ଟ ଆସିଲା ପରେ ଡମାଇଙ୍କ ଆବେଦନକୁ ଉପଜିଲ୍ଲାପାଳଙ୍କ ନିକଟକୁ ମଞ୍ଜୁରୀ ପାଇଁ ପଠାଯିବ । ପ୍ରକାଶ ଥାଉକି ଡମାଇଙ୍କ ମୃତ ସ୍ୱାମୀ ପବିତ୍ର ଅମନାତ୍ୟଙ୍କ ପିତା ଧନୁ ଅମନାତ୍ୟଙ୍କ ନାମ ୧୯୯୭ ମସିହାରେ କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରସ୍ତୁତ ବି. ସିଂହପୁର ପଞ୍ଚାୟତର ବି.ପି.ଏଲ. ରେଜି ଷ୍ଟରର ୬୩ ନଂ ପୃଷ୍ଠା ର କ୍ରମିକ ନଂ ୧୫ ରେ ଅଛି ତଥା ବ୍ଲକ୍ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା କମ୍ପ୍ୟୁଟର ରେ ମଧ୍ୟ ଏହି ତଥ୍ୟ ଉପଲବ୍ଧ ଅଛି ତଥା ଧନୁ ଅମନାତ୍ୟଙ୍କ ବି.ପି.ଏଲ୍.କ୍ରମାଙ୍କ ୨୫୧୬ ବୋଲି ସୂଚନା ମିଳିଛି ।

ପ୍ରକାଶ ଥାଉ କି ବି.ପି.ଏଲ. ସଂଖ୍ୟା ଏକ ପରିବାରକୁ ମିଳିଥିଲେ ସେହି ପରିବାରର ସମସ୍ତଙ୍କୁ ବିପିଏଲ୍ ହିସାବରେ ପରିଗଣିତ କରାଯାଏ । ପୂର୍ବରୁ ଏହି ନିୟମ ଅନୁସାରେ ଅନେକ ହିତାଧିକାରୀ ସରକାରୀ ଯୋଜନା ର ସୁଫଳ ପାଇ ଆସୁଥିବା ବେଳେ ଡମାଇଙ୍କ ଆବେଦନକୁ ଦୀର୍ଘ ୮ ମାସ ହେଲା ଗୋଟିଏ କାର୍ଯ୍ୟାଳୟ ରୁ ଅନ୍ୟ କାର୍ଯ୍ୟାଳୟ କୁ ପଠାଇବାର କାରଣ କେହି ବୁଝି ପାରୁ ନାହାଁନ୍ତି ।

ସେହିପରି ଆଉ ଜଣେ ହିତାଧିକାରୀ ମାଣିକ ପୁଜାରୀଙ୍କ କ୍ଷେତ୍ରରେ ମଧ୍ୟ ସେହି ସମସ୍ୟା ଦେଖା ଦେଇଛି । ଅବଶ୍ୟ ମାଣିକ ପୂଜାରୀଙ୍କ ଆୟ ସମ୍ପର୍କିତ ଅନୁସନ୍ଧାନ ରିପୋର୍ଟ ବି.ସିଂହପୁର ରାଜସ୍ୱ ନିରୀକ୍ଷକଙ୍କ ଠାରୁ ପାଇବା ପରେ ଗତ ୨୦୨୧ ଡିସେମ୍ବର ମାସରେ ଉପଜିଲ୍ଲାପାଳଙ୍କୁ ମଞ୍ଜୁରୀ ପାଇଁ ପଠାଇ ଦିଆ ଯାଇଛି । କିନ୍ତୁ ଏ ଯାଏଁ ମାଣିକ ତାଙ୍କ ସହାୟତା ରାଶି ପାଇ ନ ଥିବା ଗଣ ମାଧ୍ୟମରେ ଅଭିଯୋଗ କରିଛନ୍ତି ।

ଏବେ ଦେଖିବାକୁ ବାକି ରହିଲା ମିଳିବାକୁ ଥିବା କେନ୍ଦ୍ରୀୟ ସହାୟତା ରାଶିର କେତେ ପ୍ରତିଶତ ଗୋଟିଏ କାର୍ଯ୍ୟାଳୟରୁ ଅନ୍ୟ କାର୍ଯ୍ୟାଳୟକୁ ଦୌଡି ଦୌଡି ହିତାଧିକାରୀ ମାନେ ଖର୍ଚ୍ଚ କରୁଛନ୍ତି ଓ କେତେ ପ୍ରତିଶତ ବାସ୍ତବରେ ଉପଲବ୍ଧ ହୋଇପାରୁଛି ।

ଆବେଦନ କରିବାର ୧ ମାସ ମଧ୍ୟରେ ହିତାଧିକାରୀଙ୍କ ଆବେଦନ ମଞୁର କରିବା ପାଇଁ ଓଡିଶା ସରକାର ୨୦୧୨ ମସିହା ଡିସେମ୍ବର ୩ ତାରିଖରେ G.A. ନୋଟିଫିକେସନ ନଂ 29-GAD-AR-DRF-0181-2012/AR ମାଧ୍ୟମରେ ଓଡିଶା ଲୋକ ସେବା ଅଧିକାର ଆଇନ ପ୍ରଣୟନ କରିଛନ୍ତି । କିନ୍ତୁ ଆଇନ ର କୌଣସି ଧାରା ଉଲ୍ଲଙ୍ଘନ ନ କରି ମଧ୍ୟ ଆଇନକୁ କିପରି ଅମାନ୍ୟ କରାଯାଇ ପାରେ, ଡମାଇ ଅମନାତ୍ୟ ଓ ମାଣିକ ପୂଜାରୀଙ୍କ ଆବେଦନ ର ସ୍ଥିତି ତାହାର ଏକ ଜ୍ୱଳନ୍ତ ଉଦାହରଣ ।

ସମ୍ଭବତଃ ରାଜ୍ୟ ଓ କେନ୍ଦ୍ରରେ ଭିନ୍ନ ଭିନ୍ନ ସରକାର ଥିବାରୁ ଏପରି ହୋଇଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । ଏ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।