ବୋମା ଓ ଗୁଳି ମାଡ଼ରେ ପୁଣି ଥରିଲା ବ୍ରହ୍ମଗିରି : ପୂର୍ବ ଶତ୍ରୁତାକୁ ନେଇ ଦଣ୍ଡୁଆସିପଡ଼ାରେ ଗୋଷ୍ଠୀ ସଂଘର୍ଷ

0
140
ବୋମା ଓ ଗୁଳି

ରିପୋର୍ଟ : ଶ୍ୟାମଳେନ୍ଦୁ ପରିଡ଼ା
ବ୍ରହ୍ମଗିରି, (୨୦/୦୩) : ପୁଣି ତୁହାକୁ ତୁହା ବୋମାମାଡ଼ । ହୋଲିରେ ଅଶାନ୍ତ ହୋଇ ଉଠିଛି ବ୍ରହ୍ମଗିରି । ପୂର୍ବ ବିବାଦ ଓ ରାଜନୈତିକ ଶତ୍ରୁତାକୁ ନେଇ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଦଣ୍ଡୁଆସିପଡ଼ା ଗାଁରେ ଆଜି ସନ୍ଧ୍ୟାରେ ଘନ ଘନ ବୋମା ଓ ଗୁଳି ମାଡ଼ ହୋଇଛି ।

ଗୋଷ୍ଠୀ ସଂଘର୍ଷରେ ୪୦ ରୁ ଅଧିକ ବୋମା ମାଡ଼ ଓ ୧୦ ରାଉଣ୍ଡରୁ ଅଧିକ ଗୁଳି ଫୁଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗୋଟିଏ ଗୋଷ୍ଠୀ ର ଦୁଇ ଯୁବକ ପାଖ ଦୋକାନକୁ ଚିକେନ କିଣି ଫେରିବା ବେଳେ ଅନ୍ୟ ଗୋଷ୍ଠୀ ର ଲୋକେ ବୋମା ଓ ଗୁଳି ମାଡ଼ କରିଥିଲେ । ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇଁ ପୁରୀ ସଦର ଏସଡିପିଓ ପୁଲିସ ଫୋର୍ସ ସହ ଗାଁ ରେ ପହଞ୍ଚି ତଦନ୍ତ ଚଲାଇଛନ୍ତି । ସେପଟେ ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇପଡିଥିବା ସୂଚନା ମିଳିଛି ।

ପୂର୍ବରୁ ଫେବୃୟାରୀ ୧୦ ତାରିଖରେ ପଞ୍ଚାୟତ ନିର୍ବାଚନକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇ ୮ ଜଣ ଆହତ ହୋଇଥିଲେ । ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଫେବୃୟାରୀ ୧୮ ରେ ନିର୍ବାଚନ ସରିବା ପରେ ୬ ଜଣ ଜାମିନ ପାଇ ଜେଲରୁ ମୁକୁଳିଥିଲେ । ହେଲେ ଫେବୃୟାରୀ ୧୯ ରେ ପୁଣି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ପୁଲିସ ଗାଁ ରେ ଚଢାଉ କରି ୨୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।