୧୦ ଟଙ୍କା ଦିଅ, ଭୋଟ୍ ଦିଅ : ଜାଣନ୍ତୁ କାହିଁକି ଏମିତି ଭୋଟ ଭିକ୍ଷା କରୁଛନ୍ତି ମେୟର ପ୍ରାର୍ଥିନୀ

0
131
୧୦ ଟଙ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୦୩) : ୧୦ ଟଙ୍କା ଦିଅନ୍ତୁ ଏବଂ ଡଙ୍ଗା ଚିହ୍ନରେ ଭୋଟ ଦିଅନ୍ତୁ । ଦୁର୍ନୀତି ମୁକ୍ତ ଭୁବନେଶ୍ୱର ଗଢିବା ପାଇଁ ରାଜଶ୍ରୀ ବିଶ୍ୱାଳଙ୍କୁ ଭୋଟ ଦିଅନ୍ତୁ । ଏଭଳି ପ୍ରଚାର ସମସ୍ତଙ୍କୁ ବିସ୍ମୟ କରୁଥିବ ନିଶ୍ଚୟ ।

କାରଣ ପ୍ରଚାରରେ ଯେତେବେଳେ ଲକ୍ଷ ଲକ୍ଷ ଟଙ୍କା ଉଡୁଛି, ସେତେବେଳେ ଲୋକଙ୍କଠୁ ଅର୍ଥ ନେଇ ନିର୍ବାଚନ ଲଢିବା ନିଶ୍ଚିତ ଭାବରେ ଏହା ଏକ ଆଶ୍ଚର୍ଯ୍ୟ ର କଥା । ୧୦ ଟଙ୍କା ଦିଅ, ଭୋଟ୍ ଦିଅ ଭଳି ନିଆରା ପ୍ରଚାର ଦେଖିବାକୁ ମିଳିଛି ଭୁବନେଶ୍ୱର ର ମେୟର ପ୍ରାର୍ଥିନୀ ରାଜଶ୍ରୀ ବିଶ୍ୱାଳଙ୍କ ଠାରେ । ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଥିବା ବେଳେ କିଛି ବନ୍ଧୁ ଓ ଉଦାର ବ୍ୟକ୍ତିଙ୍କ ସହାଯ୍ୟ ସହଯୋଗରେ ନିର୍ବାଚନକୁ ଓହ୍ଲାଇଛନ୍ତି ରାଜଶ୍ରୀ ।

ରାଜଶ୍ରୀଙ୍କ କହିବା ଅନୁସାରେ, ଦେଶରେ କାୟା ମେଲାଉଥିବା ଭ୍ରଷ୍ଟାଚାର ଓ ଦୁର୍ନୀତିର ମଞ୍ଜି ହେଉଛି ଭ୍ରଷ୍ଟ ନିର୍ବାଚନ । ବର୍ତ୍ତମାନ ନିର୍ବାଚନରେ ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସେମାନେ ଜିତିବା ପରେ ସୁଧମୂଳ କରି ଲୋକଙ୍କ ପାଇଁ ଉଦିଷ୍ଟ ଟଙ୍କାରୁ ଉଠାଇ ନେଉଛନ୍ତି । ତେଣୁ ଆମେ ଚାହୁଁଛି ନିର୍ବାଚନରେ ଚାଲିଥିବା ଏହି ପ୍ରଥାର ମୂଳପୋଛ ହେଉ । ଯେଉଁଥି ପାଇଁ ଆମେ ଏହିଭଳି ଭାବରେ ପ୍ରଚାର କରୁଛୁ । ଆଉ ୧୦ ଟଙ୍କାଠୁ ଆରମ୍ଭ କରି ଯିଏ ଯାହା ଦେଲା ତାହା ଲୋକଙ୍କଠୁ ସଂଗ୍ରହ କରି ନିର୍ବାଚନ ଲଢୁଛୁ ବୋଲି ରାଜଶ୍ରୀ କହିଛନ୍ତି ।

ରାଜଶ୍ରୀ ବିଶ୍ୱାଳଙ୍କ ମତରେ ନିର୍ବାଚନ ଜିତିବା ତାଙ୍କ ପାଇଁ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ । ବଂର ଦେଶ ର ନିର୍ବାଚନ ଅଳ୍ପ ଖର୍ଚ୍ଚରେ ହେଉ । ଅସଦ୍ ଉପାୟରେ କୋଟିପତିଙ୍କ ଠାରୁ ଟଙ୍କା ସଂଗ୍ରହ ନ କରି ଲୋକଙ୍କ ଠାରୁ ଆବଶ୍ୟକ ପାଣ୍ଠି ସଂଗ୍ରହ କରି ନିର୍ବାଚନ ଲଢି ହେବ । ଏହି ବିଶ୍ୱାସ ନେଇ ସେ ଅଣ୍ଟା ଭିଡିଛନ୍ତି । ଏହାଦ୍ୱାରା ରାଜନୀତି ର ରଙ୍ଗ ଓ ଚରିତ୍ର ବଦଳିଯିବ ବୋଲି ସେ ଓ ତାଙ୍କ ସମର୍ଥକ ଦୃଢ ଆଶାବାଦୀ ଅଛନ୍ତି ।

ତେବେ ପୌର ନିର୍ବାଚନ ପାଇଁ ଭୁବନେଶ୍ୱରରେ ତିନି ପ୍ରମୁଖ ଦଳ ର ମେୟର ପ୍ରାର୍ଥୀ ଜୋରଦାର ପ୍ରଚାର କରି ଲୋକଙ୍କ ନିକଟତର ହେବାକୁ ଚାହୁଁଥିବା ବେଳେ । ନିଆରା ଢଙ୍ଗରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ନିର୍ବାଚନରେ ନୂଆଁ ଏକ ଧାରା ସୃଷ୍ଟି କରିବା ପାଇଁ ଅଣ୍ଟା ଭିଡିଛନ୍ତି ମେୟର ପ୍ରାର୍ଥୀ ରାଜଶ୍ରୀ ବିଶ୍ୱାଳ ।