ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ ଫାଇନାଲ : ଭାରତର ଜିଏସ୍‌ ଲକ୍ଷ୍ମୀଙ୍କୁ ମିଳିଲା ମ୍ୟାଚ୍‌ ରେଫରି ଦାୟିତ୍ୱ

0
142
ଆଇସିସି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖ୍ରୀଷ୍ଟଚର୍ଚ୍ଚ/ନ୍ୟୁଜିଲାଣ୍ଡ, (୦୨/୦୪) : ଭାରତ ର ଜିଏସ ଲକ୍ଷ୍ମୀ ଚଳିତ ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ମ୍ୟାଚ ରେଫରି ନିଯୁକ୍ତ ହୋଇଛନ୍ତି ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ ଆଇସିସି ଇଣ୍ଟରନ୍ୟାସନାଲ ପ୍ୟାନେଲ ଅଫ ମ୍ୟାଚ ରେଫରି ତାଲିକା ର ପ୍ରଥମ ମହିଳା ଭାବେ ବିଶ୍ୱକପ ଫାଇନାଲରେ ଏହି ଦାୟିତ୍ୱ ସମ୍ପାଦନ କରିବା ସୁଯୋଗ ପାଇଛନ୍ତି । ସୂଚନା ଯୋଗ୍ୟ ଯେ, ଜିଏସ ଲକ୍ଷ୍ମୀ ମଧ୍ୟ ପ୍ରଥମ ମହିଳା ମ୍ୟାଚ ରେଫରି ଭାବେ ପୁରୁଷ ଦିନିକିଆ ମ୍ୟାଚରେ ଏହି ଦାୟିତ୍ୱ ସମ୍ପାଦନ କରିଛନ୍ତି । ୟୁନେଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ୨୦୨୦ ବିଶ୍ୱକପ ଲିଗ ୨ଟି ମ୍ୟାଚ ରେଫରି ଥିଲେ ।

ଅନ୍ୟତମ ଉଲ୍ଲେଖନୀୟ ବିଷୟ ହେଲା ଯେ ଆସନ୍ତା ରବିବାର ଦିନ ଖ୍ରୀଷ୍ଟଚର୍ଚ୍ଚ ର ହେଗଲେ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ଆଇସିସି ମହିଳା ଦିନିକିଆ କ୍ରିକେଟ ଫାଇନାଲ ମ୍ୟାଚ ପରିଚାଳନା ପାଇଁ ୪ ମହିଳା ମ୍ୟାଚ ଅଫିସିଆଲ ନିଯୁକ୍ତ ହୋଇଛନ୍ତି । କ୍ରିକେଟ ଇତିହାସରେ ଏହା ହେଉଛି ପ୍ରଥମ ଦୃଷ୍ଟାନ୍ତ । ଦକ୍ଷିଣ ଆଫ୍ରିକାର ଲାଉରେନ ଆଗେନବାଗ ଓ ନ୍ୟୁଜିଲାଣ୍ଡର କିମ କଟ୍ଟନ ଫାଇନାଲ ମ୍ୟାଚ ପାଇଁ ଫିଲ୍ଡ ଅମ୍ପାୟର ନିଯୁକ୍ତ ହୋଇଥିବା ବେଳେ ୱେଷ୍ଟଇଣ୍ଡିଜର ଜାକ୍ୟୁଲାଇନ ୱିଲିୟମସ ଟିଭି ଅମ୍ପାୟର ଭାବେ ଦାୟିତ୍ୱ ତୁଲାଇବେ ।

ଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ । ସୂଚନା ଯୋଗ୍ୟ ଯେ ୨୦୨୦ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଟି- ୨୦ ମହିଳା ବିଶ୍ୱକପ ଫାଇନାଲ ମ୍ୟାଚରେ କଟ୍ଟନ ଏକ ମାତ୍ର ମହିଳା ମ୍ୟାଚ ଅଫିସିଆଲ ଭାବେ ଦାୟିତ୍ୱ ତୁଲାଇ ଥିଲେ ।