ପେଟିଏମ୍‌ ଓ ରେଳ ବିଭାଗ ଆଣିଲେ ଖୁସି ଖବର : ଏଣିକି ଆଗ ଟିକେଟ୍‌, ପରେ ଦେବେ ଟଙ୍କା

0
261
ପେଟିଏମ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୪/୦୪) : ରେଳଯାତ୍ରୀଙ୍କ ପାଇଁ ପେଟିଏମ୍‌ ଓ ରେଳ ବିଭାଗ ଆଣିଲେ ଖୁସି ଖବର । ଏଣିକି ଆଗ ଟିକେଟ୍‌, ପରେ ଅର୍ଥ ପୈଠ । ଏଣିକି ରେଳଯାତ୍ରା କଲେ ପ୍ରଥମେ ଟିକେଟ୍‌ ବୁକ୍‌ କରି ପରେ ଟଙ୍କା ଦେଇପାରିବେ ଯାତ୍ରୀ ।

ପୂର୍ବରୁ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିବାକୁ ହେଲେ, ପ୍ରଥମେ ଟଙ୍କା ପୈଠ କରିବାକୁ ପଡ଼ୁଥିଲା । ହେଲେ ଏବେ କିନ୍ତୁ ପ୍ରଥମେ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରି ପରେ ସେଥିପାଇଁ ଅର୍ଥ ପୈଠ କରି ହେବ । ପେଟିଏମର ମୂଳ କମ୍ପାନୀ ୱାନ୍‌ ୧୭ କମ୍ୟୁନିକେସନ୍ସ ଲିମିଟେଡ୍‌ ପକ୍ଷରୁ କୁହାଯାଇଛି ଯେ, ଏହାର ସହଯୋଗୀ କମ୍ପାନୀ ପେଟିଏମ୍‌ ପେମେଂଟସ ସର୍ଭିସେସ୍‌ ଲିମିଟେଡ୍‌, ଆଇଆରସିଟିସି ଗ୍ରାହକଙ୍କ ପାଇଁ ପେଟିଏମ୍‌ ପୋଷ୍ଟପେଡ୍‌ ପ୍ରଚଳନ କରିଛି ।

ଏଥିରେ ‘ବୁକ୍‌ ନାଓ, ପେ ଲେଟର‘ ସୁବିଧା ଟିକେଟ୍‌ ବୁକିଂ ନିମନ୍ତେ ରହିଛି । ଆଇଆରସିଟିସି ସହିତ ମିଶି ପ୍ରଚଳନ କରାଯାଇଥିବା ଏହି ଯୋଜନାରେ ପେଟିଏମ୍‌ ବ୍ୟବହାରକାରୀ ଗୋଟିଏ କ୍ଲିକରେ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିପାରିବେ । ପେଟିଏମ୍‌ ପୋଷ୍ଟପେଡ୍‌ ବ୍ୟବସ୍ଥା ଏହାର ଗ୍ରାହକଙ୍କୁ ୬୦ ହଜାର ଟଙ୍କା ବିନା ସୁଧରେ ଋଣ, ୩୦ ଦିନ ପାଇଁ ଯୋଗାଇ ଦେଉଛି ।

ଏହାସହ ପେଟିଏମ ବ୍ୟବହାରକାରୀଙ୍କୁ ସେମାନେ ମାସକ ମଧ୍ୟରେ ଖର୍ଚ୍ଚ କରିଥିବା ସମସ୍ତ ଖର୍ଚ୍ଚ ର ହିସାବ ମାସ ଶେଷରେ ଗୋଟିଏ ବିଲରେ ପ୍ରଦାନ କରାଯାଉଛି । ଫଳରେ ବ୍ୟବହାରକାରୀ ଉକ୍ତ ଅର୍ଥ ଥରକରେ ପୈଠ କରିପାରିବେ ଅଥବା ସେମାନଙ୍କୁ ସୁବିଧା ହେଲା ଭଳି ମାସିକ କିସ୍ତିରେ ଦେଇପାରିବେ । ତେବେ ବର୍ତ୍ତମାନ ସମୟରେ ‘ବାଏ ନାଓ, ପେ ଲେଟର’ ଯୋଜନା ର ଗ୍ରାହକଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହେଉଛି ।