କାଳିଆ ଲୀଳା : ଯୁଗେଯୁଗେ ମନେ ରହିବେ ଦାସିଆ ବାଉରୀ

0
176
କାଳିଆ ଲୀଳା

ରିପୋର୍ଟ : ସୁଭାସିସ ନାୟକ
ପୁରୀ, (୨୪/୦୪) : ମହାପ୍ରଭୁ କାଳିଆ ଲୀଳା ସୁଦୂର ପ୍ରସାରି । ମହାପ୍ରଭୁ ଜଗନ୍ନାଥ ଭକ୍ତ ଡୋରିରେ ସବୁବେଳେ ବନ୍ଧା । କେବେ ସେ ଗୀତ ଗୋବିନ୍ଦ ଶୁଣିବା ପାଇଁ ବାଇଗଣ କିଆରୀରେ ଧାଇଁଥିଲେ ତ କେବେ ଭକ୍ତ ପାଇଁ ରଥ ଛାଡ଼ି ବାଲିରଥରେ ବିରାଜମାନ କରିଥିଲେ ।

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ଦେବତା । ଠାକୁର କିଭଳି ଭକ୍ତ ର ଭାବନା ସହ ଜଡ଼ିତ ହୋଇ କାଳିଆ ଲୀଳା କରିଛନ୍ତି ତାହାର ଅନେକ ନଜିର ଆମେ ଶୁଣିଛେ । ଏଇ ଯେମିତି ଦାସିଆ ବାଉରୀ ର ନଡ଼ିଆ ଜଗା ହାତ ବଢେ଼ଇ ନେଇଯାଇଥିଲା ।

ଆଷାଢ଼ ମାସରେ ପ୍ରଭୁଙ୍କର ଗୁଣ୍ଡିଚା ଯାତ ହୁଏ । ବଡ଼ଦାଣ୍ଡରେ କାଳିଆ ର ଦର୍ଶନ ପାଇଁ ପିଲାଠୁ ବୁଢ଼ା ଯାଏଁ ଚାଲିଚାଲି ବି ଶ୍ରୀକ୍ଷେତ୍ର ଚାଲିଆସନ୍ତି । ଏମିତି ଏକ ରଥଯାତ୍ରା ସମୟରେ ଜଗା ଦର୍ଶନ ପାଇଁ ବାହାରିଥିଲେ ଦାସିଆ ବାଉରୀ । ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦାସିଆଙ୍କ ହୃଦୟ ଜଗାମୟ ହୋଇଯାଇଥିଲା । ଶୟନେ, ସପନେ, ଜାଗରଣେ ତାଙ୍କୁ କେବଳ କାଳିଆ ଠାକୁର ହିଁ ଦୃଶ୍ୟମାନ ହେଉଥିଲେ । ରଥଯାତ୍ରା ଦେଖି ଘରକୁ ଫେରିବା ପରେ ସେ ଜଗନ୍ନାଥଙ୍କ ଚେତନାରେ ପାଗଳ ପ୍ରାୟ ହୋଇଯାଇଥିଲେ । କେହି ତାଙ୍କୁ ଗୁଣି କରିଦେଇଛନ୍ତି ବୋଲି ଭାବି ତାଙ୍କ ସ୍ତ୍ରୀ ପ୍ରମାଦ ଗଣିବାରେ ଲାଗିଲେ ।

ସେହି ସମୟରେ ଶ୍ରୀମନ୍ଦିରକୁ ଛୋଟ ଜାତିର ଲୋକମାନଙ୍କୁ ପ୍ରବେଶ ଅନୁମତି ନଥିଲା । ଦିନେ ରାତିରେ ଦାସିଆଙ୍କ ସ୍ୱପ୍ନରେ ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ଉଭା ହେଲେ । କହିଲେ, ଦାସିଆ ତୋର ଭକ୍ତି ଭାବନାରେ ମୁଁ ପ୍ରସନ୍ନ । ମୋତେ କ’ଣ ବର ମାଗୁଛୁ ମାଗ । ଦାସିଆ ପ୍ରଥମ ବରରେ ମାଗିଥିଲେ, ପ୍ରଭୁ ଆପଣ ଯେମିତି ମୋ ସ୍ୱପ୍ନରେ ଦେଖା ଦେଇଥିଲେ ତାହା ଯେଭଳି ମୋର ମରିବା ଯାଏଁ ସ୍ମରଣ ରହିବ ।

ଦ୍ୱିତୀୟ ବରରେ ଦାସିଆ କହିଥିଲେ, ପ୍ରଭୁ ଆମ ଭଳି ଛୋଟ ଜାତି ଲୋକମାନଙ୍କୁ ବଡ଼ଦେଉଳ ମନା । ଆମେ କେମିତି ଆପଣଙ୍କ ପୂଜାର୍ଚ୍ଚନା କରିବୁ ? କାଳିଆ ଠାକୁର କହିଲେ, ତୁମେ ସିନା ବଡ଼ଦେଉଳ ଆସିପାରିବନି, ହେଲେ ତମ ଦେହ ଦେଉଳରେ ମୁଁ ବିରାଜମାନ କରିବି । ମୁଁ ଏମିତି ଏକ ଲୀଳା ରଚିବି, ଦେଖିବୁ ବଡ଼ଦେଉଳକୁ ତୁମେ ସମସ୍ତେ ପ୍ରବେଶ କରିପାରିବ । ତୁ ଯେତେବେଳେ ମୋତେ ଯାହା ନୈବେଦ୍ୟ ପଠାଇବୁ, ମୁଁ ତାହାକୁ ନିଜ ହାତରେ ଗ୍ରହଣ କରିବି ।

ସ୍ୱପ୍ନରେ ଏକଥା ଶୁଣିବା ପରେ ହଠାତ ଦାସିଆଙ୍କ ନିଦ ଭାଙ୍ଗିଗଲା । ସେ ପ୍ରଥମେ ବିଶ୍ୱାସ କରିପାରିଲେନି । ସତରେ କ’ଣ ପ୍ରଭୁ ଜଗନ୍ନାଥ ମୋ ସ୍ୱପ୍ନରେ ଆସିଥିଲେ ? ନା ମୋ ଚେତନ ଓ ଅବଚେତନ ମନରେ ସବୁବେଳେ ଜଗନ୍ନାଥଙ୍କୁ ସ୍ମରଣ କରୁଥିବାରୁ ଏଭଳି ଏକ ଭ୍ରମ ସୃଷ୍ଟିହୋଇଛି, ଏମିତି ଭାବନାର ଦୋଛକି ଭିତରେ ପଡ଼ିଗଲେ ଦାସିଆ ।

ଏମିତି କିଛି ଦିନ ପରେ ଖଣ୍ଡେ ଗାମୁଛା ବୁଣି ଦାସିଆ ବିକ୍ରି କରିବାକୁ ଯାଇଥିଲେ । ବେଦାନ୍ତୀ ବ୍ରାହ୍ମଣ ସନାତନ ମିଶ୍ର ଗାମୁଛା ପାଇଁ ବରାଦ ଦେଇଥିଲେ । ତାଙ୍କରି ଦୁଆରକୁ ଗାମୁଛା ଦେବାକୁ ଯାଇଥିବା ବେଳେ ଗୋଟିଏ ଛୋଟିଆ ନଡ଼ିଆଗଛ ଦେଖିବାକୁ ପାଇଥିଲେ ଦାସିଆ । ସେଇ ଗଛରେ ଥିଲା ମାତ୍ର ଗୋଟିଏ ନଡ଼ିଆ । ସେଇ ନଡ଼ିଆକୁ ନେବାପାଇଁ ଦାସିଆ ଇଚ୍ଛା କରିବାରୁ ଗାମୁଛା ପାଉଣା ବାବଦରେ ବ୍ରାହ୍ମଣ ଜଣଙ୍କ ତାଙ୍କୁ ନଡ଼ିଆଟି ଦେଇଥିଲେ ।

ନଡ଼ିଆଟି ପାଇବା ପରେ ଖୁସି ମନରେ ଦାସିଆ ଘରକୁ ଚାଲିଚାଲି ଆସୁଥିବାବେଳେ ବାଟରେ ଅନେକ ବ୍ରାହ୍ମଣ ଜଗନ୍ନାଥ ଧାମ ଯାଉଥିବା ଜାଣିବାକୁ ପାଇଲେ । ମନେପଡ଼ିଗଲା ମହାପ୍ରଭୁଙ୍କ ସ୍ୱପ୍ନର କଥା । ଜଗାଙ୍କ ପାଇଁ ମନରେ ଢେ଼ର ବିଶ୍ୱାସ ଥିଲେବି ଏଇଠି ସ୍ୱପ୍ନର ସତ୍ୟତା ପରୀକ୍ଷା କରିବାକୁ ଚାହିଁଲେ ଦାସିଆ । ବ୍ରାହ୍ମଣମାନଙ୍କୁ ଦାସିଆ କହିଲେ, ଆମେ ତ ଶ୍ରୀମନ୍ଦିର ଯାଇପାରିବୁନି ।

ଆପଣମାନେ ଏଇ ନଡ଼ିଆଟିକୁ ନେଇ ଜଗନ୍ନାଥଙ୍କୁ ଅର୍ପଣ କରିବେ, କହିବେ ବାଲୁଗାଁ ଦାସିଆ ପଠେଇଛି । ଯଦି ଜଗନ୍ନାଥ ହାତ ବଢେ଼ଇ ଏହି ନଡ଼ିଆଟିକୁ ଗ୍ରହଣ ନକରନ୍ତି ତାହେଲେ ତାହାକୁ ଫେରାଇ ଆଣିବେ । ଏକଥା ଶୁଣି ବ୍ରାହ୍ମଣମାନେ ପାଗଳ ଭାବି ହସିବାରେ ଲାଗିଲେ । ତେବେ ଦାସିଆ କାକୁତି ମିନତି ହେବାରୁ ତାଙ୍କ ଠାରୁ ନଡ଼ିଆଟି ନେଇ ବ୍ରାହ୍ମଣମାନେ ଶ୍ରୀକ୍ଷେତ୍ର ଚାଲିଲେ ।

ବଡ଼ଦେଉଳରେ ନିଜ ନିଜର ନୈବେଦ୍ୟ ବଢ଼ାଇ ସାରିବା ପରେ ବ୍ରାହ୍ମଣମାନେ କହିଲେ, ହେ କାଳିଆ ଠାକୁର ଆପଣଙ୍କ ଭକ୍ତ ବାଲୁଗାଁ ଦାସିଆ ଏହି ନଡ଼ିଆ ପଠେଇଛି । ଏହାକୁ ଆପଣ ଯଦି ନନେବେ ଆମେ ଫେରାଇ ନେବୁ । ହଠାତ ଏକ ଅଲୌକିକ ଘଟଣା ଘଟିଲା । ରତ୍ନ ସିଂହାସନରୁ ଏକ ବିଶାଳ ହାତ ଲମ୍ବି ଆସି ବ୍ରାହ୍ମଣଙ୍କ ହାତରୁ ସେହି ନଡ଼ିଆଟି ନେଇଗଲା । ଯାହାକୁ ଦେଖି ସ୍ତମ୍ଭୀଭୂତ ହୋଇଗଲେ ବିପ୍ରମାନେ ।

ସେବେ ଠାରୁ ଦାସିଆ ବାଉରୀଙ୍କ ଭକ୍ତି ଭାବର ଯଶ ଚାରିଆଡେ଼ ବ୍ୟାପି ଯାଇଛି । ଏହାପରେ ଶ୍ରୀମନ୍ଦିର ପାଇଁ ଆଉ ଜାତି ଅଜାତିର ବାରଣ ରହିଲା ନାହିଁ । ଏବେ ବି ଦାସିଆ ର ଗାଁ ପବିତ୍ର ପୀଠ ଭାବେ ପରିଗଣିତ ହେଉଛି ।