ମାଟ୍ରିକ ପରୀକ୍ଷା ସରିବା ଖୁସିରେ ପରୀକ୍ଷା କେନ୍ଦ୍ରରୁ ବାହାରି ଡିଜେ ବଜାଇ ନାଚିଲେ

0
139
ମାଟ୍ରିକ ପରୀକ୍ଷା ସରିବା

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, ବ୍ରହ୍ମପୁର, (୦୭/୦୫) : ମାଟ୍ରିକ ପରୀକ୍ଷା ସରିବା ଖୁସିରେ ପରୀକ୍ଷା କେନ୍ଦ୍ରରୁ ବାହାରି ଡିଜେ ବଜାଇ ନାଚିଲେ । ବଲମ ଫିତା ବଲମ ଫିତା…, ଦେ ଟିକେ ଦାରୁ ଦେ.., ମୁନ୍ନି ବଦନାମ ହୁଇ.. ଏମତି କେତେ କ’ଣ ଗୀତରେ କମ୍ପିଲା ସ୍କୁଲ ଠାରୁ ଗାଁ ଭିତର ।

ପରୀକ୍ଷା କେନ୍ଦ୍ରରୁ ବାହାରି ଛାତ୍ରମାନେ ମତୁଆଲା ହୋଇ ଡିଜେ ର ତାଳେତାଳେ ନାଚିଲେ । ସ୍କୁଲ ଗେଟରୁ ବାହାରି ଏହି ଡିଜେ ନାଚ ର ଶୋଭାଯାତ୍ରା ପୂରା ଗାଁ ବୁଲିଥିଲା । ମାଟ୍ରିକ ପରୀକ୍ଷା ସରିବା ଖୁସିରେ ସ୍କୁଲ ଛାତ୍ରମାନଙ୍କ ଏଭଳି ଉଦଣ୍ଡ ନୃତ୍ୟ ଆଜି ସାଧାରଣରେ ଉଦବେଗ ର ବିଷୟ ହୋଇଛି । ଏହି ଭିଡ଼ିଓ ହେଉଛି ଗଞ୍ଜାମ ଦିଗପହଣ୍ଡି ବ୍ଲକ ବୋମକାଇ ଗ୍ରାମ ର । ଗ୍ରାମରେ ଥିବା ଶିବାନନ୍ଦ ହାଇସ୍କୁଲ ର ଛାତ୍ରମାନେ ଏଠାରେ ପରୀକ୍ଷା ଦେଇ ବାହାରିବା ପରେ ହିଁ ନାଚଗୀତରେ ମତୁଆଲ ହୋଇଥିଲେ ।

ଯାହା କେବେ ଦିଖିବାକୁ ମିଳୁ ନ ଥିଲା ତାହା ଏବେ ଦେଖିବାକୁ ମିଳିଛି । ତେଣେ ଅନେକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ସିଧାସଳଖ ସମୁଦ୍ରରେ ପହଞ୍ଚି ବିପଦ ସଙ୍କୁଳ ସମୁଦ୍ର ସ୍ନାନର ମଜ୍ଜା ମଧ୍ୟ ଉଠାଇଛନ୍ତି । ଆଜି ଏହି ଭିଡ଼ିଓ ଭାଇରାଲ ହେବା ପରେ ଛାତ୍ରମାନଙ୍କ ଶିକ୍ଷା ଗ୍ରହଣ ତରିକା ଓ ତାଙ୍କ ଉଜ୍ୱଳ ଭବିଷ୍ୟ ଉପରେ ଅଲୋଚନା ଆରମ୍ଭ ହୋଇଛି । ସ୍କୁଲରେ ଶିକ୍ଷକମାନେ ତାଙ୍କୁ କିପରି ନୀତି ଶିକ୍ଷା ଦେଉଥିଲେ ତାହା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଖବର ମୁତାବକ, ଆଜି ବୋମକାଇ ଗ୍ରାମ ଶିବାନନ୍ଦ ହାଇ ସ୍କୁଲ ନିକଟରେ ପୂର୍ବ ପ୍ରସ୍ତୁତି ମୁତାବକ ପରୀକ୍ଷା ସରିବା କ୍ଷଣି ସ୍କୁଲ ନିକଟରେ ଡିଜେ ପହଞ୍ଚି ଯାଇଥିଲା । ବାସ୍ ପରୀକ୍ଷା ହଲରୁ ବାହାରିବା ମାତ୍ରେ ଛାତ୍ରମାନେ ଆରମ୍ଭ କରିଦେଇଥିଲେ ଡ୍ୟାନ୍ସ । ପିଲା ମାନେ ଡ୍ୟାନ୍ସ ଆରମ୍ଭ କରିବା ଦେଖି ଲୋକେ ବି ଆଚମ୍ବିତ ହୋଇଯାଇଥିଲେ ।

ମୁଖ୍ୟ ରାସ୍ତାରେ ପିଲା ମାନେ ୟୁନିଫର୍ମ ବାହାର କରି ବଲମ ପିତା ଗୀତରେ ଧୂଳିଉଡା ଡ୍ୟାନ୍ସ କରିଥିଲେ । ତାମିଲ, ତେଲୁଗୁ ଏବଂ ଓଡ଼ିଆ, ସମ୍ବଲପୁରୀ, ହିନ୍ଦି ପ୍ରଭୃତି ନୂଆ ଓ ପୂରୁଣା ଗୋଟିଏ ପରେ ଗୋଟିଏ ଗୀତି ବାଜିଥିଲା । ଗୀତ ର ତାଳେତାଳେ ଅନେକ ଛାତ୍ର ନିଜ ସାଟ୍ ଫୋପାଡ଼ି ଏହାରି ଉପରେ ନାଚି ଥିଲେ । ଏହି ସାଟକୁ ମଧ୍ୟ ଆଉ ପରବର୍ତ୍ତି ସମୟରେ ଉଠାଇ ନ ଥିଲେ ।

ସ୍କୁଲ ପୋଷାକ ଉପରେ ନାଚି ଏହାର ଅପମାନ କରିବାକୁ ମଧ୍ୟ କେହି ପଛଘୁଞ୍ଚା ଦେଇ ନ ଥିଲେ । ଅନେକ ଲୋକ ମୋବାଇଲରେ ଏହାର ଭିଡ଼ିଓ କରିଥିଲେ । ଯାହା ତତକ୍ଷଣାତ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଛାତ୍ରମାନଙ୍କ ଏହି ଉଦଣ୍ଡ ନାଚ ଏବେ ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଛି । ରାସ୍ତାରେ ଯାଉଥିବା ଅନ୍ୟ କିଛି ଛାତ୍ର ବି ଏଥିରେ ସାମିଲ ହୋଇ ନାଚିବାକୁ ଲାଗିଥିବା ଦେଖିବାକୁ ମିଳିଛି ।

ସେପଟେ ଆଜି ମାଟ୍ରିକ ପରୀକ୍ଷା ସାରି ବହୁ ସଂଖ୍ୟକ ଛାତ୍ର ଘରକୁ ନ ଯାଇ ସିଧାସଳଖ ଗୋପାଳପୁର ସମୁଦ୍ରରେ ପହଞ୍ଚି ବିପଦସଙ୍କୁଳ ସ୍ନାନ କରୁଥିବା ନଜର ଆସିଥିଲା । ସମୁଦ୍ର ର ବିଶାଳ ଢେଉ ଭିତରେ ସାଙ୍ଗସାଥୀ ହୋଇ ପଶିଥିବା ଛାତ୍ରଛାତ୍ରୀ ପରୀକ୍ଷା ସରିବାର ଖୁସିରେ ନାଚିନାଚି ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ବୁଦ୍ଧିଜୀବୀମାନ ତାଜୁବ ହୋଇଥିଲେ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରମୁଖ ହୋଇଥିବା ବେଳେ ଉଭୟ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ଏହାକୁ ଦୃଷ୍ଟି ନ ଦେବା ସାଧାରଣରେ ଉଦବେଗର ବିଷୟ ହୋଇଛି ।

ସୂଚନାଯୋଗ୍ୟ, ସ୍କୁଲରେ ଛାତ୍ରଙ୍କ ଉଦଣ୍ଡ ପୁଷ୍ପା ଡ୍ୟାନ୍ସକୁ ନେଇ ନିକଟରେ ସରକାରୀ ସ୍କୁଲର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଲାଗିଥିଲା । ଏହି ଘଟଣାରେ ଉକ୍ତ ସ୍କୁଲ ର ପ୍ରଧାନଶିକ୍ଷକ ନିଲମ୍ବିତ ମଧ୍ୟ ହୋଇଥିଲେ । ହେଲେ ଏହାର କିଛିଦିନ ନ ଯାଉଣୁ ମାଟ୍ରିକ ପରୀକ୍ଷା ସରିବା ଖୁସିରେ ଛାତ୍ରଙ୍କ ଉଦଣ୍ଡ ନୃତ୍ୟ ପୁଣି ଚର୍ଚ୍ଚାର ବିଷୟ ହୋଇଛି ।