-5.7 C
Innichen
Sunday, May 22, 2022

ଜିଲ୍ଲା ରେଡ଼କ୍ରସ ତରଫରୁ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, ( ୮/୫) : ସୁବର୍ଣ୍ଣପୁର ଜିଲ୍ଲା ରେଡ଼କ୍ରସ ଶାଖା ତରଫରୁ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ସୁବର୍ଣ୍ଣପୁର ର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ନେତୃତ୍ୱରେ ସୋନପୁର କଲେଜ ର ଏନ୍. ସି.ସି. କ୍ୟାଡେଟ ତଥା ଇନ୍ଫିନିଟୀ ଆଥେଲେଟିକ ଆସୋସିଏସନ ର ପିଲାମାନଙ୍କୁ ନେଇ ସକାଳେ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ବ୍ଲକ୍ ଛକ ଠାରୁ ବାହାରି ପୁରୁଣା ଟାଉନ୍ ହଲ ପର୍ଯ୍ୟନ୍ତ ଯାଇଥିଲା ।

ଏହି ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ରେଡ଼କ୍ରସ ର ସମ୍ବାଦିକା ଇପ୍ସିତା ମିଶ୍ର, ଉପ ସଭାପତି ଗୌରିଶ୍ୟାମ ପଣ୍ଡା, ଉପାଧ୍ୟକ୍ଷ ସତ୍ୟନାରାୟଣ ହୋତା, ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ, ଆଜୀବନ ସଦସ୍ୟ ଉମାକାନ୍ତ ନାଗ, ଅମ୍ବୁଜ ବିହାରୀ ଶତପଥି, ଗତିକୃଷ୍ଣ ମିଶ୍ର, ଜୁନିଅର ରେଡକ୍ରସ ର ବିଭିନ୍ନ କାର୍ଯ୍ୟକର୍ତ୍ତା ମାନେ ସାମିଲ ହୋଇଥିଲେ ।

ପୁରୁଣା ଟାଉନ୍ ହଲ ଠାରେ ଶୋଭାଯାତ୍ରା ପହଞ୍ଚିବା ପରେ ଅତିଥିମାନେ ରେଡ଼କ୍ରସ ର ପ୍ରତିଷ୍ଠାତା ହେନେରୀ ଦୁନାଣ୍ଟ ଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉକ୍ତ ଅନୁଷ୍ଠିତ ସଂକ୍ଷିପ୍ତ ସଭାରେ ଅତିଥିବୃନ୍ଦ ପିଲାମାନଙ୍କୁ ଆଜି ଦିନର ମହତ୍ତ୍ଵ ବିଷୟରେ ଧାରଣା ଦେବା ସହିତ ଦୈନନ୍ଦିନ ଜୀବନରେ ସେମାନେ କେମିତି ଅଧିକ ଶୃଙ୍ଖଳିତ ହୋଇ ପାରିବେ ସେଥିପ୍ରତି ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ ।

ତତ୍ ସଙ୍ଗେ ସଙ୍ଗେ ରେଡକ୍ରସ ର ଯେଉଁ ସାତ ଗୋଟି ମୌଳିକ ନୀତି ଉପରେ ଆଲୋକପାତ କରି ଜୀବନରେ ସେହି ନୀତି କୁ ଅନୁସରଣ କରିବା ପାଇଁ ପରାମର୍ଶ କରିଥିଲେ । ସଭା ପରେ ସମସ୍ତ ଅତିଥିଙ୍କ ଉପସ୍ଥିତିରେ ସ୍ଥାନୀୟ ନାରାୟଣୀ ଆଶ୍ରମ ର ଅନ୍ତେବାସୀଙ୍କୁ ହାଇଜିଂ କିଟ ଓ ଶିଶୁ ଗୃହରେ ଫଳ ଓ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା ।

ପରିଶେଷରେ ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର କର୍ମକର୍ତ୍ତାଙ୍କ ସମେତ, ସୋନପୁର ମ୍ୟୁନିସିପାଲିଟି, ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ର କର୍ମକର୍ତ୍ତା, ଜୁନିଅର ରେଡ଼କ୍ରସ ର କାଉନସିଲର ପ୍ରଭୁତି ରକ୍ତଦାନ କରିଥିଲେ । ରକ୍ତଦାନ କରି ଜୀବନ ବଞ୍ଚାଇବା ଏକ ମହାନ୍ କାର୍ଯ୍ୟ ବୋଲି କହି ସମସ୍ତଙ୍କ ମନୋବଳ ବୃଦ୍ଧି ପୂର୍ବକ ଅତିରିକ୍ତ ଜିଲ୍ଲାପାଳ ନିଜେ ତଥା ମ୍ୟୁନିସିପାଲିଟି ର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ ।

ବିଶ୍ଵ ରେଡକ୍ରସ ଦିବସ ଅବସରରେ ମୋଟ୍ ୪୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରେଡକ୍ରସ ଶାଖା ତରଫରୁ ଦିନେଶ ରଞ୍ଜନ ମିଶ୍ର, ଆଲୋକ କୁମାର ଦାଶ, ଜୟଦେବ ପାଟଶାଣି, ରିତେଶ କୁମାର ହୋତା ପ୍ରମୁଖ ସହଯୋଗ କରିଥିଲେ ।

Related Articles

Stay Connected

0FansLike
3,320FollowersFollow
19,600SubscribersSubscribe
- Advertisement -spot_img

Latest Articles