ସରକାରୀ ଜମି ଜବରଦଖଲ ପ୍ରସଙ୍ଗ ଶୀତଳ ଭଣ୍ଡାରରେ : ଆରଡିସିଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର

0
114
ସରକାରୀ ଜମି

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, ତା(୨୯/୦୫) : କଳାହାଣ୍ଡି ଜିଲ୍ଲାରେ ସରକାରୀ ପଦାଧିକାରୀଙ୍କ ବଦଳି ଆଦେଶ ହେଉ କିମ୍ବା ଉଚ୍ଚ କର୍ତୃପକ୍ଷଙ୍କ ଆଦେଶ ହେଉ ଭିନ୍ନ ଅର୍ଥ ବାହାର କରି ବେଖାତିର କରାଯାଉଥିବା ଅନେକ ଘଟଣା ଦେଖାଯାଉଛି । ମାନ୍ୟବର ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ ୨୦୧୯-୨୦ ରେ କେତେ ପରିମାଣ ର ସରକାରୀ ଜମି ଥିବା ସଂପର୍କରେ ଏକ ତଥ୍ୟ ମାଗିଥିଲେ ।

ଏ ନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର କଳାହାଣ୍ଡି ଜିଲ୍ଲାପାଳଙ୍କୁ ଜଣାଇବା ପରେ ଜିଲ୍ଲାପାଳଙ୍କ ଚିଠି ନଂ. ୧୬/RA ତା.୦୨/୦୧/୨୦୨୦ ଅନୁସାରେ ଜୁନାଗଡ ତହସିଲଦାରଙ୍କୁ ତଥ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେ ସଂପର୍କରେ ତତ୍କାଳୀନ ତହସିଲଦାର ଉପେନ୍ଦ୍ର ଲୁହା ଚିଠି ନଂ. ୧୧ ତା ୦୩ /୦୧/୨୦୨୦ ରେ ଜୁନାଗଡ ସହରରେ ୩୯ ଏକର ସରକାରୀ ଜମି ଜବରଦଖଲ ହୋଇଥିବା ବେଳେ ଏହାକୁ ଉଚ୍ଛେଦ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ଜଣାଇଥିଲେ ।

ଇତିମଧ୍ୟରେ ତହସିଲଦାର ଶ୍ରୀ ଲୁହା ଙ୍କର ବଦଳି ହେବାପରେ ବର୍ତ୍ତମାନ ତହସିଲଦାର ପୂର୍ବତନ ତହସିଲଦାର ମାନେ ସରକାରୀ ଜମି ବଞ୍ଚାଇବା ପାଇଁ କରିଥିବା ଯୋଜନା ଓ ବ୍ୟବସ୍ଥାକୁ ନାଲିଫିତା ତଳେ ବାନ୍ଧି ଦେଇଥିବା ଭଲି ଜଣାପଡିଛି । ଏ ସଂପର୍କରେ ତହସିଲଦାର ବେଦବ୍ୟାସ ଭୋଇଙ୍କୁ ଯୋଗାଯୋଗ କରିବାରେ ତାଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ ।

ତତ୍କାଳୀନ ଜୁନାଗଡ ତହସିଲଦାର ସୂର୍ଯ୍ୟ ନାରାୟଣ ଦାଶ ଏନଏଚ -୨୬ ପାଶ୍ୱର୍ସ୍ଥ ସରକାରୀ ଜମି ସବୁକୁ ତାରବାଡ ଦେଇ ସୁରକ୍ଷିତ ରଖିଥିବା ବେଳେ ବର୍ତମାନ ସେସବୁ ଜବରଦଖଲ ହୋଇଥିବା ଦେଖାଯାଉଛି । ଏପରିକି ଏନଏଚ-୨୬ ରୁ ଆରଏମସିର ସାପ୍ତାହିକ ବଜାର ପାଶ୍ୱର୍ ଓ ପାଣ୍ୟାଗାର ଦେଇ ଜୁନାଗଡ ତହସିଲ ଅଫିସକୁ ଆସିଥିବା ମୂଖ୍ୟ ରାସ୍ତାକୁ ମଧ୍ୟ ଅନ୍ୟ ଜଣେ ପ୍ରଭାବଶାଳୀ ଙ୍କ ନାମରେ ଦାଖଲ ଖାରଜ କରିଦେଇଥିବା ଜଣାପଡିଛି ।

ସେହିପରି ସଦର ମହକୁମା ଭବାନୀପାଟଣା ତହସିଲ ଅଞ୍ଚଳରେ ଜମି ମାଫିଆ ମାନଙ୍କ ଦ୍ୱାରା ଅନେକ ସରକାରୀ ଜମି ଉପରେ କବଜା କରାଯାଉଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇ ସାରିଛି । ଲାଞ୍ଜିଗଡ ତହସିଲ ଅଞ୍ଚଳରେ ଅଣଓଡିଆ ସଂପ୍ରଦାୟ ର ଲୋକେ ସ୍ଥାନୀୟ ଲୋକଙ୍କ ଜମିକୁ ଶାଗମାଛ ଦରରେ କିଣି ପାଶ୍ୱର୍ସ୍ଥ ସରକାରୀ ବେସରକାରୀ ଜମିସବୁକୁ ଜବରଦଖଲ କରୁଥିବା ଏବଂ ସ୍ଥାନୀୟ ରାଜସ୍ୱ କର୍ମଚାରୀ ମାନଙ୍କୁ ନାଲିଆଖି ଦେଖାଉଥିବା ଅଭିଯୋଗ ହେଉଥିଲା ।

ଜନୈକ ଅଣଓଡିଆ ଦଲାଲ ନିଜ ସଂପର୍କୀୟ ରାଜଧାନୀ ଦିଲ୍ଲୀରେ ଉଚ୍ଚ ପଦରେ ଅବସ୍ଥାପିତ ଥିବା ପ୍ରଚାର କରି ସ୍ଥାନୀୟ ପଦାଧିକାରୀ ମାନଙ୍କୁ ପ୍ରଭାବିତ କରୁଥିବା ଏବଂ ଉଚ୍ଚ କର୍ତୃପକ୍ଷଙ୍କ ନିର୍ଦ୍ଦେଶାନାମା କୁ ମଧ୍ୟ ବେଖାତିର କରାଯାଉଥିବା ଅଭିଯୋଗ ହେଉଛି । ମୋବାଇଲ କଲ ରେକର୍ଡ ଯାଞ୍ଚ ସହିତ ଏହାର ଉଚିତ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।