ମନ ବଦଳାଇ ଦେଲେ ଏଲନ ମସ୍କ : ଆଉ କିଣିବେନି ଟ୍ୱିଟର

0
119
ମନ ବଦଳାଇ ଦେଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ୱାଶିଂଟନ, (୦୯/୦୭) : ମନ ବଦଳାଇ ଦେଲେ ଏଲନ ମସ୍କ । ନିଜେ ଦେଇଥିବା ଡିଲ୍‌ରୁ ନିଜେ ଓହରିଗଲେ । ଆଉ ଟ୍ୱିଟର କିଣିବେନି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ । ନିଜେ ଏହି ଘୋଷଣା କରି ସମସ୍ତଙ୍କୁ ଜୋରଦାର ଝଟକା ଦେଇଛନ୍ତି ମସ୍କ ।

ବିଶ୍ୱ ର ସବୁଠୁ ବଡ ଧନୀ ବ୍ୟକ୍ତି ଏଲନ୍ ମସ୍କ ଗତ ଏପ୍ରିଲ ୨୫ ତାରିଖରେ ୫୪.୨୦ ବିଲିୟନ ଡଲାରରେ ଟ୍ୱିଟର କିଣିବା ନେଇ ଅଫର୍ ଦେଇଥିଲେ । ପରେ ୪୪ ବିଲିୟନ ଡଲାରରେ ଡିଲ୍ ଫାଇନାଲ ହୋଇଥିଲା । କିନ୍ତୁ ଏବେ ମନ ବଦଳାଇ ଦେଲେ ଏଲନ ମସ୍କ । ତେବେ ଚୁକ୍ତିରୁ ଓହରିଥିବା ଏଲନଙ୍କ ବିରୋଧରେ କେସ୍‌ କରିବାର ଧମକ ଦେଇଛି ଟ୍ୱିଟର ।

ଅନେକ ଦିନ ଧରି ଚାଲିଥିବା ଏହି ହାଇ ପ୍ରୋଫାଇଲ୍ ଡ୍ରାମା ଏବେ ନୂଆଁ ମୋଡ ନେଇଛି । ଏଲନ ମସ୍କ କହିଛନ୍ତି ଯେ, ଟ୍ୱିଟର ଏହି ଚୁକ୍ତିରେ ବହୁ ଖିଲାପ କରିଛି । ତେଣୁ ସେ ଡିଲରୁ ପଛକୁ ହଟୁଛନ୍ତି । ମସ୍କଙ୍କ ଓକିଲ ଟ୍ୱିଟ କରିଛନ୍ତି ଯେ, ସେମାନେ ଚୁକ୍ତି ବାତିଲ କରୁଛନ୍ତି । କାରଣ ଟ୍ୱିଟର ଚୁକ୍ତି ର ଉଲ୍ଲଙ୍ଘନ କରିଛି । ଟ୍ୱିଟର୍ ଭ୍ରମିତ କଲା ଭଳି କାମ କରିଛି । ମସ୍କ ଟ୍ୱିଟର ପ୍ରତି ବିଶ୍ୱାସ କରିବା ଭୁଲ ଥିଲା ।

ଏଥିସହ ସେମାନେ କହିଛନ୍ତି ଯେ, ନକଲି କିମ୍ବା ସ୍ପାମ୍ ଆକାଉଣ୍ଟର ସୂଚନା ପାଇବା ପାଇଁ ଟ୍ୱିଟରକୁ ବହୁ ଥର ଅନୁରୋଧ କରାଯାଇଛି । କାରଣ ଏହା କମ୍ପାନୀ ର ବ୍ୟବସାୟ ପ୍ରଦର୍ଶନ ନିମନ୍ତେ ମୌଳିକ ଆବଶ୍ୟକତା ଅଟେ । କିନ୍ତୁ ଟ୍ୱିଟର ଏହି ଅନୁରୋଧକୁ ସବୁ ଥର ଏଡ଼ାଇ ଯାଇଛି । ଟ୍ୱିଟର ଚୁକ୍ତିମାନା ର ବହୁ ନିୟମକୁ ଉଲ୍ଲଘଂନ କରିଛି । ତେଣୁ ଏହା ଏକ ମିଥ୍ୟା ତଥା ବିଭ୍ରାନ୍ତିକର ଚୁକ୍ତି ବୋଲି ଜଣାପଡିଛି ।

ସୋଶାଲ ମିଡିଆରେ ବିଜ୍ଞାପନ ଦେଖୁଥିବା ୫% ରୁ କମ୍ ଉପଭୋକ୍ତାଙ୍କର ସ୍ପାମ୍ ଏବଂ ବଟ୍ ଆକାଉଣ୍ଟ ରହିଛି ବୋଲି ମସ୍କଙ୍କ ଓକିଲ କହିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ବିଲିୟନେୟର ଏଲନ ମସ୍କ ଏବଂ ୧୬ ବର୍ଷ ପୁରୁଣା ସାନ ଫ୍ରାନ୍ସିସ୍କୋ ଭିତ୍ତିକ କମ୍ପାନୀ ଟ୍ୱିଟର ମଧ୍ୟରେ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଚାଲିପାରେ । ଏହାକୁ ଏଡ଼ାଇବାକୁ ମସ୍କ ଏହି ନିଷ୍ପତ୍ତି ନେଇଥିବା ତାଙ୍କ ଓକିଲମାନେ କହିଛନ୍ତି ।

ଟ୍ୱିଟର ଚେୟାରମ୍ୟାନ୍ ବ୍ରେଟ୍ ଟେଲର ଏକ ଟୁଇଟ୍‌ରେ କହିଛନ୍ତି ଯେ ଏଲନ୍ ମସ୍କଙ୍କ ସହିତ କମ୍ପାନୀ ଏହି ଚୁକ୍ତିକୁ ପୂରଣ କରିବାକୁ ଚାହୁଁଛି । ଏଥିପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ । ଏହି ମିଶ୍ରଣ ଚୁକ୍ତି ସମାପ୍ତ କରିବାକୁ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବୁ ବୋଲି ବ୍ରେଟ୍ ଟେଲର କହିଛନ୍ତି । ଏଥି ନିମନ୍ତେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ପ୍ରସ୍ତୁତ । କୋର୍ଟ ସେମାନଙ୍କୁ ନ୍ୟାୟ ଦେବ ବୋଲି ସେ କହିଛନ୍ତି ।