ରାଜ୍ୟରେ ହଜାରେ ଡେଙ୍ଗୁ ରୋଗୀ : କେବଳ ଭୁବନେଶ୍ୱରରୁ ୭୦%, ଟେଷ୍ଟି ଉପରେ ଗୁୁରୁତ୍ୱ

0
182

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୮/୦୮) : ରାଜ୍ୟରେ କରୋନା ସଂକ୍ରମଣ ସାଙ୍ଗକୁ ଡେଙ୍ଗୁ ରୋଗ ଏବେ ଚିନ୍ତାର କାରଣ ପାଲଟଛି । ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳୁଛି । ଜାନୁଆରୀରୁ ଏବେ ସୁଦ୍ଧା ରାଜ୍ୟରେ ହଜାରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ନେଇ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ରାଜ୍ୟରେ ହଜାରେ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ କେବଳ ବିଏମସିରୁ ୭୧୪ଟି କେସ୍ ରହିଛି । ପ୍ରତିଦିନ ଡେଙ୍ଗୁ କେସ୍ ସାମ୍ନାକୁ ଆସୁଛି । ତେବେ ଡେଙ୍ଗୁ ଭାଇରସ ଏଲିସା ପଦ୍ଧତିରେ ଟେଷ୍ଟ ହେବା କଥା କିନ୍ତୁ ଘରୋଇ ହସ୍ପିଟାଲଗୁଡିକ କେହି ବି ଏଲିସାରେ ଟେଷ୍ଟ କରୁନାହାନ୍ତି । କେବଳ କାର୍ଡ ଟେଷ୍ଟ କରୁଛନ୍ତି । ଫଳରେ ଫଲ୍ସ ପଜିଟିଭ କେସ୍ ଅଧିକ ଆସୁଛି । ସେଥିପାଇଁ ସେ ଘରୋଇ ହସ୍ପିଟାଲ ଗୁଡିକୁ ପରାମର୍ଶ ଜାରି କରିଛନ୍ତି । ଯଦି ସେମାନେ ପଜିଟିଭ ପାଉଛନ୍ତି ତେବେ ତୁରନ୍ତ ରକ୍ତ ନମୂନା କ୍ୟାପିଟାଲ ହସ୍ପିଟାଲ ଅବା ଆରଏମଆରସିକୁ ପଠାଇବାକୁ ସମସ୍ତ ଲାବ୍ରୋଟୋରୀକୁ ନିବେଦନ କରିଛନ୍ତି ।

ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଡେଙ୍ଗୁ ଟେଷ୍ଟ ପାଇଁ ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ତେଣୁ ଲୋକମାନେ ନିକଟସ୍ଥ ଅର୍ବାନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ପରୀକ୍ଷା କରାଇପାରିବେ । ସୂଚନା ମୁତାବକ ଡେଙ୍ଗୁ ପ୍ରକୋପକୁ ରୋକିବା ପାଇଁ ବିଏମସି ସଫେଇ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଛି । ଏବେ ଶୈଳଶ୍ରୀବିହାର ଓ ନିଳାଦ୍ରୀ ବିହାରକୁ ବାଦ୍ ଦେଇ ମଧ୍ୟ ଏକାଧିକ ସ୍ଥାନରୁ ବହୁ ସଂଖ୍ୟାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି, ଯାହାକି ବିଏମ୍ସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ବିଏମସି ପକ୍ଷରୁ ଡେଙ୍ଗୁ ଜ୍ୱର ପାଇଁ ଏକାଧିକ ସତର୍କ ସୂଚନା ଜାରି କରାଯାଇଛି । ଜ୍ୱର ସହ ମୁଣ୍ଡ, ହାତ ବିନ୍ଧା, ଦେହରେ ଲାଲ ଦାଗ, ବାନ୍ତି ଓ ମୁଣ୍ଡ ବିନ୍ଧା ହେଉଛି ଡେଙ୍ଗୁର ଲକ୍ଷଣ । ତେଣୁ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି ।

ମଶା ବୃଦ୍ଧିର ଆଶଙ୍କା ଥିବା ପ୍ରାୟ ୩ ହଜାର ସ୍ଥାନରେ ସଫେଇ କରାଯାଇଛି । ୮୧୫ ସ୍ଥାନରେ ଏଡିସ୍ ମଶାର ଲାର୍ଭାକୁ ନଷ୍ଟ କରାଯାଇଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଘରେ ମଧ୍ୟ ସଫେଇ ପରି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ଏପରି ସ୍ଥଳେ କଂଗ୍ରେସ ଏବଂ ବିଜେଡି ପକ୍ଷରୁ ରାଜଧାନୀରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ଦେଖିବାକୁ ମିଳିଛି ।