ବିଷାକ୍ତ ମଦ ପିଇବା ଦ୍ୱାରା ରାଜ୍ୟରେ ଯାଇଛି ୫୦ ଜଣଙ୍କର ଜୀବନ

0
105
ବିଷାକ୍ତ ମଦ ପିଇବା

ରିପୋର୍ଟ : ସୁବାଶିଷ ନାୟକ
ଭୁବନେଶ୍ୱର, (୧୭/୦୭) : ବିଷାକ୍ତ ମଦ ପିଇବା ଦ୍ୱାରା ରାଜ୍ୟରେ ଯାଇଛି ୫୦ ଜଣଙ୍କର ଜୀବନ । ଏ ନେଇ ଶନିବାର ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ।

ରାଜ୍ୟରେ ମଦପିଇବା ଦ୍ୱାରା କେତେଜଣଙ୍କ ଜୀବନ ଯାଇଛି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଜାଣିବାକୁ ଚାହିଁଥିଲେ । ବିଧାନସଭାରେ ସାଲୁଜା ପଚାରିଥିବା ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଥିଲେ, ୨୦୧୦ ରୁ ୨୦୨୨ ମଧ୍ୟରେ ଯେଉଁମାନେ ବିଷାକ୍ତ ମଦ ପିଇବା ଦ୍ଵାରା ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ସଂଖ୍ୟା ୫୦। ଏହାସହ ଭଦ୍ରକ ମଦମୃତ୍ୟୁ କଥାକୁ ସେ ସ୍ୱୀକାର କରିଛନ୍ତି । ନିର୍ବାଚନ ବେଳେ ବିଷାକ୍ତ ମଦପିଇ ଭଦ୍ରକ ଜିଲ୍ଲା ର ୯ ଜଣ ପ୍ରାଣ ହରାଇଛନ୍ତି ।

ସେହିପରି ୨୦୧୧-୧୯ ରେ କଟକ ମଦ ମୃତ୍ୟୁରେ ୪୧ ଜଣ ପ୍ରାଣ ହରାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି, ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଗୁଡିକରେ କେବଳ ସରକାରଙ୍କ ଦ୍ୱାରା ଅନୁମୋଦିତ ଓ ପରୀକ୍ଷିତ ମଦ ବିକ୍ରି କରିବା ପାଇଁ ଲାଇସେନ୍ସ ଦିଆଯାଇଥାଏ ।

ଯଦି କୌଣସି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ବିଷାକ୍ତ ଦ୍ରବ୍ୟ ର ଉପସ୍ଥିତି ଓ ଉପାଦାନ ସମ୍ପର୍କରେ ଧରାପଡେ ଏବଂ ରସାୟନିକ ପରୀକ୍ଷଣ ପରେ ଯଦି ବିଷାକ୍ତ ଦ୍ରବ୍ୟର ଉପସ୍ଥିତି, ଉପାଦାନ ସମ୍ପର୍କରେ ପ୍ରମାଣ ହସ୍ତଗତ ହୁଏ ତେବେ ୧୦ ଲକ୍ଷ ଟଙ୍କା ର ଜରିମାନା ସହ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ରହିଛି ।