ମାଓବାଦୀ ସନ୍ଦେହରେ ୫ ବର୍ଷ ହେଲା ଜେଲରେ ଥିଲେ : ଏବେ ଦୋଷମୁକ୍ତ ହେଲେ

0
116
ମାଓବାଦୀ ସନ୍ଦେହରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟପୁର, (୧୮/୦୭) : ଛତିଶଗଡ଼ ର ଦାନ୍ତେୱାଡାରେ ଥିବା ସ୍ୱତନ୍ତ୍ର ଏନଆଇଏ କୋର୍ଟ ୧୨୧ ଜଣ ଆଦିବାସୀଙ୍କୁ ଦୋଷମୁକ୍ତ କରିଛନ୍ତି । ଏହି ଆଦିବାସୀ ଲୋକମାନଙ୍କୁ ମାଓବାଦୀ ସନ୍ଦେହରେ ଦୀର୍ଘ ୫ ବର୍ଷ ହେଲା ଜେଲରେ ବନ୍ଦୀ କରି ରଖାଯାଇଥିଲା । ୨୦୧୭ ମସିହାରେ ମାଓବାଦୀମାନେ ବୁର୍କାପାଲ ଗାଁ ନିକଟରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନରସଂହାର କରିଥିଲେ ।

ଏଥିରେ ୨୬ ଜଣ ଯବାନ ସହିଦ ହୋଇଥିଲେ । ମାଓବାଦୀ ମାନଙ୍କୁ ସହଯୋଗ କରିଥିବା ଯୋଗୁଁ ମାଓବାଦୀ ସନ୍ଦେହରେ ଏହି ୧୨୧ ଜଣ ନିରୀହ ଆଦିବାସୀଙ୍କୁ ଗିରଫ କରାଯାଇଥିଲା । ଦୀର୍ଘ ୫ ବର୍ଷ ଜେଲରେ ବନ୍ଦୀ ଜୀବନ କାଟିବା ପରେ ସମସ୍ତଙ୍କୁ ଏନଆଇଏ କୋର୍ଟ ଦୋଷମୁକ୍ତ କରିଛନ୍ତି । ଏନଆଇଏ କୋର୍ଟ ସମସ୍ତଙ୍କୁ ଦୋଷମୁକ୍ତ କରିଥିବା ବେଳେ ଛତିଶଗଡ଼ ପୁଲିସ୍‌ ଏବେ ଏହି ରାୟକୁ ଯାଞ୍ଚ କରିବ । ଏହା ପରେ ପୁଲିସ୍ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯିବ କି ନାହିଁ, ତା’ର ବିଚାର କରାଯିବ ବୋଲି ଜଣାପଡ଼ିଛି ।

୨୦୧୦ ମସିହା ପରେ ୨୦୧୭ ଏପ୍ରିଲ ୨୪ ରେ ମାଓବାଦୀ ମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବସ୍ତର ଅଞ୍ଚଳରେ ବଡ଼ ଆକ୍ରମଣ କରିଥିଲେ । ୨୦୧୦ ରେ ୭୬ ଜଣ ଯବାନ ସହିଦ ହୋଇଥିବା ବେଳେ ୨୦୧୭ ର ଡବଲ ଆତଙ୍କ ଆଟାକରେ ୨୬ ଜଣଙ୍କ ଜୀବନ ଯାଇଥିଲା । ଏହି ହମଲା ପରେ ପୁଲିସ୍‌ ବୁର୍କାପାଲ, ଗୋଣ୍ଡାପାଲ୍ଲୀ, ଚିନ୍ତାଗୁଫା, ତାଲମେଟଲା, କୋରାଇଗୁଣ୍ଡୁମ ଓ ଟୋଙ୍ଗୁଡାରୁ ୧୨୧ ଜଣ ଆଦିବାସୀଙ୍କୁ ଗିରଫ କରିଥିଲା ।

ଏମାନେ ମାଓବାଦୀଙ୍କୁ ଆକ୍ରମଣ ବେଳେ ସହାୟତା କରିଥିବା ପୁଲିସ୍‌ ଦାବି କରିଥିଲା । ସେମାନଙ୍କ ନାଁରେ ୟୁଏପିଏ, ଆର୍ମସ ଆକ୍ଟ ଠାରୁ ଆରମ୍ଭ କରି ଛତିଶଗଡ଼ ସ୍ପେଶାଲ ପବ୍ଲିକ ସିକ୍ୟୁରିଟି ଆକ୍ଟ ୨୦୦୫ ଅନୁଯାୟୀ ମାମଲା ହୋଇଥିଲା । ୨୦୨୧ ଅଗଷ୍ଟରୁ ମାମଲାର ଶୁଣାଣି ଜାରି ରହିଥିଲା । ଏହି ସମୟରେ ୨୫ରୁ ଅଧିକ ସାକ୍ଷୀଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଥିଲା ।

ଗିରଫ ଆଦିବାସୀମାନେ ଯେ ମାଓବାଦୀ କିମ୍ବା ସେମାନେ ହମଲାରେ ସାମିଲ ଥିଲେ ବୋଲି କୌଣସି ପ୍ରମାଣ ନାହିଁ । ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଉପଯୁକ୍ତ ପ୍ରମାଣ ନାହିଁ ବୋଲି କୋର୍ଟ କହିଛନ୍ତି । ୨୦୧୭ ହମଲା ପରେ ସୁକମା ଜିଲ୍ଲା ର ଉପାନ୍ତ ଅଞ୍ଚଳରେ ଥିବା ୬ ଟି ଗାଁରୁ ଏତେ ସଂଖ୍ୟକ ଆଦିବାସୀ ମାନଙ୍କୁ ସୁରକ୍ଷାକର୍ମୀ ଗିରଫ କରିଥିଲେ । ଗିରଫ ବେଳେ ଅଧିକାଂଶ ଆଦିବାସୀଙ୍କ ବୟସ ୨୦ ଓ ୩୦ ବର୍ଷ ମଧ୍ୟରେ ରହିଥିଲା ।

ସମସ୍ତଙ୍କୁ ଦୋଷମୁକ୍ତ କରି ଏନଆଇଏ କୋର୍ଟ ର ସ୍ୱତନ୍ତ୍ର ବିଚାରପତି ଦୀପକ କୁମାର କହିଛନ୍ତି, ଗିରଫ ବେଳେ ଅଭିଯୁକ୍ତମାନଙ୍କ ଠାରୁ ବନ୍ଧୁକ ଓ ଗୁଳିଗୋଳା ମିଳିଥିବାର ପ୍ରମାଣ ସରକାରୀ ଓକିଲ ଉପସ୍ଥାପନ କରିପାରି ନାହାଁନ୍ତି । ସେହିପରି ମାଓବାଦୀ ମାନେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିବା ବେଳେ ଅଭିଯୁକ୍ତ ମାନେ ସେଠାରେ ଉପସ୍ଥିତ ଥିବାର ପ୍ରମାଣ ମଧ୍ୟ ମିଳିନି । ତେଣୁ ସେମାନଙ୍କୁ ଦୋଷୀ ଭାବେ ବିବେଚନା କରାଯାଇ ପାରିବ ନାହିଁ ।