କେନାଲ ହିଡ଼ ଭୁଶୁଡି ଶତାଧିକ ଏକର ଚାଷଜମି ଜଳମଗ୍ନ

0
140
କେନାଲ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୫/୭) : ହୀରାକୁଦ ସେଚାଞ୍ଚଳ ଅଧୀନସ୍ଥ ବିନିକା ତହସିଲ ର ଭିମଟିକ୍ରା ଡିଷ୍ଟିବ୍ୟୁଟାରି କୁହିବାହାଲ ସେକ୍ସନ ସାହାଜବାହାଲ ଗ୍ରାମ ନିକଟରେ କେନାଲ ହିଡ଼ ଭୁଶୁଡି ପଡିବାରୁ ପ୍ରାୟ ଶତାଧିକ ଏକର ଚାଷଜମି ଜଳମଗ୍ନ ହୋଇପଡିଛି ।

ସୂଚନା ଅନୁଯାୟୀ ଆଜି ସକାଳେ ଭିମଟିକ୍ରା ଡିଷ୍ଟିବ୍ୟୁଟାରି କୁହିବାହାଲ ମୁଖ୍ୟ କେନାଲ ରେ ପ୍ରବଳ ବନ୍ୟା ପାଣି ଆସୁଥିବାରୁ ମେଘଲା ପଞ୍ଚାୟତ ସାହାଜବାହାଲ ଗ୍ରାମ ର କେନାଲରେ ପ୍ରାୟ ୨୦ ଫୁଟ ଘାଇ ସୃଷ୍ଟିହୋଇ ପ୍ରବଳ ବେଗରେ ପାଣି ମାଡି ଯିବାରୁ ସାହାଜବାହାଲ ଓ ପଧାନପାଲି ଗ୍ରାମ ର ଚାଷୀ ଚତୁର୍ଭୁଜ ପଧାନ, ପଟାରି ପଧାନ, କାର୍ତ୍ତିକ ମହାକୁର, ଉଦୟ ମହାକୁର, କେସନ ବାଘ, ରତନ ବାରିକ, ଶ୍ରୀଧର ପଧାନ, ନବୀନ କୁମ୍ଭାର, ବିରଞ୍ଚି ବାଗ, କିଶୋର ସାହୁ ପ୍ରମୁଖ ଙ୍କ ଧାନ ଫସଲରେ ପାଣି ପଶିଯାଇ ଜଳମଗ୍ନ ହୋଇଯାଇଛି ।

ଚାଷ ଆରମ୍ଭ ରୁ ହିଁ ଚାଷୀ ବହୁମାତ୍ରରେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହେଉଛି । ଏହି ଘଟଣା ର ଖବର ପାଇ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, କେନାଲ ମଣ୍ଡଳ ଉପମୁଖ୍ୟ ଯନ୍ତ୍ରୀ ସରୋଜ କୁମାର ପାଣିଗ୍ରାହୀ, ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ରଥ, ରାମପୁର ଉପଖଣ୍ଡ ଅଧିକାରୀ ଅଭିନନ୍ଦନ କିଷାନ, କୁହିବାହାଲ କନିଷ୍ଠ ଯନ୍ତ୍ରୀ ସୁଜିତ କୁମାର ପଳାଇ, କୌଡ଼ିଆମୁଣ୍ଡା କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ମଙ୍କର ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ତଦାରଖ କରିଥିଲେ ।

ଅତ୍ୟଧିକ ପାଣି ଆସିଯିବାରୁ କେନାଲ ଭୁସିଡ଼ି ପଡିଛି । କାମ ଚାଲିଥିବା କେନାଲ ୨ ଦିନ ମଧ୍ୟରେ ସମାପ୍ତ କରାଯିବ ବୋଲି ଏସଡିଓ ଶ୍ରୀ କିଷାନ ପ୍ରକାଶ କରିବା ସହିତ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମି ର ଆକଳନ କରି କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ ।