ଭିଜିଲାନ୍ସ ହାତରେ ଧରା ପଡିଲେ ଶିକ୍ଷା ଅଧିକାରୀ : ୩ ଦିନ ପରେ ନେଇଥାନ୍ତେ ଅବସର

0
131
ଭିଜିଲାନ୍ସ ହାତରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡ଼ା, (୨୭/୦୭) : ୩ ଦିନ ପରେ ନେଇଥାନ୍ତେ ଅବସର କିନ୍ତୁ ତା’ ପୂର୍ବରୁ ଲାଞ୍ଚ ନେଇ ଧରା ପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଶିକ୍ଷା ଅଧିକାରୀ । ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରିଛି ।

ପଟ୍ଟମୁଣ୍ଡାଇ ନିମପୁର୍ ସ୍କୁଲ ର ପିଅନ ସନ୍ତୋଷ କୁଣ୍ଡୁଙ୍କୁ ଡେରାବିଶ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରିଦେବା ପାଇଁ ସଞ୍ଜୀବ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ସନ୍ତୋଷ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଟିମ୍ ସଞ୍ଜୀବ ଘରେ ଯୋଜନା ମୁତାବକ ଛକି ରହିଥିଲେ । ଆଜି ତିନିମୁହାଣୀ ଛକ ଏନ୍ଏଚ କଲୋନୀ ସ୍ଥିତ ଭଡ଼ା ଘରେ ସଞ୍ଜୀବ ସନ୍ତୋଷଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ତାଙ୍କୁ ଅଟକ ପଚରାଉଚରା କରୁଛି ।

ପରେ ଭିଜିଲାନ୍ସ ଟିମ୍ ଶିକ୍ଷା ଅଧିକାରୀଙ୍କ ଭଡ଼ା ଘର ସମେତ କଟକ ସ୍ଥିତ ଘର ଓ ବାଲେଶ୍ୱର ସ୍ଥିତ ପୈତୃକ ଘରେ ଏକ କାଳୀନ ଭିଜିଲାନ୍ସ ଚଢାଉ କରିଥିବା ଜଣାଯାଇଛି । ସଞ୍ଜୀବ ଆଉ ୩ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ ।