ପୋଷା ମାନୁନି ପିଟ୍‌ବୁଲ୍‌ ! ନାବାଳକ ର କାନ ଛିଣ୍ଡାଇଦେଲା କୁକୁର

0
122
ପୋଷା ମାନୁନି ପିଟ୍‌ବୁଲ୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଚଣ୍ଡିଗଡ/ନୂଆଦିଲ୍ଲୀ, (୩୦/୦୭) : ପୋଷା ମାନୁନି ପିଟ୍‌ବୁଲ୍‌ । ବାରମ୍ବାର ଆକ୍ରାମଣାତ୍ମକ ହୋଇପଡୁଛି ଏହି ପ୍ରଜାତି ର କୁକୁର । କେତେବେଳେ ନିଜ ମାଲିକ ଉପରେ ତ ଆଉ କେତେବେଳେ ବାଟରେ ଯାଉଥିବା ଯାତ୍ରୀଙ୍କ ଉପରେ କରୁଛି ଆକ୍ରମଣ ।

ପୋଷା ମାନୁନି ପିଟ୍‌ବୁଲ୍‌ ! ଲକ୍ଷ୍ନୌ ପରେ ଏବେ ପଞ୍ଜାବ ର ଗୁରୁଦାସପୁରରେ ସମାନ ଘଟଣା ଦେଖିବାକୁ ମିଳିଛି । ଜଣେ ୧୩ ବର୍ଷୀୟ ନାବାଳକ ଉପରେ ଆକ୍ରମଣ କରିଛି ପିଟ୍‌ବୁଲ । ତେବେ ଏହି ଆକ୍ରମଣରୁ ନାବାଳକଟି ବର୍ତ୍ତି ଯାଇଥିବା ବେଳେ କୁକୁରଟି ତା’ କାନ ଛିଣ୍ଡାଇ ତାକୁ ରକ୍ତାକ୍ତ କରିଦେଇଛି । ଗୁରୁତର ଅବସ୍ଥାରେ ନାବାଳକକୁ ବଟାଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତା’ର ଚିକିତ୍ସା ଜାରି ରହିଛି ।

ସୂଚନା ମୁତାବକ, ଆଜି ସକାଳୁ ଜିଲ୍ଲାର କୋଟଲି ଭାମ ସିଂହ ଅଞ୍ଚଳରେ ୧୩ ବର୍ଷୀୟ ଗୁରୁପ୍ରୀତ ସିଂହ ବାପାଙ୍କ ସହ ସ୍କୁଟରରେ କୌଣସି ସ୍ଥାନକୁ ଯାଉଥିଲା । ଏହି ସମୟରେ ବାଟରେ ବୁଲୁଥିବା ଏକ ପିଟବୁଲ ପ୍ରଜାତି ର କୁକୁର ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଏହାପରେ ଗୁରୁପ୍ରୀତ ସ୍କୁଟରରୁ ଖସିପଡିଥିଲା । ଗୁରୁପ୍ରୀତଙ୍କୁ ଆକ୍ରମଣ କରିବା ସହ ତା’ କାନ ଛିଣ୍ଡାଇ ଦେଇଥିଲା ପିଟ୍‌ବୁଲ । କିନ୍ତୁ କୌଣସି ପ୍ରକାରେ ପୁଅକୁ କୁକୁର ଠାରୁ ରକ୍ଷା କରି ଟାଣି ଆଣିଥିଲେ ତାଙ୍କ ବାପା । ଏହାପରେ ପିଟବୁଲର ମାଲିକ ଘଟଣାସ୍ଥଳରେ ପହଞ୍ଚି କୁକୁରକୁ ଘରକୁ ନେଇ ପଳାଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଏ ମାମଲାରେ କୌଣସି ପୁଲିସ ରିପୋର୍ଟ ଦାଖଲ କରାଯାଇ ନାହିଁ ।

ଆହତ ନାବାଳକଙ୍କ ଜେଜେ ମା’ ହରଦୀପ କୌରଙ୍କ କହିବା ମୁତାବକ, ତାଙ୍କ ପୁଅ ଓ ନାତି କୌଣସି କାମରେ ସ୍କୁଟରେ ବସି ଅନ୍ୟ ଗାଁକୁ ଯାଉଥିଲେ । ରାସ୍ତାରେ ଜଣେ ବ୍ୟକ୍ତି ତାଙ୍କ ପୋଷା କୁକୁରକୁ ବୁଲାଇବା ପାଇଁ ଆଣିଥିଲେ । ଏହି ସମୟରେ ସ୍କୁଟରରେ ସେହି ରାସ୍ତା ଦେଇ ଯିବା ବେଳେ କୁକୁରଟି ବାପା ପୁଅଙ୍କୁ ଦେଖି ଭୁକିବାକୁ ଲାଗିଥିଲା । ଏହାପରେ ସ୍କୁଟର ଆଡକୁ ଦୌଡିବାକୁ ଚେଷ୍ଟା କରିଥିଲା କୁକୁର । ମାଲିକ ହାତରୁ ଚେନ୍‌ ଛିଡାଇ ସେ ସିଧାସଳଖ ନାତୀ ଉପରେ ଆକ୍ରମଣ କରିଥିଲା । ଫଳରେ ସେ ସ୍କୁଟରରୁ ତଳେ ପଡି ଯାଇଥିଲା । ଏହାପରେ ତା’ କାନ ଛିଣ୍ଡାଇ ଦେଇଥିଲା କୁକୁର ।

ଉଲ୍ଲେଖଯୋଗ ଯେ ଜୁଲାଇ ୧୨ ରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । କୈସରବାଗ ଅଞ୍ଚଳରେ ଏକ ପୋଷା ପିଟ୍‌ବୁଲ୍‌ କୁକୁର ୮୦ ବର୍ଷୀୟ ବୟସ୍କା ମହିଳାଙ୍କୁ ଆକ୍ରମଣ କରିଥିଲା । ସେହି ସମୟରେ ମହିଳା ଜଣକ ଘରେ ଏକୁଟିଆ ଥିଲେ । ମହିଳାଙ୍କ ଦେହରୁ ମାଂସ ଖଣ୍ଡ ଖଣ୍ଡ କରି ବାହାର କରିଦେଇଥିଲା କୁକୁର । ଫଳରେ ଘଟଣାସ୍ଥଳରେ ହିଁ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିଲା ।