ସୋନପୁର ପୁଲିସ କୁ ସଫଳତା : ୫ ଡ଼କାୟତ ଗିରଫ

0
146
ସୋନପୁର ପୁଲିସ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୪/୮) : ସୁବର୍ଣ୍ଣପୁର ଜିଲ୍ଲାରେ ହେଉଥିବା ବିଭିନ୍ନ ଚୋରୀ ଘଟଣା ର ପର୍ଦ୍ଦାଫାସ କରିବା ସହିତ ଏକ ପାଞ୍ଚ ଜଣିଆଁ ଡ଼କାୟତ ଦଳକୁ ଗିରଫ କରିବାରେ ସଫଳ ହୋଇଛି ସୋନପୁର ପୁଲିସ ।

ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସହିତ ଆଖ ପାଖ ଅଞ୍ଚଳରେ କ୍ରମାଗତ ଭାବରେ ଚୋରୀ, ରାହାଜାନୀ ଓ ଡ଼କାୟତି ଘଟଣା ମାନ ଘଟିଥିଲା । ଏ ନେଇ ବିଭିନ୍ନ ଥାନାରେ ଅଭିଯୋଗ ପରେ ସୋନପୁର ପୁଲିସ ଏଲର୍ଟ ହୋଇ ଅନୁସନ୍ଧାନ ଚଳାଇଥିଲା । ଗତକାଲି ପୋଲିସ ଏକ ପାଞ୍ଚ ଜଣିଆ ଡ଼କାୟତ ଦଳକୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଏମାନଙ୍କ ପାଖରୁ ନଗଦ ୮ ହଜାର ୨ ଶହ ଟଙ୍କା, ୫ ଟି ମୋବାଇଲ, ଗୋଟିଏ ଧଳା ରଙ୍ଗର ଟାଟା ଅଲଟ୍ରଜ କାର, ହକି ଷ୍ଟିକ, ପ୍ଲାଷ୍ଟିକ ପାଇପ ଆଦି ଜବତ କରିଛି ।

ଅଭିଯୁକ୍ତମାନେ ହେଲେ ସହର ର ପଟାଭାଡି ଅଞ୍ଚଳର ଶଶାଙ୍କ ମିଶ୍ର (୩୯), ବାଲଜୁରୀ ଗ୍ରାମ ର ପୁରୁଷୋତ୍ତମ ସୁନା (୨୯), ସୋନପୁର ସହର କଳିଙ୍ଗ ନଗର ର ସୁନୀଲ ଗଡିଆ (୨୬), ମଝିପଡା ର ସାୟଦ ନାସିବ ଅଲ୍ଲୀ (୨୪) ଓ ପଟାଭାଡି ଅଞ୍ଚଳ ର ଇନ୍ଦ୍ରଜିତ ସାହୁ (୨୪) ହୋଇଥିବା ବେଳେ ଏମାନେ ସମସ୍ତେ ସୋନପୁର ଥାନା ଅଞ୍ଚଳ ର ବୋଲି ପୁଲିସ ସୂଚନା ଦେଇଛି । ଏହି ଅଭିଯୁକ୍ତମାନଙ୍କ ନାଁରେ ଆଗରୁ ଆହୁରି ଅନେକ ଅପରାଧିକ ମାମଲା ବିଭିନ୍ନ ଥାନାରେ ରହିଥିବା ବେଳେ ଗତ କିଛି ଦିନ ହେଲା ଏମାନେ ସୋନପୁର ଥାନା ଅଞ୍ଚଳରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିଲେ । ଏପରିକି ଗତ ଅଗଷ୍ଟ ୧ ତାରିଖ ଦିନ ଏମାନେ ହରଡଖୋଲ ନିକଟରେ ମନୋଜ କୁମାର ପୁରୋହିତ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଲୁଟପାଟ କରିଥିବା ଅଭିଯୋଗ ହୋଇଥିଲା ।

ତେବେ ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି ଏସବୁର ସୂଚନା ଦେଇଥିବା ବେଳେ ସାଧାରଣ ଲୋକ ଏହିପରି କୌଣସି ବ୍ୟକ୍ତି ପୁଲିସକୁ ଭୟ ନ କରି ଥାନାରେ ଅଭିଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପୁଷ୍ପା ଞ୍ଜଳୀ ନିଙ୍ଗୀ ଓ ସଦର ଆଇଆଇସି କୃଷ୍ଣ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।