ବିହାରରେ ନୂଆଁ ମହାମେଣ୍ଟ ସରକାର : ଆଜି ଶପଥ ନେବେ ନୀତୀଶ

0
141
ବିହାରରେ ନୂଆଁ ମହାମେଣ୍ଟ

ରିପୋର୍ଟ : ରାମନାଥ ଗନ୍ତାୟତ
ପାଟନା, (୧୦/୦୮) : ବିହାରରେ ନୂଆଁ ମହାମେଣ୍ଟ ସରକାର । ଆଜି ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ । ଅପରାହ୍ନରେ ଶପଥ ନେବେ ମହାଗଠବନ୍ଧନ ସରକାର-୨.୦

ବିହାରରେ ନୂଆଁ ମହାମେଣ୍ଟ ସରକାର । ରାଜଭବନରେ ଶପଥ ନେବେ ବିହାର ର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଏ ନେଇ ଆରଜେଡି ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି । ମହାଗଠବନ୍ଧନ ପାର୍ଟ-୨ ସରକାରରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି ।

ମନ୍ତ୍ରିମଣ୍ଡଳରେ କିଏ ସଦସ୍ୟ ରହିବ, ସେ ନେଇ ନିଷ୍ପତ୍ତି ନେବାକୁ ନୀତୀଶଙ୍କୁ ବିଶେଷ ଅଧିକାର ଦିଆଯାଇଛି । ସେପଟେ ବିଧାନସଭା ର ବାଚସ୍ପତି ତେଜସ୍ୱୀଙ୍କ ଦଳ ଆରଜେଡି ଭାଗରେ ପଡ଼ିବ ବୋଲି ଜଣାପଡ଼ିଛି । ନୀତୀଶଙ୍କ ନୂଆ ସରକାରରେ କଂଗ୍ରେସ ଓ ବାମ ଦଳ ର ସଦସ୍ୟ ବି ସାମିଲ ହେବେ ବୋଲି ସୂଚନା ମିଳିଛି ।

ବିଜେପି ହାତ ଛାଡ଼ିବା ପରେ ନୀତିଶ ଗତକାଲି ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ମହାଗଠନବନ୍ଧନ ସରକାରକୁ ୭ଟି ଦଳ ର ସମର୍ଥନ ରହିଥିବା ବେଳେ ବିଧାନସଭାରେ ମେଣ୍ଟ ଦଳ ର ୧୬୪ ବିଧାୟକ ରହିଥିବା ନୀତୀଶ ସୂଚନା ଦେଇଥିଲେ ।

ସେପଟେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନୀତୀଶଙ୍କ ନାଁରେ ଆଉ ଏକ ନୂଆଁ ଯୋଡ଼ି ହେବ । ଏହାକୁ ମିଶାଇ ନୀତୀଶ ୮ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ମାର୍ଚ୍ଚ, ୨୦୦୦ ମସିହାରେ ପ୍ରଥମ କରି ବିହାର ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତୀଶ । କେନ୍ଦ୍ରରେ ବାଜପେୟୀଙ୍କ ସରକାର ଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ସିନା ହୋଇଥିଲେ କିନ୍ତୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ପୂର୍ବରୁ ତାଙ୍କୁ ପଦବୀ ଛାଡ଼ିବାକୁ ପଡ଼ିଥିଲା ।

୨୦୦୫ ରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ କୁମାର । ବିହାରରେ ଓବିସି ବର୍ଗଙ୍କ ମଧ୍ୟରେ ବେଶ୍ ପରିଚିତ ଥିବା ନୀତୀଶ ସେତେବେଳେ ସମସ୍ତଙ୍କ ପ୍ରଥମ ପସନ୍ଦ ଥିଲେ । ଏକଦା ଲାଲୁ ଯାଦବଙ୍କ ସାନ ଭାଇ ଭାବେ ପରିଚିତ ଥିବା ନୀତୀଶ, ୨୦୧୦ ରେ ବିଜେପି ସହ ମେଣ୍ଟରେ ଲଢ଼ିଥିଲେ ନିର୍ବାଚନ । ସେତେବେଳେ ସ୍କୁଲ ଛାତ୍ରୀଙ୍କୁ ମାଗଣା ସାଇକେଲ୍ ବାଣ୍ଟି ବେଶ ଚର୍ଚ୍ଚାକୁ ଆସିଥିଲେ । ହେଲେ ୨୦୧୪ ସାଧାରଣ ନିର୍ବାଚନରେ ଜେଡିୟୁ ର ଖରାପ ପଦର୍ଶନ ଓ ମୋଦି କ୍ୟାମ୍ପେନ୍ କମିଟି ର ମୁଖ୍ୟ ହେବା ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଥିଲେ ସେ ।

ନୀତୀଶ, କେବେ ଏପଟେ କେବେ ସେପଟେ । ଏହି ଥିଓରୀରେ ପୁଣିଥରେ ୨୦୧୫ ରେ ଆର୍‌ଜେଡି ଓ କଂଗ୍ରେସ ର ହାତ ଧରି ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ଦୁଇ ବର୍ଷ ନଯାଉଣୁ ମହାମେଣ୍ଟ ସହ ଅଲଗା ହୋଇଥିଲେ । ଗତକାଲି ଭଳି ୨୦୧୭ ରେ ନୀତୀଶ କୁମାର ସକାଳେ ମହାମେଣ୍ଟରୁ ଇସ୍ତଫା ଦେଇ ସଂଧ୍ୟାରେ ବିଜେପି ଆଡକୁ ଢ଼ଳି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୨୦ ରେ ପୁଣି ଥରେ ବିଜେପି ସହ ମିଶି ମୁଖ୍ୟମନ୍ତ୍ରୀ ହୋଇଥିଲେ ।