ବାଦଲଫଟା ବର୍ଷା ଯୋଗୁଁ ଉତ୍ତରାଖଣ୍ଡ ବେହାଲ

0
137
ବାଦଲଫଟା ବର୍ଷା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଉତ୍ତରାଖଣ୍ଡ, (୨୦/୦୮) : ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି । ଭୀଷଣ ଜଳପ୍ରବାହରେ ଭାସିଯାଇଛି ପୋଲ । ଚାରଆଡ଼େ ଖାଲି ପାଣି ହିଁ ପାଣି । ବାଦଲଫଟା ବର୍ଷା ଯୋଗୁଁ ଡେରାଡୁନ ସ୍ଥିତି ସଙ୍ଗୀନ ହୋଇଛି ।

ଭୀଷଣ ମାତ୍ରାରେ ଜଳପ୍ରବାହ ଯୋଗୁଁ ରାୟପୁର-କୁମଲଦା ଏରିଆ ଜଳମଗ୍ନ ହୋଇଛି । ବାଦଲଫଟା ବର୍ଷା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ସ୍ଥାନେ ସ୍ଥାନେ ଭୂସ୍ଖଳନ ମଧ୍ୟ ଜାରି ରହିଛି । ଉକ୍ତ ଅଞ୍ଚଳ ର ପ୍ରସିଦ୍ଧ ଶିବ ମନ୍ଦିର ଟପକେଶ୍ୱର ଶିବ ମନ୍ଦିରରେ ମଧ୍ୟ ଜଳ ପ୍ରବେଶ କରିଛି । ଗତକାଲି ରାତି ୨ଟା ୧୫ରେ ବାଦଲ ଫଟା ବର୍ଷା ହୋଥିଲା । ସଙ୍ଗ ନଦୀରେ ଥିବା ଏକ ପୋଲ ଭାସିଯାଇଛି । ବହୁଘରେ ପାଣି ପଶି ଜଳମଗ୍ନ ହୋଇଛି ।

ରାଜ୍ୟ ପ୍ରାକୃତି ବିପର୍ଯ୍ୟୟ ପ୍ରଶମନ ପକ୍ଷରୁ ବନ୍ୟା ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯା‌ଉଛି । ବନ୍ୟା ଯୋଗୁଁ ଅନେକ ଅଞ୍ଚଳ ଯୋଗାଯୋଗ ବିଛିନ୍ନ ହୋଇଛି । ବିଭିନ୍ନ ସ୍ଥାନରେ ଆବର୍ଜନା ଯୋଗୁଁ ରାୟପୁର-କୁମଲଡା ମୋଟର ରାସ୍ତା ଅବରୋଧ କରାଯାଇଛି ।

ତୋଟାଘାଟି ନିକଟରେ ରିଷିକେଶ-ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ରହିଛି । ସେହିପରି ନାଗାନିରେ ମଧ୍ୟ ସମାନ ପରିସ୍ଥତି ଉପୁଜିଛି । ଏଠାରେ ରିଷିକେଶ-ଗଙ୍ଗୋତ୍ରୀ ରାଜପଥକୁ ବନ୍ଦ କରାଯାଇଛି । ବର୍ଷାରେ ଏକାଧିକ ଘର ଭାଙ୍ଗିଯାଇଛି । ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି ।