ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା

0
147
ରାଜ୍ୟରେ ସ୍ୱାଭାବିକ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୦୮) : ସକ୍ରିୟ ମୌସୁମୀ ଓ ଏକାଧିକ ଲଘୁଚାପ ଯୋଗୁଁ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଜୁନ ୧ ରୁ ଅଗଷ୍ଟ ୨୧ ମଧ୍ୟରେ ରାଜ୍ୟ ର ସ୍ୱାଭାବିକ ଠାରୁ ୧୫% ଅଧିକ ବର୍ଷା ହୋଇଥିବା ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ଚଳିତ ମୌସୁମୀ ସିଜନ ର ଆରମ୍ଭରୁ ଭଲ ବର୍ଷା ହୋଇ ନଥିଲା । ହେଲେ ଏବେ ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ହେବାରୁ ବର୍ଷାର ପରିମାଣ ବଢ଼ିଛି । ସେହିପରି ଲଘୁଚାପ ଯୋଗୁଁ ମୌସୁମୀ ମଧ୍ୟ ସକ୍ରିୟ ହୋଇଛି । ସ୍ଥିତି ଏପରି ହୋଇଛି ଯେ ଉପକୂଳ ଠାରୁ ଆରମ୍ଭ କରି ଉତ୍ତର ଓଡ଼ିଶା ର ଏକାଧିକ ଜିଲ୍ଲାରେ ଭୟଙ୍କର ବନ୍ୟା ସମସ୍ୟା ଦେଖାଯାଇଛି । ଜୁଲାଇ ମାସରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା । କିନ୍ତୁ ଅଗଷ୍ଟ ପ୍ରଥମ ସପ୍ତାହରୁ ହିଁ ଓଡ଼ିଶା ର ଅଧିକାଂଶ ଜିଲ୍ଲାରେ ବର୍ଷା ହେଉଛି । ଏଥିଯୋଗୁଁ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

ପାଣିପାଗ କେନ୍ଦ୍ର ର ସୂଚନା ଅନୁଯାୟୀ, ଜୁନ୍‌ ୧ ରୁ ଅଗଷ୍ଟ ୨୧ ମଧ୍ୟରେ ମୋଟ ୯୩୪.୨ ମିଲିମିଟର ବର୍ଷା ସମଗ୍ର ରାଜ୍ୟରେ ହୋଇଛି । ଏହି ସମୟରେ ସାଧାରଣତଃ ୮୧୧.୯ ମିମି ବର୍ଷା ରେକର୍ଡ ହେବା କଥା । କିନ୍ତୁ ଚଳିତ ଥର ସ୍ୱାଭାବିକ ଠାରୁ ୧୫% ଅଧିକ ବର୍ଷା ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଏଠାରେ ସ୍ୱାଭାବିକ ଠାରୁ ଅଧିକ ୭୩% ବର୍ଷା ରେକର୍ଡ ହୋଇଛି ।

ଏହାପଛକୁ ବୌଦ୍ଧରେ ସ୍ୱାଭାବିକ ଠାରୁ ଅଧିକ ୬୨% ବର୍ଷା ରେକର୍ଡ କରାଯାଇଛି । ସେହିପରି ଦେବଗଡ଼ରେ ୪୦%, ଢେଙ୍କାନାଳରେ ୨୯%, ଜଗତସିଂହପୁରରେ ୨୧%, ନୟାଗଡ଼ରେ ୨୨%, ନୂଆପଡ଼ାରେ ୨୦%, କୋରାପୁଟରେ ୩୦%, ରାୟଗଡ଼ାରେ ୩୩% ଓ ଗଜପତିରେ ସ୍ୱାଭାବିକ ଠାରୁ ୨୦% ଅଧିକ ବର୍ଷା ହୋଇଛି । ରାଜ୍ୟର ବାକି ୨୦ ଜିଲ୍ଲାରେ ସ୍ୱାଭବିକ ବର୍ଷା ହୋଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଅଗଷ୍ଟ ୨୩ ରୁ ପୁଣି ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ଥିବା କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ୨୩ ରୁ ୨୪ ତାରିଖ ଭିତରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼ା, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ରହିଛି ।

୨୪ ରୁ ୨୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହି ଜିଲ୍ଲା ଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, କରୋପୁଟ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି । ଏ ସମସ୍ତ ଜିଲ୍ଲା ଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।