ଯୌତୁକ ନିର୍ଯାତନାରେ ଅତିଷ୍ଠ ମହିଳା ଥାନା ଆଗରେ ବିଷ ପିଇଦେଲେ

0
107
ଯୌତୁକ ନିର୍ଯାତନାରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର/ଭୁବନେଶ୍ୱର, (୨୪/୦୮) : ଯୌତୁକ ନିର୍ଯାତନାରେ ଅତିଷ୍ଠ ହୋଇ ପଡ଼ିଥିଲେ ମହିଳା । ନ୍ୟାୟ ପାଇଁ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇ ନିରାଶ ହୋଇ ପଡ଼ିଥିଲେ ।

ସ୍ୱାମୀ ସବୁବେଳେ ପାଖେପାଖେ ଛିଡ଼ା ହୋଇଥିଲେ ବି ଶାଶୁ ଘର ଲୋକେ ଘରେ ପୂରାଇ ଦେଉନଥିଲେ । ଏପରିକି ଉଭୟ ସ୍ୱାମୀ ସ୍ତ୍ରୀ ଏକ ଛୋଟ ପୁଅକୁ ଧରି ବାହାରେ ରହୁଥିବା ବେଳେ ଯୌତୁକ ନିର୍ଯାତନାରେ ଅତିଷ୍ଠ ମହିଳା ନ୍ୟାୟ ପାଇଁ ଥାନାକୁ ଦୌଡ଼ୁଥିଲେ । ମାତ୍ର ପୁଲିସ୍‌ ନିକଟରୁ ସେପରି କିଛି ସୁଫଳ ନ ମିଳିବାରୁ ଗତକାଲି ମହିଳା ଜଣକ ଥାନା ସମ୍ମୁଖରେ ବିଷ ପିଇ ଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସମ୍ମୁଖରେ ଘଟିଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣକ ଏମ ଝିଲି ପାତ୍ର ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଛତ୍ରପୁର ମହାବୀର ନଗର ର ଏମ ଝିଲି ପାତ୍ର ଓ ଏମ୍‌ ମୁନ୍ନା ପାତ୍ର ନାମକ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା ।

ଏହାପରେ ଉଭୟ ୨୦୨୦ ଡିସେମ୍ବର ୮ ରେ ବିବାହ କରିଥିଲେ । ମାତ୍ର ବିବାହ ପରେ ପରେ ତାଙ୍କ ଉପରେ ଅଧିକ ଯୌତୁକ ଆଣିବାକୁ ଚାପ ପଡ଼ିଲା । ଝିଅ ର ସୁଖ ପାଇଁ ବାପ ଘର ଲୋକେ ୧୦ ତୋଳା ସୁନା, ୨ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ଏତିକିରେ ସନ୍ତୁଷ୍ଟ ହେଲେନି ଶାଶୁ ଘର ଲୋକେ । ଅଧିକ ଯୌତୁକ ପାଇଁ ତାଙ୍କୁ ପୁଣି ଥରେ ନିର୍ଯାତନା ଦେବା ଆରମ୍ଭ କଲେ ।

ହେଲେ ସ୍ୱାମୀ ଏମ୍‌ ମୁନ୍ନା ପାତ୍ର ସବୁବେଳେ ଝିଲିଙ୍କ ସହ ଛିଡ଼ା ହୋଇଥିଲେ । ଏପରିକି ନିଜ ଘର ଲୋକଙ୍କ କାର୍ଯ୍ୟକଳାପକୁ ବିରୋଧ କରି ସେ ପତ୍ନୀଙ୍କ ସହ ବାହାରେ ଭଡ଼ାରେ ରହୁଥିଲେ । ଏହାପରେ ଶାଶୁ ଘରେ ନିଜ ନ୍ୟାର୍ଯ୍ୟ ଦାବି ପାଇଁ ଝିଲି ଛତ୍ରପୁର ଥାନାର ଦ୍ୱାରସ୍ଥ ହେଲେ । ଏହି ଘଟଣା ର ସମାଧାନ ପାଇଁ ଗତକାଲି ଝିଲି ଓ ତାଙ୍କ ସ୍ୱାମୀ ଛତ୍ରପୁର ଥାନାକୁ ଯାଇଥିଲେ । ହେଲେ ସେଠାରେ ଘଟଣାର ସମାଧାନ ହୋଇ ନ ପାରିବାରୁ ଝିଲି ଥାନା ସମ୍ମୁଖରେ ହିଁ ବିଷ ପିଇ ଦେଇଥିଲେ ।

ଏହାଦେଖି ଥାନା କର୍ମଚାରୀ ପ୍ରଥମେ ତାଙ୍କୁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରି ଦେଇଥିଲେ । ସେଠାରେ ତାଙ୍କ ଚିକିତ୍ସା ଚାଲିଛି । ଏ ନେଇ ଝିଲିଙ୍କ ବାପା କହିଛନ୍ତି, ୨ ବର୍ଷ ହେଲା ଝିଅକୁ ବିବାହ କରିଥିଲି । ଦାବି ମୁତାବକ ୧୦ ତୋଳା ସୁନା, ୨ ଲକ୍ଷ ଟଙ୍କା ଦେଇଥିଲି । ଏବେ ଆହୁରି ଟଙ୍କା ମାଗୁଛନ୍ତି । ମୁଁ ଆଉ ଟଙ୍କା ନ ଦେଇପାରିବାକୁ ଝିଅକୁ ଘରକୁ ନେଉ ନାହାଁନ୍ତି । ତେଣୁ ଝିଅ ବିଷ ପିଇ ଦେଇଛି । କିଛି ଦିନ ପୂର୍ବେ ଗୋପାଳପୁର ଥାନା ସମ୍ମୁଖରେ ମଧ୍ୟ ସମାନ ଘଟଣା ଘଟିଥିଲା । ନ୍ୟାୟ ନ ପାଇ ଥାନା ସମ୍ମୁଖରେ ବିଷ ପିଇ ଜଣେ ମହିଳା ଆତ୍ମହତ୍ୟା କରିଥିଲେ ।