ଧ୍ୱଂସ ହେବ ଟ୍ୱିନ୍‌ ଟାୱାର୍‌ ! ପୂରା ଅଞ୍ଚଳରେ ୧୪୪ ଧାରା ଜାରି

0
159
ଧ୍ୱଂସ ହେବ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୮/୦୮) : ଆଉ କିଛି ଘଣ୍ଟା ପରେ ଧ୍ୱଂସ ହେବ ଟ୍ୱିନ୍‌ ଟାୱାର୍‌ । ବିସ୍ଫୋରଣ କରି ଉଡାଇ ଦିଆଯିବ ନଏଡା ର ସେକ୍ଟର ୯୩-ଏ ଅଞ୍ଚଳରେ ବେଆଇନ୍‌ ତିଆରି ହୋଇଥିବା ସୁଉଚ୍ଚ ଅଟ୍ଟାଳିକା ।

ଧ୍ୱଂସ ହେବ ଟ୍ୱିନ୍‌ ଟାୱାର୍‌ ! ତେବେ ବିସ୍ଫୋରଣ ପୂର୍ବରୁ ବଡ ପ୍ରସ୍ତୁତି କରାଯାଇଛି । ଦୁଇଟି ଟାୱାର୍‌ ଆଖପାଖ ର ୧୦୦ ମିଟର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏଥିସହ ପୂରା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏହି ଅଞ୍ଚଳରେ କେବଳ ୬ ଜଣ ଲୋକଙ୍କୁ ରହିବା ପାଇଁ ଅନୁମତି ଦିଆଯାଇଛି । ବ୍ଲିଙ୍କ ମ୍ୟାନ୍ ଓ ତାଙ୍କ କମ୍ପାନୀ ର ଦୁଇ ଜଣ ବିଶେଷଜ୍ଞ, ଏଡିଫାଇସ୍ ଇଞ୍ଜିନିୟରିଂର ଜଣେ ଅଧିକାରୀ, ଜଣେ ବରିଷ୍ଠ ପୁଲିସ ଅଧିକାରୀ ଓ ଯିଏ ବିସ୍ଫୋରଣ କରିବେ ସେମାନେ ହିଁ କେବଳ ଉପସ୍ଥିତ ରହିବେ ।

ସେହିପରି ଆଖପାଖ ଅଞ୍ଚଳ ର ଲୋକଙ୍କୁ ଖାଲି କରାଯାଇଛି । କେବଳ ଲୋକେ ନୁହଁନ୍ତି ବୁଲା କୁକୁରମାନଙ୍କୁ ରକ୍ଷା କରିବା ପାଇଁ ମଧ୍ୟ ବଡ ପଦକ୍ଷେପ ନିଆଯାଇଛି । ଅନେକ ଏନଜିଓ ର କର୍ମକର୍ତ୍ତାମାନେ ଏହି ଅଞ୍ଚଳ ର କୁକୁର ମାନଙ୍କ ଜୀବନ ରକ୍ଷା କରିବା ପାଇଁ ସେମାନଙ୍କୁ ଉଦ୍ଧାର କରି ଅନ୍ୟତ୍ରକୁ ସ୍ଥାନାନ୍ତର କରୁଛନ୍ତି । ଏନଜିଓ ର ଜଣେ ସଦସ୍ୟ କହିଛନ୍ତି ଯେ ସେମାନେ ଏପର୍ଯ୍ୟନ୍ତ ୩୦ ରୁ ୩୫ କୁକୁରକୁ ଉଦ୍ଧାର କରିଛନ୍ତି ଏବଂ ଅବଶିଷ୍ଟ କୁକୁର ମାନଙ୍କୁ ମଧ୍ୟ ଉଦ୍ଧାର କରିବାକୁ ଚେଷ୍ଟା ଚାଲିଛି ।

ଏହି ଟାୱାର ପାଇଁ ବିସ୍ଫୋରକ ଯୋଗାଇଥିବା କମ୍ପାନୀ ହରିୟାଣା ର । ସେହି କମ୍ପାନୀ ର ଚେତନ ଦତଙ୍କ ହାତରେ ବିସ୍ଫୋରଣ କାମ ଶେଷ ହେବ । ସେ ଗ୍ରୀନ୍ ବଟନକୁ ଦବାଇବେ । ଏହା ପରେ ବିସ୍ଫୋରଣ ଆରମ୍ଭ ହେବ । ବିସ୍ଫୋରଣ ପରେ ଏଥିରୁ ୫୫,୦୦୦ ରୁ ୮୦,୦୦୦ ଟନ୍‌ ଯାଏଁ ଆବର୍ଜନା ବାହାରିବ । ଯାହାକୁ ସଫା କରିବାକୁ ଅତି କମରେ ୩ ମାସ ସମୟ ଲାଗିବ ।

କେବଳ ଏତିକି ନୁହେଁ, ବିସ୍ଫୋରଣ ଘଟିବା ମାତ୍ରେ ଏହା ବାୟୁକୁ ପ୍ରଦୂଷଣ କରିବା ସହ ଏକ ବିରାଟ କଂକ୍ରିଟ ଧୂଳି ଉଠିବ, ଯାହା ଆଖପାଖ ଅଞ୍ଚଳକୁ ଆଚ୍ଛାଦିତ କରିବ । ଏହା ଅଧିକ ବାୟୁ ପ୍ରଦୂଷଣ ର କାରଣ ହୋଇପାରେ । ତେବେ ଏହାର ମୁକାବିଲା ପାଇଁ ନଏଡା ପ୍ରାଧିକରଣ ଦ୍ୱାରା ଅନେକ ପ୍ରସ୍ତୁତି କରାଯାଇଛି, ଯାହାଫଳରେ ଧୂଳି ଦୀର୍ଘ ସମୟ ପର୍ଯ୍ୟନ୍ତ ବାୟୁରେ ରହିବ ନାହିଁ । ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଏକ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି ।

ଆଖପାଖ ଅଞ୍ଚଳରେ ଧୂଳି ଓ କଙ୍କ୍ରିଟ ଗୁଣ୍ଡକୁ ଦୂର କରିବା ପାଇଁ ୧୦୦ ଟି ପାଣି ଟ୍ୟାଙ୍କରକୁ ନିୟୋଜିତ କରାଯାଇଛି । ଏଥିସହ ୧୫ ଟି ଆଣ୍ଟି ସ୍ମଗ ଗନ୍‌, ୬ ଟି ମେକାନିକଲ ସ୍ପିପିଂ ମେସିନ୍‌, ପ୍ରାୟ ୨୦୦ ଜଣ ସଫେତ କର୍ମଚାରୀ ଓ ୨୦ଟି ଟ୍ରାକ୍ଟର ନିୟୋଜି କରାଯାଇଛି । କେବଳ ସେତିକି ନୁହେଁ ବିଲ୍ଡିଂ ଧ୍ୱଂସ ପରେ ଆଖପାଖରେ ଥିବା ଗଛରେ ଜମିଥିବା ଧୂଳିକୁ ତୁରନ୍ତ ହଟାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଉଦ୍ୟାନ କୃଷି ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଆସନ୍ତା କିଛି ଦିନ ପାଇଁ ଆଖପାଖ ଅଞ୍ଚଳରେ ପାଣି ସିଞ୍ଚନ ଜାରି ରଖାଯିବ ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଏହି ଟ୍ୱିନ୍‌ ଟାୱାର୍‌କୁ ଭାଙ୍ଗିବା ପାଇଁ ୩୭୦୦ କିଲୋଗ୍ରାମ ବାରୁଦ ବ୍ୟବହାର କରାଯାଉଛି । ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ ଏଡିଫାଇସ୍ ଇଞ୍ଜିନିୟରିଂ ୭ ମାସର କସରତ କରିଛି । ଗୋଟିଏ ମାସ କେବଳ ପ୍ଲାନିଂ କରାଯାଇଥିଲା । ଆଉ ୬ ମାସ ବିସ୍ଫୋରକ ଖଞ୍ଜିବା ଓ ଅନ୍ୟ କାମ କରାଯାଇଛି । ଆଜି ଅଟ୍ଟାଳିକା ଭଙ୍ଗାଯିବାକୁ ଥିବାରୁ ସକାଳୁ ସକାଳୁ ଏହି ଟାୱାର ଦେଖିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।