ସ୍ୱଚ୍ଛତାର ବାର୍ତ୍ତା ନେଇ ଡ୍ରାଇଭର ଦିବସ ପାଳନ କଲେ ଗୁଣପୁର ଡ୍ରାଇଭର ମହାସଂଘ

0
148
ସ୍ୱଚ୍ଛତାର ବାର୍ତ୍ତା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର : (୧/୯) : ସ୍ୱଚ୍ଛତାର ବାର୍ତ୍ତା ନେଇ ଡ୍ରାଇଭର ଦିବସ ପାଳନ କଲେ ଗୁଣପୁର ଡ୍ରାଇଭର ମହାସଂଘ । ଆଜି ସେପ୍ଟେମ୍ବର ୧ ତାରିଖ, ଏହି ଦିନଟିକୁ ଗାଡ଼ି ଚାଳକ (ଡ୍ରାଇଭର) ମାନେ “ଡ଼୍ରାଇଭର ଦିବସ” ରୁପେ ପାଳନ କରିଆସୁଛନ୍ତି ।

ସ୍ୱଚ୍ଛତାର ବାର୍ତ୍ତା ନେଇ ଡ୍ରାଇଭର ଦିବସ ପାଳନ କଲେ ଗୁଣପୁର ଡ୍ରାଇଭର ମହାସଂଘ ର କର୍ମଚାରୀ ବୃନ୍ଦ । ସମାଜରେ ଡ୍ରାଇଭର ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ସବୁବେଳେ ଅବହେଳିତ ଓ ନିଷ୍ପେସିତ ଜୀବନ ବିତାଇବାକୁ ବାଧ୍ୟ ହୋଇଥାନ୍ତି ଏହି ଡ୍ରାଇଭର ମାନେ । ଚବିଶ ଘଣ୍ଟା ଜନତାର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ଏହି ଡ୍ରାଇଭର ମାନଙ୍କ ପାଇଁ ସରକାରଙ୍କ ପାଖରେ କୈାଣସି ଯୋଜନା ନାହିଁ । ବାରମ୍ବାର ନିଜ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି ଏହି ଡ୍ରାଇଭର ମହାସଂଘ କିନ୍ତୁ ମିଳିଛି ଖାଲି ପ୍ରତିଶ୍ରୁତି । ଆଜିର ଏହି ପବିତ୍ର ଦିବସ ଅବସରରେ ରାଜ୍ୟର ୩୦ ଜିଲ୍ଲାରେ ପାଳିତ ହେଉଛି ଡ୍ରାଇଭର ଦିବସ ।

ଗୁଣପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଶତାଧିକ ଡ୍ରାଇଭର ଏକାଠି ହୋଇ ବିଶାଳ ଶୋଭାଯାତ୍ରାରେ ବାହାରି ଗୁଣପୁର ଠାରେ ଡ୍ରାଇଭର ଦିବସ ପାଳନ କରିଛନ୍ତି । ଖାଲି ସେତିକି ନୁହେଁ ମନରେ ନିଜ କୋହକୁ ଚାପିରଖି ସ୍ୱଚ୍ଛତାର ବାର୍ତ୍ତା ବହନ କରୁଥିବା ଦେଖିବାକୁ ମିଳିଛି । ସଂଘ ତରଫରୁ ସରକାରଙ୍କ ନିକଟରେ ୧୧ ଟି ଦାବି ଉପସ୍ଥାପନ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାର କୈାଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ସଂଘର କର୍ମକର୍ତ୍ତା କ୍ଷୋଭ ପ୍ରକାଶ କରିଛନ୍ତି ।

ମୁଖ୍ୟ ଦାବି ମଧ୍ୟରେ ରହିଛି ଡ୍ରାଇଭର ମହାସଂଘକୁ ମାନ୍ୟତା ପ୍ରଦାନ, ୧୦୦ କିମି ପରେ ଶୈ।ଚାଳୟ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା , ଯଦି ଡ୍ରାଇଭର ମୃତ୍ୟୁ ବରଣ କରେ ତାକୁ ଅର୍ଥ ସହାୟତା, ୬୦ ବର୍ଷ କର୍ମ କଲାପରେ ପେନସନ ବ୍ୟବସ୍ଥା ଇତ୍ୟାଦି । ଏହି ପରି ୧୧ ଦଫା ଦାବି ପତ୍ର ପୂର୍ବରୁ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗଙ୍କୁ ପ୍ରଦାନ କରାଯାଇଥିଲା କିନ୍ତୁ ଅତ୍ୟାଵଧି କୈାଣସି ସମାଧାନ ହୋଇପାରିନାହିଁ ।

ଆଜିର ଏହି ପବିତ୍ର ଡ୍ରାଇଭର ଦିବସ ଅବସରରେ ଗୁଣପୁର ନୂତନ ବସଷ୍ଟାଣ୍ଡ ଠାରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ପୁଣି ସରକାରଙ୍କୁ ନିଜର ଦାବି ଗୁଡ଼ିକ ପୂରଣ ଦିଗରେ ଅନୁରୋଧ କରିଛନ୍ତି ଡ୍ରାଇଭର ମହାସଂଘର କର୍ମକର୍ତ୍ତା ବୃନ୍ଦ । ନଚେତ୍ ଆଗାମୀ ଦିନରେ ଚକା ବନ୍ଦ ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଡ୍ରାଇଭର ମହାସଂଘର ଗୁଣପୁର ବ୍ଲକ ଆଡମିନ ଦେବବ୍ରତ ପାଢି ସୂଚନା ଦେଇଛନ୍ତି । ତେବେ ଡ୍ରାଇଭର ମହାସଂଘର ଦାବି ଗୁଡ଼ିକ ସରକାର କେତେଦୂର ପୁରଣ କରିବାରେ ସକ୍ଷମ ହେଉଛନ୍ତି ଦେଖିବାକୁ ବାକି ରହିଲା ।