ପୁଲିସ ବାବୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନେଇଗଲେ ୧୦ ଲକ୍ଷ

0
127
ପୁଲିସ ବାବୁଙ୍କ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମଗିରି, (୦୪/୦୯) : ବ୍ରହ୍ମଗିରି ଥାନା ଠାରୁ ୫୦୦ ମିଟର ଦୂର ବ୍ରହ୍ମଗିରି ବଜାରରେ ପୁଲିସ ବାବୁଙ୍କ ମୁଣ୍ଡରେ ଲାଗିଛି ବନ୍ଧୁକ । ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।

ଆଜି ସ୍ପଷ୍ଟ ଦିବାଲୋକରେ ଘଟିଯାଇଛି ଏହି ଅଭାବନୀୟ ଘଟଣା । ଯାହା ଜଣାପଡ଼ିବା ପରେ ବ୍ରହ୍ମଗିରିରେ ଆଇନଶୃଙ୍ଖଳା ପରିସ୍ଥିତି ଓ ପୁଲିସ ର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁଠି ଲୋକଙ୍କ ସୁରକ୍ଷା ଦେଉଥିବା ପୁଲିସ ବାବୁମାନେ ସୁରକ୍ଷିତ ନୁହଁନ୍ତି, ସେଠାରେ ଲୋକଙ୍କ ଧନଜୀବନ କିପରି ସୁରକ୍ଷିତ ତାହା ଉପରେ ଆଙ୍ଗୁଳି ଉଠିଛି । ଏହି ପୁଲିସ ବାବୁଙ୍କ ନାମ ରାକେଶ କୁମାର ସାହୁ । ସେ ଏହି ଘଟଣା ନେଇ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ପାଇ ବ୍ରହ୍ମଗିରି ପୁଲିସ ଘଟଣା ର ତଦନ୍ତ କରୁଛି ।

ମିଳିଥିବା ସୂଚନା ଅନୁସାରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସହଜନପୁର ଗ୍ରାମ ର ରାକେଶ ଆଜି ଦିନ ପ୍ରାୟ ସାଢେ଼ ୧୧ଟା ବେଳେ ବ୍ରହ୍ମଗିରି ଷ୍ଟେଟ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଉଠାଇଥିଲେ । ଉକ୍ତ ଟଙ୍କାକୁ ବ୍ରହ୍ମଗିରି ଗ୍ରାମ ର ମହେଶ୍ୱର ସାହୁ ନାମକ ଜଣେ ସମ୍ପର୍କୀୟଙ୍କୁ ଦେବା ପାଇଁ ସେ ଯାଉଥିଲେ । ଏହି ସମୟରେ ବ୍ରହ୍ମଗିରି ରାସ୍ତା ର ସବ୍‌-ରେଜିଷ୍ଟର କାର୍ଯ୍ୟାଳୟ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ହଠାତ୍ ତାଙ୍କୁ ଅଟକାଇଥିଲେ । କିଛି ବି ବୁଝିବା ପୂର୍ବରୁ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସମସ୍ତ ଟଙ୍କା ଲୁଟି ନେଇ ବାଇକ୍‌ରେ ଛୁ ମାରିଥିଲେ ଦୁର୍ବୃତ୍ତ।

ଏ ନେଇ ଏତଲା ପରେ ବ୍ରହ୍ମଗିରି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ପୁରୀ ସଦର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି । ସେପଟେ ଗଣମାଧ୍ୟମ ପ୍ରତିନିଧିମାନେ ଥାନାରେ ପହଞ୍ଚିବା ବେଳକୁ ଅଭିଯୋଗକାରୀ ମଧ୍ୟ ଥାନା ଛାଡ଼ି ପଳାଇଛନ୍ତି । ପୁଲିସ ସିସି ଟିଭି ଫୁଟେଜକୁ ଆଧାର କରି ଓ ଟଙ୍କା ଉଠାଣ ନେଇ ବ୍ୟାଙ୍କରେ ପଚରାଉଚରା ପରେ ତଦନ୍ତ ଆଗେଇଛି । ପୁରୀ ସଦର ଏସ୍‌ଡିପିଓ କିଶ୍ୱର୍ ଚନ୍ଦ୍ର ମୁଣ୍ଡ କହିଛନ୍ତି, ଘଟଣା ନେଇ ତଦନ୍ତ ଜାରି ରହିଛି । ସ୍ପଷ୍ଟ ଚିତ୍ର ଆସିବା ପରେ ସୂଚନା ଦିଆଯିବ ।