ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା : ଗୋରୁ ଚାରା ଧରି ୫୫ ଯାତ୍ରୀ ଫେରିବା ବେଳେ ଅଘଟଣ

0
132
ଗଙ୍ଗା ନଦୀରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ପାଟନା, (୦୫/୦୯) : ଗଙ୍ଗା ନଦୀ ରେ ଘଟିଛି ବୋଟ୍‌ ଟ୍ରାଜେଡି । ପ୍ରାୟ ୫୫ ଜଣଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଗଙ୍ଗା ନଦୀରେ ଓଲଟି ପଡ଼ିବାରୁ ୧୦ ରୁ ଊର୍ଦ୍ଧ୍ୱ ଜଣଙ୍କ ପତ୍ତା ମିଳୁନି ।

ଏପରି ଅଘଟଣ ଗତକାଲି ସନ୍ଧ୍ୟା ସମୟରେ ବିହାର ରାଜଧାନୀ ପାଟନା ନିକଟବର୍ତ୍ତୀ ଦାନପୁର ଅଞ୍ଚଳରେ ଗଙ୍ଗା ନଦୀରେ ଘଟିଛି । ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଶାହପୁର ପୁଲିସ୍‌ ଷ୍ଟେସନ ଅଧୀନ ଦାଉଦପୁର ଅଞ୍ଚଳର ବୋଲି ଜଣାଯାଇଛି ।

ସୂଚନା ଅନୁଯାୟୀ, ଦାଉଦପୁର ଅଞ୍ଚଳ ଲୋକେ ପ୍ରତିଦିନ ଡଙ୍ଗାରେ ଗଙ୍ଗା ପାର୍‌ ହୋଇ ନଦୀ ର ଅପରପାର୍ଶ୍ୱକୁ ସେମାନଙ୍କ ଗାଇଙ୍କ ପାଇଁ ଚାରା ଆଣିବାକୁ ଯାଇଥାନ୍ତି । ଗତକାଲି ମଧ୍ୟ ସମାନ ଭାବେ ଏକ ଡଙ୍ଗାରେ ପ୍ରାୟ ୫୫ ରୁ ଊର୍ଦ୍ଧ୍ୱ ଯାତ୍ରୀ ଚାରା ଆଣିବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ନଦୀ ମଝିରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଲା ।

ଖବର ପାଇ ଶାହପୁର ଓ ମନେର ଥାନା ଅଧିକାରୀ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ସଙ୍ଗେ ସଙ୍ଗେ ପ୍ରାୟ ୪୦ ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ହେଲେ ଏବେ ବି ୧୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ଏହି ଖବର ପ୍ରଚାରିତ ହେବା ପରେ ଦାଉଦପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବରିଷ୍ଠ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି ।