ମହାରାଣୀ ଏଲିଜାବେଥଙ୍କ ପରଲୋକରେ ବ୍ରିଟେନବାସୀଙ୍କୁ ସମ୍ବୋଧନ କରିବେ କିଙ୍ଗ୍ସ ଚାର୍ଲସ୍

0
212
ମହାରାଣୀ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଲଣ୍ଡନ, (୦୯/୦୯) : ମହାରାଣୀ ଏଲିଜାବେଥଙ୍କ ପରଲୋକରେ ବ୍ରିଟେନ ଶୋକରେ ବୁଡ଼ିଥିବା ବେଳେ ଆଜି କିଙ୍ଗ୍ସ ଚାର୍ଲସ୍ ବ୍ରିଟେନବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି ।

ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ ରାଜା ହୋଇଛନ୍ତି । ବିଧିବଦ୍ଧ ଭାବେ ଆସନ୍ତାକାଲି ଆସେସନ୍ କାଉନ୍ସିଲ୍ ଦ୍ୱାରା ଚାର୍ଲସଙ୍କୁ ରାଜା ଭାବେ ଅଭିଷିକ୍ତ କରାଯିବ ବୋଲି ଜଣାପଡ଼ିଛି । ସେ ବାଲମୋରରୁ ଆଜି ହିଁ ଲଣ୍ଡନ ଫେରିବେ ଓ ଦେଶବାସୀଙ୍କୁ ସମ୍ବୋଧନ କରିବେ । ମହାରାଣୀ ଏଲିଜାବେଥଙ୍କ ପାର୍ଥିବ ଶରୀରକୁ ମଧ୍ୟ ଆଜି ବାଲମୋରରୁ ପ୍ରଥମେ ଏଡିନବର୍ଗ ନିଆଯିବ । ସେଠାରୁ ଅଣାଯିବ ଲଣ୍ଡନ ।

ରାଣୀଙ୍କ ମୃତ୍ୟୁରେ ବ୍ରିଟେନ ସରକାର ୧୦ ଦିନ ଶୋକ ପାଳନ କରିବେ । ହାଇଡ୍ ପାର୍କରେ ତୋପ ସଲାମି ଦିଆଯିବ । ସେହିପରି ଓ୍ୱେଷ୍ଟାମିନଷ୍ଟର ଆବେରେ ଥିବା ଚର୍ଚ୍ଚର ବେଲ୍ ବଜାଯିବ । ୟୁନିୟନ ଫ୍ଲାଗ୍ ଅଧନମିତ ରହିବ । ଏଡିନବର୍ଗରୁ ପରଦିନ ଜାଇଲ୍ସ କ୍ୟାଥଡ୍ରଲ୍ ଅଣାଯିବ । ଏଠାରେ ପରିବାରର ସଦସ୍ୟ ଓ ସାଧାରଣ ଜନତା ପାର୍ଥୀବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେବେ । ଏହି କାର୍ଯ୍ୟକ୍ରମ ପରେ ମୃତଦେହକୁ ବକିଂହାମ ପ୍ୟାଲେସ ନିଆଯିବ । ସେଠାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇବେ । ଏଠାରେ ମୃତଦେହକୁ ୮ ଦିନ ରଖାଯିବ । ଶେଷରେ ଓ୍ୱେଷ୍ଟାମିନଷ୍ଟରରେ ଅନ୍ତିମ ସଂସ୍କାର କରାଯିବ । ୧୯୫୨ ମସିହାରେ ରାଣୀ କ୍ଷମତା ଗ୍ରହଣ କରିବା ପରଠାରୁ ବ୍ୟାପକ ସାମାଜିକ ପରିବର୍ତ୍ତନ ଆଣିଥିଲେ ।

୧୯୨୬ ଏପ୍ରିଲ ୨୧ ତାରିଖରେ ମହାରାଣୀ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ବ୍ରିଟେନ ର ରାଜା ଥିଲେ ପଞ୍ଚମ ଜର୍ଜ । ଏଲିଜାବେଥଙ୍କ ପିତା ଜର୍ଜ-୬ ମଧ୍ୟ ପରେ ବ୍ରିଟେନର ରାଜା ହୋଇଥିଲେ । ରାଣୀଙ୍କ ଦେହାନ୍ତ ପରେ ସ୍କଟଲାଣ୍ଡ ସଂସଦ କାର୍ଯ୍ୟକୁ ବାତିଲ କରାଯାଇଛି ।

ଗତକାଲି ତାଙ୍କର ପରଲୋକ ହୋଇଥିଲା । ୯୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ରାଣୀ ଏଲିଜାବେଥ୍ ବାର୍ଦ୍ଧକ୍ୟଜନିତ ଅସୁସ୍ଥସ୍ଥତା କାରଣରୁ ରାଜଧାନୀ ଲଣ୍ଡନ ଛାଡ଼ି ସ୍କଟଲ୍ୟାଣ୍ଡରେ ରହୁଥିଲେ । ବାଲମୋରାଲ କ୍ୟାସଲରେ ଗତବର୍ଷ ‌ଅକ୍ଟୋବରରୁ ତାଙ୍କ ଚିକିତ୍ସା ଚାଲିଥିଲା । ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା । ଲଣ୍ଡନରୁ ପରିବାର ସଦସ୍ୟ ବି ପହଁଚିଯାଇଥିଲେ । କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା ।