ବେଆଇନ ଭାବରେ ୟୁରିଆ ସାର ଚୋରା ଚାଲଣ : ୫୦ ବସ୍ତା ସାର ଜବତ୍

0
199
ବେଆଇନ ଭାବରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୯) : ସୁବର୍ଣ୍ଣପୁର ଜିଲ୍ଲାରେ ବେଆଇନ ଭାବରେ ୟୁରିଆ ସାର କଳାବଜାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବସ୍ତାକୁ ସରକାରୀ ଦର ୨୬୬ ଟଙ୍କା ଥିବାବେଳେ ଚାଷୀ ମାନେ କଳାବଜାରୀ ମାନଙ୍କ ଠାରୁ ୪୫୦ ଟଙ୍କାରୁ ୫୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି ।

ଏଭଳି ଏକ କଳାବଜାରୀ ୟୁରିଆ ସାର ବେଆଇନ ଭାବରେ ନେଉଥିବା ବେଳେ ସୁବଳୟା ପୁଲିସ ହାତରେ ଧରା ପଡିଛି । ମିଳିଥିବା ସୁଚନା ଅନୁସାରେ ସୋମବାର ଦିନ ଏକ ବଲେରୋ ପିକକ୍ ଭ୍ୟାନ ଯାହାର ନମ୍ବର ହେଉଛି ଓଡି ୧୫-ଏଲ୍ -୬୦୯୯ ଗାଡ଼ିରେ ୫୦ ବସ୍ତା ୟୁରିଆ ସାର ନେଇ ଯାଉଥିବା ବେଳେ ସୁବଳୟା ପୁଲିସ ଖବର ପାଇ ପଣ୍ଡୁଆ ମେଟାକାନି ଛକ ପାଖରୁ ଉକ୍ତ ଗାଡିକୁ ଜବତ୍ କରିବା ସହିତ ଅଭିଯୁକ୍ତ ତଥା ଡ୍ରାଇଭର ସୂର୍ଯ୍ୟକାନ୍ତ ପଣ୍ଡା (୨୯) ଅଟକ ରଖିବା ସହିତ ପଚରାଉଚରା କରିଥିଲା ସୁବଳୟା ପୁଲିସ ।

ଅଭିଯୁକ୍ତ ସାର ନେଉଥିବା କୌଣସି କାଗଜପତ୍ର ଦେଖାଇ ନପାରିବାରୁ ଗାଡ଼ି ସହିତ ଅଭିଯୁକ୍ତକୁ ସୁବଳୟା ଥାନା କୁ ଅଣାଯାଇଥିଲା । ଏହି ସମୟରେ କାର୍ଯ୍ୟରତ ସୁବଳୟା ଥାନା ର ପୁଲିସ କର୍ମଚାରୀ ଙ୍କୁ ମୁଖ୍ୟ ଅଭିଯୁକ୍ତ ର ଦୁଇ ଭାଇ ରଘୁନାଥ ପଣ୍ଡା ଓ ବିଶ୍ଵନାଥ ପଣ୍ଡା ଗାଳି ଗୁଲଜ କରିବା ସହିତ ସେଠାରୁ ଫେରାର୍ ହୋଇଥିଲେ । ଏହି ଚଢାଉ ର ନେତୃତ୍ୱ ନେଇଥିଲେ ଏଏସଆଇ ସନ୍ତୋଷ ସିନ୍ଦ୍ରିଆ, ସୌମିତ୍ରୀ ବାଘ, ରଞ୍ଜନ କୁମାର ଦାନି ଓ ହିମାଂଶୁ ମଲ୍ଲିକ ସାମିଲ ହୋଇଥିଲେ । ସୁବଳୟା ଥାନା କେସ୍ ନମ୍ବର ୧୧୭/୨୨ ରେ ବିଭିନ୍ନ ଦଫାରେ ତିନି ଅଭିଯୁକ୍ତଙ୍କ ନାମରେ ମାମଲା ରୁଜ୍ଜୁ କରି ଥାନା ଅଧିକାରୀ ଅଞ୍ଜଳି କୁମ୍ଭାର ଏହାର ତଦନ୍ତ ଚଳାଇଛନ୍ତି ।

ବୀରମହାରାଜପୁର ବ୍ଳକ କୃଷି ଅଧିକାରୀ ମକରଧ୍ବଜ ପଟେଇ, ବିଟିଏମ୍ ଜିତେନ୍ଦ୍ରିୟ ମେହେର, ଏଟିଏମ୍ ଚନ୍ଦ୍ର ଶେଖର ନାଏକ ସୁବଳୟା ଥାନାରେ ପହଞ୍ଚି ଜବତ ୟୁରିଆ ସାରକୁ ଖଣ୍ଡହଥା ପେସ୍କରେ ଜିମା ଦେଇଛନ୍ତି । ଜିଲ୍ଲାପାଳଙ୍କ ଠାରୁ ଆଦେଶ ପାଇଲାପରେ ଜବତ୍ ସାରକୁ ସରକାରୀ ଦରରେ ବିକ୍ରି କରାଜିବ ବୋଲି ବ୍ଲକ କୃଷି ଅଧିକାରୀ ଶ୍ରୀ ପଟେଲ କହିଛନ୍ତି ।