ପାର୍ବଣ କୁ ଆଗମନ କରୁଛି କାଶତଣ୍ଡୀ : ଧରା ପୃଷ୍ଠ କୁ ଅବତରଣ କରିବେ ମାଁ ଜଗତ ଜନନୀ ଦୁର୍ଗା

0
142
ପାର୍ବଣ କୁ ଆଗମନ

ଉପସ୍ଥାପନା : ନରତ୍ତମ ପାଢ଼ୀ 
ବିଷମ କଟକ, (୨୫/୯) : ପାର୍ବଣ କୁ ଆଗମନ କରୁଛି କାଶତଣ୍ଡୀ । ଆସିଛି ଆଶ୍ୱିନ, ଆକାଶ ହେଲାଣି ମେଘମୁକ୍ତ, ନଦୀ ପାଣି ହେଲାଣି ଅବାରିତ ଭାବେ ସ୍ୱଚ୍ଛ, ଫୁଟିଲାଣି କାଶତଣ୍ଡୀ ଶୁଭ୍ରସ୍ୱଚ୍ଛ ଗହଳରେ ଅପେକ୍ଷାରତ ପାର୍ବଣ ର ଆଗମନକୁ ଧରାପୃଷ୍ଠରେ କାଶତଣ୍ଡୀର ଅପୂର୍ବ ସମ୍ଭାର  । ଯେପରି ସେ କାହାକୁ ସ୍ୱାଗତ କରିବା ପାଇଁ ବ୍ୟଗ୍ର । ଶସ୍ୟଶ୍ୟାମଳା ଧରଣୀ ନିଜର ସବୁଜ କ୍ଷେତ୍ର ପ୍ରସ୍ତୁତ କରିସାରିଛି । WhatsApp Image 2022 09 25 at 6.18.48 PM ପାର୍ବଣ କୁ ଆଗମନ କରୁଛି କାଶତଣ୍ଡୀ : ଧରା ପୃଷ୍ଠ କୁ ଅବତରଣ କରିବେ ମାଁ ଜଗତ ଜନନୀ ଦୁର୍ଗା

ଏହି ସବୁ ଭବ୍ୟ ଆୟୋଜନ କେବଳ ଜଣକ ପାଇଁ । ଯାହାର ଆସିବାର ଶୁଭ ସୂଚନା ଶରତ ଋତୁ ପ୍ରଦାନ କରିସାରିଛି । ପାର୍ବଣ କୁ ଆଗମନ କରୁଛି କାଶତଣ୍ଡୀ । ଏହି ଶରତ ହେଉଛି ବିଶ୍ୱଜନନୀଙ୍କର ଧରାବତରଣ ର ଋତୁ । ପ୍ରତିବର୍ଷ ଏହି ଋତୁରେ ନିଜ ସନ୍ତାନ ମାନଙ୍କ ଦୁଃଖ ସୁଖ ବୁଝିବା ପାଇଁ ସେ ଧରାପୃଷ୍ଠରେ ପାଦ ଥାପେ । ମାଁ ହିଁ ତ ସନ୍ତାନ ର ଆପଣାର । ନିଜ ସନ୍ତାନ ମାନଙ୍କର ଦୁଃଖ ସୁଖ ର ସାଥି ହେଉଛି ମାଁ । ନିଜ ସନ୍ତାନ ମାନଙ୍କ ସୁରକ୍ଷା ପାଇଁ ତ ମାଁ ସାଜିଥିଲା ମହିଷାସୁର ମର୍ଦ୍ଧିନୀ । ସେଇ ଦୁର୍ଗା ନାମ ଉଚ୍ଚାରଣରେ ସବୁ ଭୟ ସବୁ ଦୁଃଖ ନିମିଷକ ମଧ୍ୟରେ ଦୁରେଇ ଯାଏ । ମାଁ ର ବାହନ ସିଂହ ହୋଇଥିଲେ ମଧ୍ୟ ଅଶ୍ୱ, ନୌକା, ଗଜ, ଶାବରୀ ଏହି ଚାରୋଟି ଯାନ ହେଉଛି ମାଁ ର ମଞ୍ଚପୁରକୁ ଆଗମନ ର ମାଧ୍ୟମ । ପ୍ରତିବର୍ଷ ମାଁ ଏହି ଚାରୋଟି ବାହାନ ମଧ୍ୟରୁ ଗୋଟିଏ ବାହନରେ ବିଜେ ହୋଇ ନିଜ ସନ୍ତାନ ମାନଙ୍କ ପାଖକୁ ଆସିଥାଏ ।

ପୂଜା ମଣ୍ଡପରେ ମାଁ ର ମୁଣ୍ମୟୀ ପ୍ରତିମା ର ଦର୍ଶନରେ ମନ ଉଲ୍ଲସିତ ହୋଇଯାଏ । ନିଜ ସନ୍ତାନ ର ସୁରକ୍ଷା ପାଇଁ ଦଶଭୁଜରେ ତାର ଦଶ ପ୍ରହରଣ । ସେଇ ମଙ୍ଗଳମୟୀ ମହାଦେବୀଙ୍କର ଆଗମନ ର ଶୁଭ ମୁହୂର୍ତ୍ତ ଆଗତ ପ୍ରାୟ ତେଣୁ ନଈ ପଠା, ରାସ୍ତାକଡ଼, ବିଲ ହୁଡା, ସବୁଠି ଧରଣୀ ରାଣୀଙ୍କ ଜୁଡାରେ ଅତି ଯତ୍ନରେ ଖୁଞ୍ଚି ହୋଇପଡିଛି କାଶତଣ୍ଡୀ ର ଧବଳ ବେଣୀ । ଶରତ ଆଗମନରେ ତମାମ ମେଘଖଣ୍ଡ ଅପସରି ଯାଇ ସତେ ଯେମିତି ତା’ ଧବଳ କାନ୍ତି ଛାଇ ଯାଇଛି କାଶତଣ୍ଡୀ ଦେହରେ । କାଶତଣ୍ଡୀ ର ଧବଳତାରେ ଖୁବ୍ ଶାନ୍ତ ସ୍ନିଗ୍ଧ ହୋଇ ପଡିଛି ସମଗ୍ର ଧରା । ମୃଦୁ ପବନରେ ତରଙ୍ଗାୟିତ କାଶତଣ୍ଡୀ ଫୁଲର ତାଳେ ତାଳେ ଉଲ୍ଲସି ଉଠୁଛି ସଭିଙ୍କ ତନୁ ମନ । ଆନନ୍ଦ ମୁଖର ହୋଇଉଠୁଛି ସମଗ୍ର ପଲ୍ଲୀ ।

ପାର୍ବଣ ମୁଖର ପରିବେଶ । ମାଁ ଓହ୍ଲାଇ ଆସିବେ ପୃଥିବୀ ପୃଷ୍ଠକୁ । ଦେବୀ ମାଁ ଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରକୃତି ଭେଟି ଦେଇଛି ଅନିନ୍ଦ୍ୟ ସୁନ୍ଦରୀ କାଶତଣ୍ଡୀର ଶ୍ୱେତ ସମ୍ଭାର । ଦୁର୍ଗତିନାଶିନୀ, ଦୁଷ୍ଟ ନିପାତିନୀ ମାଆ ଆସିବେ, ସାରା ଜଗତକୁ ସୁଖ ଶାନ୍ତି ସମୃଦ୍ଧିର ଆଲୋକ ବୁଣି ଦେଇ ଯିବେ । ସେଥିପାଇଁ ଶାନ୍ତିର ପ୍ରତୀକରୂପେ କେରାକେରା କାଶତଣ୍ଡୀରେ ଧବଳଭୂଷା ଧାରଣ କରିଛି ଏଇ ଧରଣୀ ରାଣୀ ।

କାଶତଣ୍ଡୀ ର ମୋହରେ କିଏ ବା ନ ପଡିଛି ଯେ ! ଆବାଳ ବୃଦ୍ଧ ବନିତା ଶାରଦୀୟ ପ୍ରକୃତି ସଂଦର୍ଶନରେ ତଲ୍ଲୀନ ହୋଇପଡନ୍ତି । କାନ୍ତିମୟ କାଶତଣ୍ଡୀକୁ ଦେଖି କବି ଭାବୁକ ଲେଖକ ଭାବନା ରାଜ୍ୟରେ ମଗ୍ନ ହୋଇ କଲମରୁ ଝରାଇ ବସନ୍ତି ଉଚ୍ଛ୍ବସିତ ଆବେଗର ଅନେକ କାବ୍ୟ କବିତା ଓ କଥା । ଚିତ୍ରକରଟିଏ ନିଜ କାନଭାସ୍ ରେ କାଶତଣ୍ଡୀର ଶୋଭାକୁ ଉତାରି ଉତ୍ଫୁଲିତ ହୋଇ ଯାଆନ୍ତି ତ ଶିଳ୍ପୀଟିଏ ମୃଣ୍ମୟୀ ପ୍ରତିମାଟିଏ ଗଢି ଦେବୀଙ୍କ ଆତ୍ମା ଭରିଦେଇ ଭାବଭକ୍ତିରେ ବିଭୋର ହୋଇଯାଆନ୍ତି । ଫଟଗ୍ରାଫର୍ ଫୋଟରେ ବାନ୍ଧି ରଖିବାକୁ ଚେଷ୍ଟା କରନ୍ତି କାଶତଣ୍ଡୀ ପ୍ରକୃତିର ଅପୂର୍ବ ଶୋଭାକୁ ।

ନଦନଦୀ, ପାହାଡ ପର୍ବତ, ବଣ ଜଙ୍ଗଲ ଘେରା ରାୟଗଡ଼ା ପରି ମାଳ ଅଞ୍ଚଳ ର ଶାରଦୀୟ ଶୋଭା ଅତୀବ ମନୋରମ । ବଂଶଧାରା ନଦୀ  ହେଉ କି ନାଗାବଳୀ ର ତଟଦେଶ ଅତ୍ର ତତ୍ର ସର୍ବତ୍ର ପାର୍ବଣ ବେଳକୁ ଛାଏଁ ପ୍ରତିବିମ୍ବିତ ହୋଇଯାଏ କାଶତଣ୍ଡୀ ର ପୁଲକଭରା ଶ୍ୱେତ ଶୋଭା । ଲାଗେ ଯେମିତି ପ୍ରକୃତି ର ସକଳ ଶୋଭା ଏକାଠି ପୁଞ୍ଜିଭୂତ ।