‘ଆଦିପୁରୁଷ’ କୁ ନେଇ ବର୍ଷିଲେ ଟେଲିଭିଜନ ର ରାମ

0
153
‘ଆଦିପୁରୁଷ’

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୦୯/୧୦) : ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ ର ଟିଜରକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖା ଦେଇଛି । ଏହାରି ଭିତରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରସିଦ୍ଧ ରାମାୟଣ ସିରିଏଲ୍‌ ର ଅଭିନେତା ଅରୁଣ ଗୋଭିଲ୍

‘ଆଦିପୁରୁଷ’ ସିନେମା ର ନିର୍ଦ୍ଦେଶକ ଓ ଲେଖକଙ୍କ ନାଁ ନ ନେଇ ପରୋକ୍ଷରେ କଡ଼ା ଭାଷାରେ ସେ ସମାଲୋଚନା କରିଛନ୍ତି । ଲୋକଙ୍କ ଧାର୍ମିକ, ସାଂସ୍କୃତିକ ଏବଂ ପରମ୍ପରାରେ କୌଣସି ନୂତନତ୍ୱ ର ଆବଶ୍ୟକତା ନାହିଁ । ଯାହା ସତ ତାହା ଆଗାମୀ ପିଢ଼ିକୁ ଦେଖାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ୫୦୦ ବର୍ଷ ର ସଂଘର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉଛି । ନିଜ ସତ୍ତା ଓ ପୌରାଣିକ ବିଷୟ ବସ୍ତୁକୁ ମନେରଖି ଶ୍ରୀରାମ ମନ୍ଦିର ହେଉଛି । ତେଣୁ ଏଥିପ୍ରତି ଆମକୁ ଯତ୍ନବାନ ହେବାକୁ ପଡ଼ିବ । ଖାଲି ଏତିକି ନୁହେଁ ଗତ କିଛି ବର୍ଷ ଧରି ସନାତନ ଧର୍ମକୁ ଆକ୍ଷେପ କରି ବିଭିନ୍ନ ସିନେମା, ଚିତ୍ର ପ୍ରଦର୍ଶନ କରାଯାଉଛି । ଏହାକୁ ତ୍ରୀବ ସମାଲୋଚନା କରିବା ସହ ସନାତନ ଧର୍ମକୁ ବିକୃତ କରିବା ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ । ଏଥିସହ କ୍ରିଏଟିଭ୍ ଲିବର୍ଟି ନାଁରେ ସନାତନ ଧର୍ମକୁ ବିକୃତ ପ୍ରଦର୍ଶନ କରିବା ବନ୍ଦ ହେଉ ବୋଲି ସେ ଦୋହରାଇଛନ୍ତି ।

ନିକଟରେ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମ ଆଦିପୁରୁଷ ର ଟିଜର୍‌କୁ ନେଇ ପ୍ରବଳ ବିରୋଧ ଦେଖା ଦେଇଛି । ଏଥିରେ ଶ୍ରୀରାମ, ରାବଣ, ହନୁମାନଙ୍କ ଚରିତ୍ର ଚିତ୍ରଣରେ ଅନେକ ଆପତ୍ତି ରହିଛି । ଶ୍ରୀରାମଙ୍କୁ ଜୋତା ପିନ୍ଧାଇବା, ରାବଣ ର ଲୁକ୍, ହନୁମାନଙ୍କ ଚମଡ଼ା ବେଲ୍ଟ ପରିଧାନ କରିବା ଏବଂ ସୀତାଙ୍କ ସହ ରାମଙ୍କ ଡୁଏଟ୍ ଗୀତ ଭଳି ଦୃଶ୍ୟ ଲୋକଙ୍କୁ ବ୍ୟଥିତ କରିଛି ।

ଏହାକୁ ନେଇ ଫିଲ୍ମ ର ରିଲିଜ ଉପରେ ରୋକ ଲଗାଇବା ପାଇଁ ଦାବି କରି ଦିଲ୍ଲୀ ର ତିସହଜାରି କୋର୍ଟରେ ଆବେଦନ ହୋଇଛି । ‘ଆଦିପୁରୁଷ’ ରେ ପ୍ରଭୁ ରାମ ଏବଂ ହନୁମାନଙ୍କୁ ଭୁଲ୍‌ ରୂପେ ଚିତ୍ରଣ କରାଯାଇଛି । ସେମାନଙ୍କୁ ଚମଡ଼ା ବେଲ୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ସେହିଭଳି ରାବଣ ର ଭୂମିକାକୁ ନେଇ ମଧ୍ୟ ଆବେଦନରେ ଅଭିଯୋଗ ହୋଇଛି । ଏହି ଫିଲ୍ମ ରିଲିଜ ହେଲେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବ । ତେଣୁ ଏହାର ରିଲିଜ ଉପରେ ରୋକ ଲଗାଇବା ପାଇଁ ଆବେଦନରେ ଦାବି କରାଯାଇଛି ।