ଗୋଠଳପଦର ଗ୍ରାମରେ ନୂତନ ଧାନ ମଣ୍ଡି ସ୍ଥାପନ ନିମନ୍ତେ ବିଧାୟକଙ୍କୁ ସ୍ମାରକପତ୍ର

0
124
ଗୋଠଳପଦର ଗ୍ରାମରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୩/୧୧) : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଗୋଠଳପଦର ଗ୍ରାମବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି । ଗୋଠଳପଦର ଗ୍ରାମରେ ନୂତନ ଧାନ ମଣ୍ଡି ସ୍ଥାପନ ନିମନ୍ତେ ବିଧାୟକଙ୍କୁ ସ୍ମାରକପତ୍ର ।

ଆନ୍ଧ୍ର ସିମାନ୍ତରେ ଅବସ୍ଥିତ ଗ୍ରାମବାସୀ ଧାନ ଅମଳ ପରେ ଏହାର ବିକ୍ରିବଟାକୁ ନେଇ ଚିନ୍ତାରେ ପଡିଯାଆନ୍ତି, କାରଣ ଧାନ ମଣ୍ଡିରେ ବିକ୍ରି କରିବାକୁ ହେଲେ ଦୀର୍ଘ ୩୦ କିମି ଦୂର ଗୁଣପୁର ମୁଣ୍ଡିକୁ ନେବାକୁ ପଡେ । ଯାହା ଏ ଅଞ୍ଚଳ ଚାଷୀଙ୍କ ପକ୍ଷେ ସମ୍ଭବ ହେଉନାହିଁ । ତେଣୁ ନିଜ ଅମଳ ଧାନକୁ ଆନ୍ଧ୍ର ବ୍ୟାପାରି ମାନଙ୍କୁ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ପରିବାର ପ୍ରତିପୋଷଣରେ ଅସୁବିଧା ହେଉଛି । କେତେକ ଚାଷୀ ଧାନ ଚାଷ ଛାଡି ସୁଦୂର ଆନ୍ଧ୍ରପ୍ରଦେଶ ଦାଦନ ଖଟିବାକୁ ଚାଲିଯାଉଛନ୍ତି । ଏହି ଅସୁବିଧାକୁ ଦୂର କରିବାକୁ ଆଜି ଗୋଠଳପଦର ଓ ମରମା ଦୁଇ ପଞ୍ଚାୟତର ଚାଷୀ ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗଙ୍କୁ ଗୋଠଳପଦର ଗ୍ରାମରେ ଏକ ନୂତନ ଧାନ ମଣ୍ଡି ସ୍ଥାପନ ନିମନ୍ତେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଗ୍ରାମବାସୀଙ୍କ ମୁତାବକ ଗୋଠଳପଦର ଓ ମରମା ପଞ୍ଚାୟତର ପ୍ରାୟ ୪୦ ଖଣ୍ଡ ଗ୍ରାମର ଚାଷୀ ମୁଖ୍ୟତଃ ଧାନ ଫସଲ କରିଥାନ୍ତି । ତେଣୁ ଗୋଠଳପଦର ଗ୍ରାମରେ ଧାନ ମଣ୍ଡି ସ୍ଥାପନ ହେଲେ ସେମାନେ ନିଜ ଉତ୍ପାଦିତ ଧାନ, ମଣ୍ଡିରେ ଦେଇ ଉଚିତ ମୂଲ୍ୟ ପାଇବା ସହିତ ଆନ୍ଧ୍ର ଦଲାଲଙ୍କ ଶୋଷଣରୁ ବଞ୍ଚି ପାରିବେ ।

ଏହି ଦୁଇ ପଞ୍ଚାୟତର ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଗୋଠଳପଦର ଗ୍ରାମରେ ନୂତନ ଧାନ ମଣ୍ଡି ସ୍ଥାପନ ନିମନ୍ତେ ଚାଷୀମାନେ ବିଧାୟକଙ୍କୁ ଅନୁରୋଧ କରିଛନ୍ତି । ତେବେ ବିଧାୟକ ମହାଶୟ ଏହି ବେସାହାରା ଚାଷୀଙ୍କ ସମସ୍ୟାକୁ କେତେ ଗୁରୁତ୍ୱ ଦେଉଛନ୍ତି ଓ କେବେ ଏହି ସମସ୍ୟା ଦୂର କରୁଛନ୍ତି ଦେଖିବାକୁ ବାକି ରହିଲା ।