ମୂଷା ଖାଇଗଲେ ୫୮୧ କେଜି ଗଞ୍ଜେଇ !

0
111
ମୂଷା ଖାଇଗଲେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଲକ୍ଷ୍ନୌ, (୨୪/୧୧) : ଯେଉଁଠି ପୁଲିସ୍‌କୁ ଦେଖିଲେ ଭଲ ଭଲ ଲୋକଙ୍କର ଝାଳ ବୋହିଯାଏ, ସେଠି ସାମାନ୍ୟ ମୂଷା କିନ୍ତୁ ପୁଲିସ୍‌କୁ ନାକେଦମ କରିଦେଇଛି । ମୂଷା ଖାଇଗଲେ ୫୮୧ କେଜି ଗଞ୍ଜେଇ !

ମୂଷା ଖାଇଗଲେ ୫୮୧ କେଜି ଗଞ୍ଜେଇ ! ପୁଲିସ୍‌ ନାକ ତଳୁ ଗଞ୍ଜେଇ ଚୋରି କରି ଖାଇଗଲେ ମୂଷା, ହେଲେ କିଛି କରି ପାରିଲେନି ଖାକି ବର୍ଦ୍ଦିଧାରୀ ଅଫିସର ଓ କର୍ମଚାରୀ । ପୁଲିସ୍‌ ହେପାଜତରେ ଥିବା ପ୍ରାୟ ୫୮୧ କେଜି ଗଞ୍ଜେଇକୁ ମୂଷା ଖାଇ ସାରିଥିବା ବେଳେ ପୁଲିସ୍‌ ହାତ ଏବେ ଖାଲି । କୋର୍ଟରେ ମୂଷା ନାଁ ନେଇ ପୁଲିସ୍‌ ନିଜ ଅସହାୟତା ପ୍ରକାଶ କରିଥିବା ବେଳେ ଏହାର ପ୍ରମାଣ ମାଗିଛନ୍ତି କୋର୍ଟ । ଏପରି ଅଜବ ଘଟଣା ଉତ୍ତରପ୍ରଦେଶର ମଥୁରାରେ ଘଟିଛି ।

ସୂଚନା ଅନୁଯାୟୀ, ମଥୁରା ଅଞ୍ଚଳର ଶେରଗଡ ଏବଂ ହାଇୱେ ପୁଲିସ୍‌ ଷ୍ଟେସନ ଅଧୀନରୁ ୨ଟି ମାମଲାରେ ପ୍ରାୟ ୫୮୧ କେଜି ଗଞ୍ଜେଇ ଜବତ ହୋଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଅଧିକ ହେବ ବୋଲି ଜଣାଯାଇଛି । ଉକ୍ତ ଗଞ୍ଜେଇକୁ ମଥୁରା ପୁଲିସ୍‌ ଷ୍ଟେସନ ଗୋଦାମରେ ରଖାଯାଇଥିଲା । କୋର୍ଟରେ ଏ ନେଇ ଜବତ ଗଞ୍ଜେଇର ସାମ୍ପଲ ବି ପ୍ରଡ୍ୟୁସ କରାଯାଇଥିଲା ।

ହେଲେ କିଛି ଦିନ ପୂର୍ବେ କୋର୍ଟରେ ଜବତ ସମସ୍ତ ଗଞ୍ଜେଇ ପ୍ରଡ୍ୟୁସ୍‌ କରିବାକୁ ଅର୍ଡର ଦିଆଗଲା । ଏହାଶୁଣି ପୁଲିସ୍‌ ହାଲତ ଖରାପ ହୋଇଗଲା । କାରଣ ପୁଲିସ୍‌ ଗୋଦାମ ଘରେ ଥିବା ଗଞ୍ଜେଇକୁ ମୂଷା ଖାଇ ସଫା କରି ସାରିଥିବା ବେଳେ ଏବେ ପ୍ରମାଣ ସ୍ୱରୂପ କେବଳ ବସ୍ତା ପଡ଼ି ରହିଛି । ପୁଲିସ୍‌ ପକ୍ଷରୁ ଏ ନେଇ କୋର୍ଟଙ୍କୁ ଅବଗତ କରାଯାଇଥିବା ବେଳେ କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏହା କିପରି ସମ୍ଭବ ହେଲା ବୋଲି ପଚାରିବା ସହ ପୁଲିସ୍‌ର ଦାୟିତ୍ୱହୀନତାକୁ ଦାୟୀ କରି ବର୍ଷିଥିଲେ ।

ଏଥିସହ ମୂଷା ସବୁ ଗଞ୍ଜେଇ ଖାଇଦେଇଥିବାର ପ୍ରମାଣ କୋର୍ଟରେ ପ୍ରଡ୍ୟୁସ୍‌ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୨୬ ତାରିଖରେ ଏହାର ଶୁଣାଣି ଅଛି । ଏଥିସହ ଆଗାମୀ ଦିନରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଓ ତୁରନ୍ତ ଥାନା ଓ ଗୋଦାମ ଘରୁ ମୂଷା ସଫା କରିବାକୁ କୋର୍ଟ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ।