କୁରୁକ୍ଷେତ୍ର ପାଲଟିଲା କଚେରି ଛକ, ବ୍ୟାରିକେଡ୍‌ ଭାଙ୍ଗି କୋର୍ଟ ଭିତରକୁ ପଶିଲେ ଆନ୍ଦୋଳନକାରୀ

0
112
କୁରୁକ୍ଷେତ୍ର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୨/୧୨) : କୁରୁକ୍ଷେତ୍ର ପାଲଟିଲା କଚେରି ଛକ । ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଓ ଲାଇସେନ୍ସ ନିଲମ୍ବନ ଭଳି ଚରମ ଆଭିମୁଖ୍ୟ ସତ୍ତ୍ୱେ କିଛି ଫରକ ପଡ଼ିନି ।

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଜିଦ୍‌ରେ ଅଟଳ ଓକିଲ ସଂଘ ତା’ର ଆନ୍ଦୋଳନ ଜାରି ରଖିଛି । ଆଉ ଆଜି ସେମାନଙ୍କ ସହ ଆନ୍ଦୋଳନରେ ବିଭିନ୍ନ ସଂଗଠନ ସାମିଲ ହେବା ପରେ ସମ୍ବଲପୁରର କଚେରି ଛକ କୁରୁକ୍ଷେତ୍ର ପାଲଟିଛି । ମୁହାଁମୁହିଁ ହୋଇଛନ୍ତି ଆନ୍ଦୋଳନକାରୀ ଓ ପୁଲିସ୍ । ବିଭିନ୍ନ ସଂଗଠନର ସଦସ୍ୟମାନେ ଆଜି ପାରମ୍ପରିକ ବାଦ୍ୟ ଧରି ନାଚ କରି ନିଜ ନିଜ ବ୍ୟାନର ଧରି ରାଲିରେ ଆସି କଚେରି ଛକରେ ଓକିଲଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନକାରୀ ମାନେ ସଂଘବଦ୍ଧ ହୋଇ ବ୍ୟାରିକେଡ୍ ଭାଙ୍ଗି କୋର୍ଟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ।

ଏହି ସମୟରେ ପୁଲିସ୍ ସେମାନଙ୍କୁ ବାଧା ଦେଇଥିଲା । ଫଳରେ ଆନ୍ଦୋଳନକାରୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲା । ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଆନ୍ଦୋଳନକାରୀ ମାନେ ବ୍ୟାରିକେଡ୍ ଭାଙ୍ଗି ପୁଲିସ୍‌କୁ ଠେଲି କୋର୍ଟ ଭିତରକୁ ପ୍ରବେଶ କରିଥିଲେ ଓ ବିଚାରପତିଙ୍କୁ କୋର୍ଟ କାର୍ଯ୍ୟ କରିବାକୁ ବାରଣ କରିଥିଲେ । ପରେ ପୁଲିସ୍ ବିଚାରପତିଙ୍କୁ ସୁରକ୍ଷିତ ଭାବେ କୋର୍ଟ ବାହାରକୁ ଆଣିଥିଲା । କେବଳ ଏତିକି ନୁହେଁ, ଆନ୍ଦୋଳନକାରୀ ମାନେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ସୂଚନା ଥାଉକି, ହାଇକୋର୍ଟ ବେଞ୍ଚ ଦାବିକୁ ନେଇ ଆଇନଜୀବୀଙ୍କ ଆନ୍ଦୋଳନ ସମ୍ବଲପୁର ସହ ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର ଭଳି ଅନେକ ଜିଲ୍ଲାରେ ଜାରି ରହିଛି ଆନ୍ଦୋଳନ । କିଛି ସ୍ଥାନରେ କ୍ରିୟାନୁଷ୍ଠାନ କମିଟି ବ୍ୟାନରରେ ମାସର ଏକାଧିକ ଦିନ ଆନ୍ଦୋଳନ ହେଉଛି । ଏଭଳି ଆନ୍ଦୋଳନକୁ ଦେଖି ଏକ ଆବେଦନ ଉପରେ ଶୁଣାଣି କରି ଗତ ୨୮ ତାରିଖରେ ସୁପ୍ରିମକୋର୍ଟ ଆନ୍ଦୋଳନକାରୀ ଆଇନଜୀବୀଙ୍କ ଲାଇସେନ୍ସ ସସ୍‌ପେଣ୍ଡ କରିବା ଭଳି ଚରମବାଣୀ ଶୁଣାଇଥିଲେ । ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆକୁ ଲାଇସେନ୍ସ ସସ୍‌ପେଣ୍ଡ ପାଇଁ ନିର୍ଦ୍ଦେଶ ବି ଦେଇଥିଲେ ।

କେବଳ ଏତିକି ନୁହେଁ, ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଥିଲେ ଯେ ଭୌଗୋଳିକ ଦୃଷ୍ଟି କୋଣରୁ ଦେଖିଲେ ଓଡ଼ିଶା ଏତେବଡ଼ ରାଜ୍ୟ ବି ନୁହେଁ ଯେ ସେଠାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ରହିଛି । ତେଣୁ ଆନ୍ଦୋଳନ ଅନାବଶ୍ୟକ ବୋଲି କୋର୍ଟ କହିବା ସହ ନ୍ୟାୟିକ ଅଧିକାରୀ ଓ ମହକିଲଙ୍କୁ ସୁରକ୍ଷା ଦେବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ପଡ଼ିଲେ ଆନ୍ଦୋଳନକାରୀଙ୍କୁ ଗିରଫ ପାଇଁ ବି କହିଥିଲେ । ସୁପ୍ରମିକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ସତ୍ତ୍ୱେ ସମ୍ବଲପୁର ଓକିଲ ସଂଘ ତା’ର ଆନ୍ଦୋଳନ ଜାରି ରଖିଛି ।