ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ

0
115
ଶିକାରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୁଚିଣ୍ଡା, (୧୩/୧୨) : ଶିକାରୀ ଗୁଳିରେ ଜଣେ ଶିକାରୀଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ପଣ୍ଡିବାହାଲ ଗାଁ ଖେଳପଡିଆ ନିକଟସ୍ଥ ଜଙ୍ଗଲରେ ।

ମୃତ ଶିକାରୀ ଜଣଙ୍କ ହେଲେ ସିରିଡି ଗାଁ’ର ରାଜେନ୍ଦ୍ର କିସାନ । ଅଭିଯୁକ୍ତ ଚୁଡ଼ାମଣି ମିର୍ଦ୍ଧାଙ୍କୁ ପୁଲିସ ଥାନାରେ ଅଟକ ରଖିଛି । ଚୁଡ଼ାମଣି ଓ ରାଜେନ୍ଦ୍ର ସମ୍ପର୍କରେ ସଢୁ ହେବେ । ଚୁଡ଼ାମଣି, ରାଜେନ୍ଦ୍ର ଓ ତାଙ୍କର ତିନି ସହଯୋଗୀ ରାତିରେ ଜଙ୍ଗଲକୁ ବାରହା ଶିକାର କରିବା ପାଇଁ ଯାଇଥିଲେ । ଚୁଡ଼ାମଣି ବାରହା ଶିକାର କରିବା ପାଇଁ ବନ୍ଧୁକ ଧରି ବସିଥିଲେ । ରାଜେନ୍ଦ୍ର ଓ ଅନ୍ୟ ୩ ସହଯୋଗୀ ବାରହାକୁ ଗୋଡ଼ାଉଥିଲେ । କିଟିକିଟି ଅନ୍ଧାର ରାତିରେ ବାରହା ଦୌଡ଼ିଯିବାର ଶବ୍ଦ ଶୁଭିଥିଲା ।

ଚୁଡ଼ାମଣି ତାକୁ ଶିକାର କରିବା ପାଇଁ ଗୁଳି ଚାଳନା କରିଥିଲେ । ବାରହା ଦେହରେ ଗୁଳିଟି ନ ବାଜି ରାଜେନ୍ଦ୍ରଙ୍କ ଦେହରେ ବିଜିଥିଲା । ଘଟଣାସ୍ଥଳରେ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଚୁଡ଼ାମଣିଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି ।