ମମିତା ମେହେର ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

0
123
ମମିତା ମେହେର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୦/୧୨) : ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା । ଆଜି ସକାଳେ ସେ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଂଜୀ ଜେଲ୍ ପରିସର ରୋଷେଇ ଘର ପାର୍ଶ୍ୱ ଏକ ଗଛରେ ଟାୱେଲ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ମମିତା ମେହେର ହତ୍ୟା ମାମଲା । ଏହା ଦେଖିବା ପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ । ହେଲେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ଏ ନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଏହି ମାମଲାରେ ସେ ଏକମାତ୍ର ଅଭିଯୁକ୍ତ ଥିଲେ । ଆଜି ତାଙ୍କୁ କୋର୍ଟରେ ହାଜର ହେବାର ଥିଲା । ମାମଲାରେ ପ୍ରାୟ ସମସ୍ତ ପକ୍ଷର ସାକ୍ଷ୍ୟ ସରିଥିଲା । ମମିତାଙ୍କ ପରିବାର ଲୋକେ ମଧ୍ୟ ସାକ୍ଷ୍ୟ ଦେଇସାରିଥିଲେ। ସେପଟେ ଗୋବିନ୍ଦ ଆବେଦନ କରିଥିବା ଜାମିନ୍ ଆବେଦନ କୋର୍ଟରେ ଖାରଜ ହୋଇଯାଇଥିଲା ।

ଏକଦା ଏହି ମାମଲା ରାଜ୍ୟ ରାଜନୀତିରେ ହୁଲୁସ୍ଥୁଲୁ ପରିସ୍ଥିତି ସୃଷ୍ଟି କରିଥିଲା । ନେତା-ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିଲା । ପୂର୍ବରୁ ଜାମିନ୍‌ରେ ଆସିଥିବା ଗୋବିନ୍ଦଙ୍କୁ ସ୍ଥାନୀୟ ମହାଲିଙ୍ଗ ରଥଯାତ୍ରାରେ ଦେଖିବାକୁ ମିଳିଥିଲା । ପୂର୍ବତନ ଜେଲ ଡିଆଜି ବଙ୍କିମ ମହାନ୍ତି କହିଛନ୍ତି, ଏହା ଜେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଓ ସୁରକ୍ଷାରେ ଥିବା ତୃଟି ଯୋଗୁଁ ଘଟିଛି । କାରଣ ଜେଲ୍‌ରେ ଥିବା ସମସ୍ତ କଏଦୀଙ୍କ ପାଖେପାଖେ ଜଗିବାକୁ ୨୪ ଘଣ୍ଟା ଗାର୍ଡ ମୁତୟନ ଥାଆନ୍ତି ।

ଅନ୍ୟପଟେ ଜଣାପଡ଼ିଛି, କଣ୍ଟାବାଂଜୀ ଜେଲ୍‌ରେ ଥିବା ୭୧ ଜଣ କଏଦୀଙ୍କୁ ଭିଜରୁ ୬୭ ଜଣ ବିଚାରଧୀନ କଏଦୀ ଥିଲେ । ମାତ୍ର ୪ ଜଣ ଦୋଷୀ ସାବ୍ୟସ୍ତ କଏଦୀ ଥିଲେ । ଗୋବିନ୍ଦଙ୍କୁ ସ୍ୱତନ୍ତ୍ର ୱାର୍ଡରେ ନ ରଖି ଅନ୍ୟ କଏଦୀ ଙ୍କ ଭିତରେ ରଖାଯାଇଥିଲା । ସେପଟେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସ୍ ମିଟ୍ କରି ଏହି ଅଭିଯୋଗ କରିଛନ୍ତି ।

ଏହି ମାମଲାରେ ନାଁ ଆସିଥିବା ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନ୍‌ ଚିଟ୍ ଦେବାକୁ ଏହା ଷଡଯନ୍ତ୍ର । ତେଣୁ ମମିତା ମେହେର ହତ୍ୟା ମାମଲା ଓ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି । ସୂଚନାଯୋଗ୍ୟ, ମମିତା ମେହେର ହତ୍ୟା ମାମଲାରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପୁଲିସ ପୂର୍ବରୁ ବଙ୍ଗମୁଣ୍ଡା ଜେଏମଏଫସି କୋର୍ଟରେ ୨ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ।

ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭର ରାଧେ ନାଁ ଉଲ୍ଲେଖ ରହିଥିଲା । ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଗତବର୍ଷ ଅକ୍ଟୋବର ୮ତାରିଖରେ ହତ୍ୟା କରାଯାଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ତତ୍କାଳିନ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଥିଲେ ।