କମିବ ଶୀତ, ରାଜ୍ୟବାସୀଙ୍କୁ କଲବଲ କରିବ ଘନ କୁହୁଡି

0
118
କମିବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୬/୧୨) : ରାଜ୍ୟରେ ଶୀତ ସାମାନ୍ୟ କମିଥିବା ବେଳେ ଆଗକୁ ଆହୁରି କମିବ । ଏକ ଗୁରୁଚାପ ବଳୟ ଓଡ଼ିଶା ଉପକୂଳ ଆଖପାଖରେ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ କୁହୁଡ଼ି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କମିବ ଶୀତ, ରାଜ୍ୟବାସୀଙ୍କୁ କଲବଲ କରିବ ଘନ କୁହୁଡି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉପକୂଳବର୍ତ୍ତୀ ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ ଏବଂ କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ଯାଏଁ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି । କଟକ, ଭୁବନେଶ୍ୱର ଟ୍ୱିନସିଟିରେ ମଧ୍ୟ ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ।

ରାଜ୍ୟରେ ଏବେ ୫ ଦିନ ଯାଏଁ ପାଗ ଶୁଖିଲା ରହିବ । ସାମୁଦ୍ରିକ ବାୟୁର ପ୍ରଭାବ ସାମାନ୍ୟ ବୃଦ୍ଧି ହୋଇଥିବାରୁ ରାତିର ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୨ ଦିନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତିର ତାପମାତ୍ରା ବଢ଼ିପାରେ । ଫଳରେ ୩ରୁ ୪ ଦିନ ଯାଏଁ ଶୀତର ବିଶେଷ ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା ।

ଘନ କୁହୁଡ଼ିର ଚାଦରରରେ ରାସ୍ତାଘାଟ ସବୁ ଆଛାଦିତ ହୋଇ ରହିଥିଲା । ଫଳରେ ଗମନାଗମନରେ ବାଧା ଉପୁଜିଥିଲା । ରାସ୍ତାରେ ଯିବା ବେଳେ ଗାଡ଼ି ଚାଳକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେହିପରି ପୁରୀରେ ବି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଆଜି ସକାଳେ କୁହୁଡ଼ିର ପରିମାଣ ଏତେ ଥିଲା ଯେ, ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଘୋଡ଼ାଇ ହୋଇ ରହିବା ଭଳି ଅନୁମାନ ହୋଇଥିଲା । ଶ୍ରୀମନ୍ଦିର ନୀଳଚକ୍ରକୁ ଦେଖିବା ସମ୍ଭବ ହୋଇନଥିଲା । ବଡ଼ଦାଣ୍ଡ ବି କୁହୁଡ଼ିରେ ଘୋଡ଼େଇ ହେଇ ରହିଥିଲା ।