ଛାତ୍ର ଙ୍କୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡ଼ି ଗଲେ ଶିକ୍ଷକ

0
92
ଛାତ୍ର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୨୮/୧୨) : ନଦୀରେ ଜଣେ ଛାତ୍ର ବୁଡ଼ିଯାଉଥିବା ଦେଖି ନିଜକୁ ଅଟକାଇ ପାରିଲେନି ଶିକ୍ଷକ । ତାଙ୍କୁ ବଞ୍ଚାଇବାକୁ ନଦୀର ଗଭୀର ଜଳକୁ ଡେଇଁ ପଡ଼ିଥିଲେ ।

ଛାତ୍ର ର ଜୀବନ ବଞ୍ଚିଗଲା, କିନ୍ତୁ ଶିକ୍ଷକ ଜଣଙ୍କ ବୁଡ଼ି ଗଲେ । ଚାଲିଗଲା ତାଙ୍କ ଜୀବନ । ଏହି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ମହାନଦୀ ଶ୍ମଶାନ ତୁଠରେ । ମୃତ ଶିକ୍ଷକ ଜଣଙ୍କ ହେଲେ ସରୋଜ ଦାସ । ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା । ସେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ।

ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ସରୋଜ ଓ ଅନ୍ୟ ଶିକ୍ଷକମାନେ ପିକ୍‌ନିକ୍‌ କରିବା ପାଇଁ କଣ୍ଟିଲୋ ଆସିଥିଲେ । ସେଠାରେ କିଛି ପିଲା ମହାନଦୀର ଶ୍ମଶାନ ତୁଠରେ ଗାଧୋଉ ଥିଲେ । ଏହି ସମୟରେ ଜଣେ ଛାତ୍ର ଗଭୀର ଜଳକୁ ଚାଲି ଯାଇଥିଲେ । ସେ ବୁଡ଼ି ଯାଉଥିବା ଦେଖି ଶିକ୍ଷକ ସରୋଜ ଦାସ କାଳବିଳମ୍ବ ନ କରି ପାଣି ଭିତରକୁ ଚାଲି ଯାଇଥିଲେ । ତେବେ ସେ ବୁଡ଼ି ଯାଇଥିଲେ । ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ପିଲାଟିକୁ ଉଦ୍ଧାର କରିଥିବା ବେଳେ ସରୋଜଙ୍କୁ ଉଦ୍ଧାର କରାଯାଇପାରି ନଥିଲା । କିଛି ସମୟ ଖୋଜାଖୋଜି କରିବା ସରୋଜ ମିଳିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।