ଆଜି ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ସ୍ମାର୍ଟ ହେଲ୍‌ଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ

0
213

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୦/୦୮) : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଗସ୍ତରେ ଯିବେ। କୋଭିଡ୍‌ ଦ୍ଵିତୀୟ ଲହର ପରେ ଏହା ହେବ ରାଜଧାନୀ ବାହାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସର୍ବସାଧାରଣ କାର୍ଯ୍ୟକ୍ରମ । ରାଜ୍ୟରେ ପ୍ରଥମ ଜିଲ୍ଲା ଭାବେ ମାଲକାନଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ଶୁକ୍ରବାର ସକାଳ ସାଢ଼େ ୧୧ଟାରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରି ଷ୍ଟାଡିୟମରେ ଶ୍ରୀ ପଟ୍ଟନାୟକ ପହଞ୍ଚିବେ । ସ୍ଥାନୀୟ ସଂସ୍କୃତି ଭବନ ଠାରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଜଣ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ପ୍ରାୟ ଗୋଟିଏ ଘଣ୍ଟା ସେ ମାଲକାନଗିରି‌ରେ ରହିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ସବୁ ହିତାଧିକାରୀଙ୍କର ଆଜି କୋଭିଡ୍‌ ଟେଷ୍ଟ କରାଯାଇଛି । ନେଗେଟିଭ୍ ରିପୋର୍ଟ ଆସିଥିବା ହିତାଧିକାରୀ ହିଁ କାର୍ଯ୍ୟକ୍ରମରେ ଭାଗ ନେବେ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ୮ ମନ୍ତ୍ରୀଙ୍କ ସହ ବହୁ ବିଧାୟକ କାଲିଠାରୁ ମାଲକାନଗିରିରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନର ଶୁଭାରମ୍ଭ କଲା ପରେ ମନ୍ତ୍ରୀ ଅରୁଣ ସାହୁ, ନବ କିଶୋର ଦାସ, ପଦ୍ମନାଭ ବେହେରା, ସମୀର ଦାଶ, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ ଓ ତୁଷାରକାନ୍ତି ବେହେରା ପ୍ରମୁଖ ବିଭିନ୍ନ ବ୍ଲକ୍‌ ଯାଇ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବେ । ୨୩ ତାରିଖ ଯାଏ ଏହି ବଣ୍ଟନ କାର୍ଯ୍ୟକ୍ରମ ଚାଲିବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି ।

ମାଲକାନଗିରି ଗସ୍ତ ପରେ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତୁତି ଚାଲିଛି । ଏଇ ମାସ ଶେଷ ସପ୍ତାହରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଗସ୍ତରେ ଯିବାକୁ ଆପାତତଃ ସ୍ଥିର ହୋଇଛି । ଏହାପରେ ମୟୂରଭଞ୍ଜ ଓ ବଲାଙ୍ଗୀର ଗସ୍ତରେ ଯିବେ । ସବୁଠି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ପ୍ରଭାବୀ କରିବା ପାଇଁ ମନ୍ତ୍ରୀ ଓ ବିଧାୟକମାନେ ଆଗୁଆ ଯାଇ ତୃଣମୂଳ ସ୍ତରରେ ନେତା ଓ କର୍ମୀମାନଙ୍କୁ ଭେଟି ରାଜନୈତିକ ପରିବେଶକୁ ସରଗରମ ରଖିବାକୁ ଯୋଜନା ହୋଇଛି ।

ଏହା ବାଦ୍ ଗଞ୍ଜାମ ଜିଲ୍ଲାରେ ସ୍ମାର୍ଟ ସ୍କୁଲ୍‌ ବୁଲିବା ପାଇଁ ୧୦୦ରୁ ଅଧିକ ବିଧାୟକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ହିଞ୍ଜିଳିକାଟୁ ଓ ସେରଗଡ଼ରେ କିଛି ସ୍କୁଲ୍‌ରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ତାହାକୁ ସ୍ମାର୍ଟ ସ୍କୁଲ୍‌ରେ ପରିଣତ କରାଯାଇଛି । ୨୧ ତାରିଖରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ମାର୍ଟ ସ୍କୁଲ୍‌ଗୁଡ଼ିକୁ ପର୍ଯ୍ୟାୟକ୍ରମେ ଉଦ୍‌ଘାଟନ କରିବେ । ୨୧ ତାରିଖରୁ ୩୦ ତାରିଖ ମଧ୍ୟରେ ମନ୍ତ୍ରୀ ଓ ବିଧାୟକମାନେ ସ୍କୁଲ୍‌ ବୁଲି ଭିତ୍ତିଭୂମି ଦେଖିବେ । କେଉଁ ବିଧାୟକ କେଉଁ ସ୍କୁଲ୍‌ ଯିବେ, ତାହାର ତାଲିକା ପ୍ରସ୍ତୁତ କରାଯାଇଛି ।