ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ପରଲୋକ

0
163

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୦/୦୮) : ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବଡ଼ପୁଅ ତଥା ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସଭାପତି ସଂଗ୍ରାମ ୩ ମାସ ତଳେ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଫୁସ୍‌ଫୁସ୍‌ରେ ସଂକ୍ରମଣ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନ ଥିଲା । ସେହି ସମୟରେ ରାଜ୍ୟରେ ଏକ୍‌ମୋ ସୁବିଧା ନ ଥିବାରୁ ତାଙ୍କୁ ମେ’ ମାସ ଶେଷ ସପ୍ତାହରେ ସଂଗ୍ରାମଙ୍କୁ ଏୟାର ଆମ୍ବୁଲାନ୍‌ସରେ ହାଇଦ୍ରାବାଦ ନିଆଯାଇଥିଲା । ସେଠାରେ ଗତ ୮୪ ଦିନ ଧରି ସେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଯାଇଥିଲା । ତାଙ୍କ ମୃତ୍ୟୁରେ ରାଜ୍ୟ ଯୁବ କଂଗ୍ରେସର ,କଂଗ୍ରେସ ନେତା ଓ କର୍ମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା ।

ଗୁରୁବାର ସଂଧ୍ୟାରେ ସଂଗ୍ରାମଙ୍କ ମୃତଦେହ ହାଇଦ୍ରାବାଦରୁ ଭୁବନେଶ୍ୱରରେ ପହଞ୍ଚିଥିଲା । ରାଜମହଲ ଛକରୁ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଆସିଥିଲା । ସେଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ରାଜ୍ୟ କଂଗ୍ରେସ ଭବନରେ ଏକ ‌ଶୋକସଭା ହୋଇଥିଲା ।

ଶୋକସଭାରେ ଅଧ୍ୟକ୍ଷତା କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ, ବାପି ବାବୁଙ୍କର କାର୍ଯ୍ୟ ସରି ନ ଥିଲା । ସେ ଆହୁରି ଆଗକୁ ବଢ଼ିଥାନ୍ତେ । ଜଣେ ସଂଗଠକ ଭାବେ ତାଙ୍କର ସ୍ୱତନ୍ତ୍ର ସ୍ଥାନ ଥିଲା । ଈଶ୍ୱର ତାଙ୍କ ଅମର ଆତ୍ମାର ସଦ୍‌ଗତି ପ୍ରଦାନ କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ ।

ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ଏଆଇସିସିର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଏ ଚେଲା କୁମାର ଓ ସହ ପ୍ରଭାରୀ ଜି.ରୁଦ୍ର ରାଜୁ ସଂଗ୍ରାମଙ୍କ ବିୟୋଗରେ କଂଗ୍ରେସ ପରିବାର ପାଇଁ ଅପୂରଣୀୟ କ୍ଷତି ‌ବୋଲି କହିଛନ୍ତି ।