ଡିଗିପଦର ଗାଁ ଲୋକଙ୍କ ପାଇଁ ସରକାରୀ ଯୋଜନା ବହୁଦୂର : ଅସୁବିଧାର ସମ୍ମୁଖୀନ ଜନସାଧାରଣ

0
73
ଡିଗିପଦର

ରିପୋର୍ଟ : ସନ୍ତୋଷ କୁମାର
ସୁବର୍ଣ୍ଣପୁର, (୧୧/୦୪) : ସରକାର ଲୋକଙ୍କ ପାଖରେ ରାସ୍ତା ଘାଟ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଳି ସର୍ବନିମ୍ନ ସୁବିଧା ଯୋଗାଇ ଦେବା ପାଇଁ କୋଟିକୋଟି ଟଙ୍କା ପ୍ରତିବର୍ଷ ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଆଜିବି ଡିଗିପଦର ଗାଁ’ରେ ପହଞ୍ଚି ନାହିଁ ସରକାରୀ ଯୋଜନା

ଏମିତି ବି ଗାଁ ରହିଛି ଯେଉଁ ଗାଁ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୫କିମି ଦୂର ରେ ଥାଇ ମଧ୍ୟ ଗାଁ’ର ହୋଇ ପାରୁନି ବିକାଶ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଡିଗିପଦର । ଏଠାରେ ଆଜିବି ରାସ୍ତା ଟିଏ ନଥିବାରୁ ପହଞ୍ଚି ପାରୁନାହିଁ ସରକାରୀ ସୁବିଧା । ସାଧାରଣ ଲୋକେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସ୍ୱାଧିନତାର ୭୫ ବର୍ଷ ପରେ ବି ସରକାରୀ ଯୋଜନା ଲୋକଙ୍କ ପାଇଁ ପାଲଟିଛି ସାତ ସ୍ୱପ୍ନ । ଗାଁ’କୁ ନାହିଁ ନିତିଦିନିଆ ରାସ୍ତା । ଅନ୍ଧାରି ମୂଳକର ଜୀବନ ବିତାଉଛନ୍ତି ଗ୍ରାମବାସୀ । ଏ ଦୃଶ୍ୟ ଟିକେ ଭଲ ରେ ଦେଖନ୍ତୁ ଆମ୍ବୁଲାନ୍ସ ବଦଳ ରେ ଏଠି ଘାଟି ପାହାଡ଼ ନାଳ ଦେଇ ବିପଦପୂର୍ଣ ଭାବେ ଖଟିଆ ରେ ବୁହା ହେଉଛନ୍ତି ରୋଗୀ । ବିଶୁଦ୍ଧ ପାନୀୟ ଜଳ ଲୋକଙ୍କ ପାଇଁ ସାତସପନ । ପାଠ ପଢା ତ ଦୂରର କଥା । ବୌଦ୍ଧ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହରଭଙ୍ଗା ବ୍ଲକ ସଦର ବାଣୀଭୂଷଣପୁର ପଞ୍ଚାୟତର ଡିଗିପଦର ଗ୍ରାମ ।

ଗାଁ’ରେ ବସବାସ କରନ୍ତି ପ୍ରାୟ ୪୦ ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର । ବ୍ଲକ ଠାରୁ ମାତ୍ର ୫କିମି ଦୂର ଗାଁ ଥାଇ ମଧ୍ୟ ଯେଉଁଠି କି ଯିବା ଆସିବା ପାଇଁ ସବୁଦିନିଆ ଭଲ ରାସ୍ତା ଟିଏ ବି ନାହି । ଗାଁ କୁ ଯିବାକୁ ହେଲେ ବାଟରେ ପଡୁଥିବା ପାହାଡ଼ି ନାଳ ଓ ଦୁଇଟି ଘାଟି ପଦରେ ଚାଲି ଚାଲି ଅତିକ୍ରମ କରିବା ପାଇଁ ପଡ଼ିଥାଏ । ଗର୍ଭବତି ମହିଳା ଠାରୁ ଆରମ୍ଭ କରି ସାମାନ୍ୟ ରୋଗୀର ଚିକିତ୍ସା ପାଇଁ ମେଡିକାଲ ନେବାକୁ ହେଲେ ପ୍ରଥମେ ଭାରରେ କିମ୍ବା ଖଟିଆ ରେ ବୋହି ୨କିମି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ନେବାକୁ ପଡିଥାଏ କାରଣ ଏଭଳି ରାସ୍ତାରେ ଆମ୍ବୁଲାନ୍ସ ଯିବା ଦେବସ୍ୱପ୍ନ ସଦୃଶ । ସରକାର ସାଧାରଣ ଲୋକଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିଲେ ବି ଏହି ଅପହଞ୍ଚ ଇଲାକାକୁ ଏହି ଯୋଜନା ମାନ ଛୁଇଁ ପାରିନାହିଁ ଫଳରେ ଲୋକେ ସ୍ୱାଧୀନତାର ଅସଲ ମଜା ପାଇପାରୁ ନାହାନ୍ତି ।

ଡିଗିପଦର ଗ୍ରାମରେ ପ୍ରାୟ ୪୦ ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଗାଁ’ରେ ପିଲାଙ୍କ ପଢିବା ପାଇଁ ପ୍ରାଥମିକ ସ୍କୁଲ ଟିଏ ମଧ୍ୟ ନାହି । ପ୍ରତିଦିନ ଛାତ୍ରଛାତ୍ରୀ ମାନେ ବିପଦ ସଂଙ୍କୁଳ ଅବସ୍ଥାରେ ଜଙ୍ଗଲି ରାସ୍ତା ଓ ପାହାଡ଼ି ନାଳ ଡେଇଁ ୪ କିମି ଚାଲି ଚାଲି ସ୍କୁଲ ଯିବାକୁ ପଡେ । ଫଳରେ ଅନେକ ଛାତ୍ରଛାତ୍ରୀ ଅଧାରୁ ପାଠ ପଢା ଛାଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏମିତିକି ଏହି ଲୋକମାନେ ସରକାରଙ୍କର ଏକ ଟଙ୍କିଆ ଚାଉଳ ଓ ଭତ୍ତା ପାଇବା ପାଇଁ ବି ପଞ୍ଚାୟତ କୁ ଚାଲିଚାଲି ଯିବାକୁ ପଡୁଥିବା ବେଳେ ବର୍ଷା ଦିନେ ଅନେକ ଅସୁବିଧା ହେଉଛି । ଗାଁ’ରେ ରହିଛି ଦୁଇଟି ନଳକୂପ ହେଲେ ସେଥିରୁ ବାହାରୁଛି ନାଲି ଗୁଣ୍ଡ ଯୁକ୍ତ ପାଣି ଯାହା ପିଇବା ଉପଯୋଗୀ ନୁହେଁ । କିନ୍ତୁ ଗ୍ରାମବାସୀ ଙ୍କ ପାଖରେ ଅନ୍ୟ ଉପାୟ ନାହିଁ ବାଧ୍ୟ ହୋଇ ଲୋକେ ସେହି ଦୂଷିତ ଜଳ ବ୍ୟବହାର କରୁଛନ୍ତି । ପରବର୍ତ୍ତୀ ସମୟରେ ବିଭିନ୍ନ ମାରାତ୍ମକ ରୋଗରେ ପଡି ମୃତୁ ବରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ନିର୍ବାଚନ ଆସୁଛି ନେତା ଙ୍କ ପ୍ରତିଶ୍ରୁତି ମଧ୍ୟ ମିଳୁଛି ହେଲେ ଜିତିଲା ପରେ ତାହା ପୂରଣ ହୋଇ ପାରୁନି । ନେତାଏ ଭୁଲି ଯାଉଛନ୍ତି ଗାଁ’ର କଥା ବୋଲି ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ ଗ୍ରାମରେ ଅନ୍ତତଃ ଗମନାଗମନ ପାଇଁ ନିତିଦିନିଆ ରାସ୍ତା ଟିଏ ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ । ସେପଟେ ଜିଲ୍ଲାର ସମସ୍ତ ଦୁର୍ଗମ ଗ୍ରାମ ଗୁଡିକୁ ପର୍ଯ୍ୟାୟ କ୍ରମେ ରାସ୍ତା ନିର୍ମାଣ କରାଯାଇ ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ବୌଦ୍ଧ ଜିଲ୍ଲାପାଳ କହିଛନ୍ତି । ଗୋଟିଏ ପଟେ ଗାଁ’ରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ସରକାରୀ ବାବୁଙ୍କ ଉଦାସୀନତା ମନୋଭାବ ଯୋଗୁଁ ଗ୍ରାମବାସୀଙ୍କୁ ନିରାଶ କରିଛି । ତେବେ ଏହି ଅଞ୍ଚଳବାସୀ କେବେ ତାଙ୍କର ମୌଳିକ ସୁବିଧା ପାଇପାରିବେ ତାହା ଦେଖିବାକୁ ବାକି ରହିଲା ।