ବୋହୂକୁ ଘରୁ ତଡିଦେଲେ ଶାଶୂଘର ଲୋକେ, ଅଭିଯୋଗ ଆଣିଲେ ବୋହୂ

0
103
ବୋହୂକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୧୮/୦୬) : ସ୍ୱାମୀର ମୃତ୍ୟୁ ପରେ ବୋହୂକୁ ନିର୍ଯାତନା ଅଭିଯୋଗ । ବୋହୁକୁ ଘରକୁ ପ୍ରବେଶ କରିବାକୁ ମନା କରିବା ସହିତ, ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ବୋହୁ l

ଜୟପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବୋହୂକୁ ଘରୁ ତଡିଦେଲେ ଶାଶୂଘର ଲୋକେ l ଏ ନେଇ ମହିଳା ଜଣକ ନ୍ୟାୟ ପାଇଁ ଜୟପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ୨୦୧୪ ଫେବ୍ରୁଆରୀ ୫ ତାରିଖରେ ତପସ୍ବିନୀ ଜୟପୁର ସୁନାରି ସାହିର ଇ. ଭରତ କିରଣଙ୍କୁ ପ୍ରେମ ବିବାହ କରିଥିଲେ । ବାରିଣୀପୁଟ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ପରେ ଶାଶୁ ଘର ଲୋକଙ୍କ ସହ ରହିଥିଲେ ତପସ୍ବିନୀ ଓ ଭରତ । ଭରତ ମୋବାଇଲ୍ ସର୍ଭିସ୍ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ବିବାହକୁ ଇତି ମଧ୍ୟରେ ୯ ବର୍ଷ ବିତି ଯାଇଥିବା ବେଳେ ତପସ୍ବିନୀ ଦୁଇଟି କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ବଡ଼ ଝିଅକୁ ୮ ବର୍ଷ ହୋଇଥିବା ବେଳେ ସାନ ଝିଅକୁ ୧୭ ମାସ ପୂରିଛି । ସବୁ କିଛି ଠିକଠାକ୍ ଚାଲିଥିବା ବେଳେ ୨୦୨୨ ଜୁଲାଇ ୧୩ ତାରିଖରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଭରତ । ସ୍ବାମୀଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିଲେ ତପସ୍ବିନୀ ।

ଦୁଇ ଝିଅଙ୍କ ସମେତ ଶାଶୁ, ଶ୍ବଶୁରଙ୍କ ନେଇ କେମିତି ଚଳିବେ ତାକୁ ନେଇ ଚିନ୍ତିତ ଥିଲେ । କିନ୍ତୁ ଭରତଙ୍କ ମୃତ୍ୟୁର ୬ ଦିନ ପରେ ତପସ୍ବିନୀଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ ଶ୍ବଶୁର ଘର ଲୋକ । ତଥାପି ସବୁ କିଛି ସହି ଦିନ କାଟିଥିଲେ ଚାଲିଥିଲେ ତପସ୍ବିନୀ । ଘରୁ ଚାଲିଯିବା ପାଇଁ ବାରମ୍ବାର ଶ୍ବଶୁର ଘର ଲୋକ ଧମକ ଦେବା ପରେ ତପସ୍ବିନୀ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ । ପୁଲିସ୍ ଶ୍ବଶୁର ଘର ଲୋକଙ୍କୁ ଡାକି ଆପୋଷ ବୁଝାମଣା କରି ଛାଡ଼ି ଦେଇଥିଲା । କିଛି ଦିନ ପରେ ଶ୍ବଶୁର ଘର ଲୋକ ପୁଣି ନିର୍ଯ୍ୟାତନା ଦେବା ସହ ରୁମରେ ଥିବା ସମୟରେ ବାହାରୁ ତାଲା ପକାଇ ଦେଉଥିଲେ । ଜୀବନ ପ୍ରତି ବିପଦ ଥିବାରୁ ଗତ ୧୮ ଦିନ ହେଲା ତପସ୍ବିନୀ ଶ୍ବଶୁର ଘରୁ ପଳାଇ ଆସି ବାପାଙ୍କ ଘରେ ରହୁଛନ୍ତି ।

ଶ୍ବଶୁର ଘର ଲୋକଙ୍କ ଅକଥନୀୟ ନିର୍ଯ୍ୟାତନା ସମ୍ପର୍କରେ ତପସ୍ବିନୀ ଜୟପୁର ଟାଉନ୍ ଥାନାର ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଶ୍ବଶୁର ଇ. ଆପା ରାଓ, ଶାଶୁ ଇ. ଉଷା କିରଣ, ଦେଢ଼ଶୁର ଇ. ସନ୍ତୋଷ କୁମାର ଓ ଇ. ରବି କିରଣଙ୍କ ନାଁରେ ମାମଲା ରୁଜ୍ଜୁ କରିଛି । ତପସ୍ବିନୀ କହିଛନ୍ତି, ମୃତ୍ୟୁ ପୂର୍ବରୁ ସ୍ବାମୀ ଭରତ ପାୱାର୍ ହାଉସ୍ ଛକରେ ଶାଶୁ ଉଷା କିରଣଙ୍କ ନାଁରେ ଥିବା ଜମିରେ ବ୍ୟାଙ୍କରୁ ଋଣ ଆଣି ଘର ନିର୍ମାଣ କରିଥିଲେ । ମୃତ୍ୟୁ ସମୟରେ ଋଣ ବାବଦକୁ ଲକ୍ଷାଧିକ ଟଙ୍କା ବାକିଥିବା ବେଳେ ଏହା ଭିତରେ ତପସ୍ବିନୀ ନିଜ ଆକାଉଣ୍ଟରୁ ବ୍ୟାଙ୍କ ଋଣ ପରିଷୋଧ କରିଛନ୍ତି । କିନ୍ତୁ ନୂତନ ଘରୁ ଶ୍ବଶୁର ଘର ଲୋକ ତପସ୍ବିନୀଙ୍କ ତଡ଼ି ଦେଇଛନ୍ତି ।