ବିନା ମୂଲ୍ୟରେ ‘ଗୁରୁବାଣୀ’ର ସିଧା ପ୍ରସାରଣ ହେବ

0
71
ବିନା ମୂଲ୍ୟରେ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୨୧/୦୬) : ସ୍ବର୍ଣ୍ଣ ମନ୍ଦିରରେ ବୋଲା ଯାଉଥିବା ଶିଖମାନଙ୍କ ପବିତ୍ର ଗୁରୁବାଣୀ ଏଣିକି ବିନା ମୂଲ୍ୟରେ ଟିଭିରେ ପ୍ରସାରଣ ହେବ । ଏ ସଂକ୍ରାନ୍ତ ପ୍ରସ୍ତାବ ମଙ୍ଗଳବାର ପଞ୍ଜାବ ବିଧାନସଭାରେ ଗୃହୀତ ହୋଇଛି ।

ଏଥିପାଇଁ ୧୯୨୫ ର ଶିଖ୍‌ ଗୁରୁଦ୍ବାରା ଆଇନର ସଂଶୋଧନ କରାଯାଇଛି । ସ୍ବର୍ଣ୍ଣ ମନ୍ଦିରରୁ ସିଧାସଳଖ ବିନା ମୂଲ୍ୟରେ ଗୁରୁବାଣୀ ପ୍ରସାରଣ କରାଯିବ ବୋଲି ଏଥିରେ ପ୍ରାବଧାନ ରହିଛି । ସମ୍ପ୍ରତି ଏକ ଘରୋଇ ଟିଭି ଚାନେଲ ‘ପିଟିସି’ ମାଧ୍ୟମରେ ପ୍ରସାରିତ ହେଉଥିବା ଗୁରୁବାଣୀର ସିଧା ପ୍ରସାରଣକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଏହାର ସିଧା ପ୍ରସାରଣ ସମ୍ପର୍କରେ ସୂଚନା ଦେବା ପରଠାରୁ ହିଁ ବିରୋଧ ଓ ବିବାଦ ଆରମ୍ଭ ହୋଇଛି । ଶିଖ୍‌ମାନଙ୍କ ସର୍ବୋଚ୍ଚ ଧାର୍ମିକ ସଂଗଠନ ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ରାଜ୍ୟ ସରକାରଙ୍କ ପଦକ୍ଷେପକୁ ବିରୋଧ ପୂର୍ବକ କହିଛି ଯେ ୧୯୨୫ର ଆଇନ ସଂସଦ ଦ୍ବାରା ପ୍ରଣିତ । ଏହା ବିଧାନସଭାରେ ନୁହେଁ; କେବଳ ସଂସଦରେ ହିଁ ସଂଶୋଧନ ହୋଇପାରିବ ।

ଶିରୋମଣି ଅକାଳୀ ଦଳ (ବାଦଲ), ଶିରୋମଣି ଅକାଳୀ ଦଳ ଆଦି ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯାଇଛି । କଂଗ୍ରେସ ଏ କ୍ଷେତ୍ରରେ ମାପିଚୁପି ମତ ରଖୁଛି। ଗୁରୁବାଣୀ ହେଉଛି ପବିତ୍ର ଗ୍ରନ୍ଥ ‘ଗୁରୁଗ୍ରନ୍ଥ ସାହେବ’ରେ ଲିଖିତ ବିଭିନ୍ନ ଶିଖ୍‌ ଗୁରୁଙ୍କ ବାଣୀ ବା ଧାର୍ମିକ ପରାମର୍ଶ । ଏହାକୁ ପ୍ରଚାର କରୁଥିବା ପିଟିସି ହେଉଛି ଅକାଳୀ ଦଳ (ବାଦଲ) ମୁଖ୍ୟଙ୍କ ପରିବାର ମାଲିକାନାରେ ଥିବା ଚାନେଲ । ମୁଖ୍ୟମନ୍ତ୍ରୀ ମାନ୍‌ କହିଛନ୍ତି ଯେ ଏକ ଘରୋଇ ଚାନେଲ ମାଧ୍ୟମରେ ଗୁରୁବାଣୀର ପ୍ରସାରଣ କରାଯାଉଛି ଏବଂ ଏହାର ବ୍ୟୟଭାର ଏସ୍‌ଜିପିସି ବହନ କରୁଛି ।

ଏହା ପରିବର୍ତ୍ତେ ସରକାର ନିଜ ଖର୍ଚ୍ଚରେ ସବୁ ଚାନେଲକୁ ପ୍ରସାରଣ ଅଧିକାର ଦେବାକୁ ପ୍ରସ୍ତୁତ । ଏସ୍‌ଜିପିସି ଏଥିରେ ଖୁସି ହେବା ଆବଶ୍ୟକ । ରାଜ୍ୟ ସରକାରଙ୍କର ବ୍ରିଟିଶ ଅମଳର ଆଇନ ସଂଶୋଧନ କ୍ଷମତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ହରିୟାଣା ପାଇଁ ଏକ ସ୍ବତନ୍ତ୍ର ଗୁରୁଦ୍ବାରା କମିଟି ଗଠନ ସଂକ୍ରାନ୍ତ ମାମଲାର ଦୃଷ୍ଟାନ୍ତ ରଖିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ ଯେ ଏହି ପ୍ରସଙ୍ଗ ଆନ୍ତଃରାଜ୍ୟ ନୁହେଁ ସମ୍ପୂର୍ଣ୍ଣ ଭାବେ ରାଜ୍ୟସ୍ତରୀୟ ମାମଲା । ସେ ଦୃଷ୍ଟିରୁ ରାଜ୍ୟ ସରକାର ପୁରୁଣା ଆଇନ ସଂଶୋଧନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।