ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୮/୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଠାରେ ମହା ଆଡମ୍ବର ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା ଶେଷ ହୋଇଛି ।
ବାହୁଡା ଯାତ୍ରା ରେ ଭକ୍ତ ଙ୍କ ଜନ ସମୁଦ୍ର । ଆଜି ସେବାୟତ ମାନେ ସକାଳୁ ଜୀଉଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ଶ୍ରୀ ଜଗନ୍ନାଥ ଙ୍କୁ ବୌଦ୍ଧ ଅବତାରରେ ସୁସଜିତ କରି ଧୂପଦୀପ ନୈବେଦ୍ୟ ଲାଗି କରିବା ପରେ ଦୁଆର ଫିଟାଯାଇଥିଲା । ଶ୍ରୀ ଜଗନ୍ନାଥଙ୍କ ବୌଦ୍ଧ ଅବତାର ଦେଖିବା ପାଇଁ ସକାଳୁ ବହୁ ଭକ୍ତଙ୍କ ଜନ ସମୁଦ୍ର ଲାଗି ଥିବା ଦେଖିବାକୁ ମିଳିଛି । ଏହି ଅବସରରେ କମିଟି ତରଫରୁ ଶ୍ରୀ ଜୀଉଙ୍କୁ ଖେଚଡ଼ି ଭୋଗ ଲାଗି କରିବା ପରେ ଉକ୍ତ ଭୋଗକୁ ବିକ୍ରି କରିଥିଲେ । ସେବାୟତ ମାନେ ମଧ୍ୟାହ୍ନରେ ପୁଣି ଶ୍ରୀ ଜୀଉଙ୍କୁ କଳଙ୍କି ଅବତାରରେ ସୁସଜିତ କରିଥିଲେ । ଅପରାହ୍ନ ରେ ବି ଜୀଉଙ୍କ ଗୋଟି ପହଣ୍ଡି କରି ରଥାରୂଢ କରିଥିଲେ । ୪ ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ କରିଥିଲେ । ସନ୍ଧ୍ୟାରେ ରଥ ଶ୍ରୀମନ୍ଦିର ପାଖରେ ଲାଗିଥିଲା । ଏହିଠାରେ ମଧ୍ୟ ଶ୍ରୀ ମନ୍ଦିରରୁ ମା ଲକ୍ଷ୍ମୀ ଠାକୁରାଣୀ ରଥ ପାଖକୁ ଆସି ବଚନୀକା ମାଧ୍ୟମରେ କଳି କରିବା ପରେ ଅଧର ପଣା ଭୋଗ ଲାଗି କରାଯାଇଥିଲା ।
ଶ୍ରୀ ଜଗନ୍ନାଥ ବଳଭଦ୍ର, ମାଆ ସୁଭଦ୍ରା ଓ ପତିତପାବନ ଗୁଣ୍ଡିଚା ମନ୍ଦିର ରେ ନ ଦିନ ଧରି ରହି ସେହିଠାରେ ଦଶ ଅବତାର ମତ୍ସ୍ୟ ,କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମବଳରାମ, ବୌଦ୍ଧ ଅବତାର ହେବା ପରେ କଳଙ୍କି ଅବତାରେ ଶ୍ରୀମନ୍ଦିରକୁ ଫେରିଥିଲେ । ବିଳମ୍ବିତ ରାତ୍ରରେ ଶ୍ରୀ ଜୀଉଙ୍କୁ ଦଇତାପତି ଓ ସେବୟତ ମିଳିତରେ ମନ୍ଦିରକୁ ନେଇଥିଲେ । ସେଠାରେ ମଧ୍ୟ ବଚନୀକା କରିବା ପରେ ଜୀଉଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ସେଠାରେ ଅର୍ଣ୍ଣ ଭୋଗ ଲାଗି କରାଯାଇଥିଲା ।ପାଗ ଅନୁକୁଳ ରହିଥିବା ଯୋଗୁଁ ନିୟମଗିରି ପାହାଡ ର ଡଙ୍ଗରିଆ କନ୍ଧ, କଳାହାଣ୍ଡି ,କାଶୀପୁର, କୋଲନରା ଅଞ୍ଚଳର ହଜାର ହଜାର ଭକ୍ତ ଆସି ଜୀଉଙ୍କ ବାହୁଡା ଯାତ୍ରା ଦେଖିଥିଲେ । ଏ ଅବସରରେ ବିଭିନ୍ନ ପ୍ରକାରର ଦୋକାନ ବଜାର ବସାଯାଇଥିଲା । ପୁଲିସ ଓ ସିଆରପିଏଫ ଯବାନ ମିଳିତରେ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ପହଣ୍ଡି ଠାରୁ ରଥ ଟଣା ପର୍ଯ୍ୟନ୍ତ ରହି ସମସ୍ତ କାର୍ଯ୍ୟ ତୁଲାଇଥଲେ । ଏଥିରେ ମନ୍ଦିର ପରିଚାଳନା କମିଟିର ସଦସ୍ୟ, ତହସିଲ କାର୍ଯ୍ୟାଳୟ ସମସ୍ତଅଧିକାରୀ, ତହସିଲଦାର ସୁଧାକର ରଇତ, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଥଲେ ।