୧୯ ବର୍ଷ ପରେ ପଡୁଛି ଶ୍ରାବଣରେ ଏଭଳି ସଂଯୋଗ

0
115
୧୯ ବର୍ଷ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୦/୦୬) : ଆସୁଛି ଦେବ ଦେବ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ ମାସ । ୧୯ ବର୍ଷ ପରେ ପଡୁଛି ଶ୍ରାବଣରେ ଏଭଳି ସଂଯୋଗ । ଏଥର ଶ୍ରାବଣ ରେ ୮ ସୋମବାର ପର୍ଯ୍ୟନ୍ତ ମହାଦେବଙ୍କୁ ଜଳଲାଗି କରିପାରିବେ ଭକ୍ତ ।

ପାଣି ଭାର ନେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଶିବ ଭକ୍ତ । ୪ ଜୁଲାଇରୁ ଆରମ୍ଭ ହେଉଛି ଶ୍ରାବଣ ମାସ । ଶ୍ରାବଣର ପ୍ରଥମ ସୋମବାର ୧୦ ଜୁଲାଇରେ ପଡିବ । ଏହିଥର ଶ୍ରାବଣ ୫୯ ଦିନ ରହିବ । ଅର୍ଥାତ ଶିବ ଭକ୍ତ ମାନେ ୮ ସୋମବାର ପର୍ଯ୍ୟନ୍ତ ମହାଦେବଙ୍କୁ ଜଳଲାଗି କରିପାରିବେ । ଏହା ୪ ଜୁଲାଇରୁ ଆରମ୍ଭ ହୋଇ ୩୧ ଅଗଷ୍ଟରେ ଶେଷ ହେବ । ତେବେ ୧୯ ବର୍ଷ ପରେ ଶ୍ରାବଣ ମାସରେ ଏପରି ଶୁଭ ସଂଯୋଗ ପଡିବାକୁ ଯାଉଛି । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏହି ଥର ଅଧିକମାସ କାରଣରୁ ଶ୍ରାବଣ ୨ ମାସ ପଡୁଛି । ଅଧିକମାସ ର ଆରମ୍ଭ ୧୮ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୧୬ ରେ ଶେଷ ହେବ ।

ଶ୍ରାବଣ ମାସର ମହତ୍ୱ- ଶ୍ରାବଣ ସୋମବାରର ବ୍ରତ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ସମର୍ପିତ ହୋଇଥାଏ । ଯେଉଁଥିପାଇଁ ଏହି ମାସରେ କାଉଡିଆ ମାନେ ପାଣିଭାର ନେଇ ଯାତ୍ରା ଆରମ୍ଭ କରିଥାନ୍ତି । ଛୋଟ ଛୋଟ ଗଡୁରେ ବିଭିନ୍ନ ପବିତ୍ର ନଦୀରୁ ପାଣି ଉଠାଇ ବାଉଙ୍ଗୀ କାନ୍ଧରେ ଧରି, ବୋଲ ବୋମ୍‌ ହର ହର ବୋମ ତୁଣ୍ଡରେ ଧରି ଆଗକୁ ବଢିଚାଲନ୍ତି ଶିବ ଭକ୍ତ । ଖାଲ, ଢିପକୁ ଖାତିର ନକରି ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଏକ ଲୟରେ ଖାଲି ପାଦରେ ମାଡି ଚାଲିଥାନ୍ତି । କାଉଡିଆ ମାନେ ଯେଉଁ ରାସ୍ତା ଦେଇ ଯାଆନ୍ତି ସେ ରାସ୍ତା ଶିବ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥାଏ । କୁହାଯାଏ ଏହି ମାସରେ ମହାଦେବଙ୍କ ଲିଙ୍ଗରେ ପାଣି ଢାଳିଲେ ଅଶେଷ ପୂଣ୍ୟ ମିଳିଥାଏ । ଯିଏ ଯାହା ମନାସିଥାଏ ତାହା ପୁରଣ କରିଥାନ୍ତି ଭୋଳା ଶଙ୍କର ।